xmas

ପ୍ରଥମେ ନବଜାତକ ଓ ପ୍ରସବ ପରେ ନାବାଳିକା ମାର ମୃତ୍ୟୁ ଘଟଣା; ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ମେଟ୍ରୋନ ବହିଷ୍କୃତ, ଏଏନଏମ, ସହକାରୀ ସୁପରିନଟେଣ୍ଡେଣ୍ଟ ଓ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଫୁଲବାଣୀ, ୦୮/୧୦: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରଙ୍ଗାପାରୁ ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ପ୍ରଥମେ ଛୁଆର ମୃତ୍ୟୁ ଓ ପରେ ନାବାଳିକା ମାର ମୃତ୍ୟୁ ଘଟିଥିବା ଘଟଣାରେ ବାଲିଗୁଡା ଉପଜିଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ମେଟ୍ରୋନଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଥିବା ବେଳେ ଏଏନଏମ, ସହକାରୀ ସୁପାରିନଟେଣ୍ଡେଣ୍ଟ ଓ ସ୍କୁଲ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିବା କଥା ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା କହିଛନ୍ତି l ଶୁକ୍ରବାର ଉଭୟଙ୍କ ମୃତ୍ୟୁ ପରେ ଜିଲାରେ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା l ସୂଚନା ଯୋଗ୍ୟ ଯେ, ହଷ୍ଟେଲ ଛାତ୍ରୀ ଗର୍ଭବତୀ ହେଵ ଘଟଣା ସମ୍ପର୍କରେ ସ୍କୁଲ କତୃପକ୍ଷ ଗତ ୨୩ରେ ବେଲଘର ଥାନାରେ ଏତଲା ଦେଇଥିଲେ l ଏହା ପରେ ଛାତ୍ରୀ ଓ ଘଟଣାରେ ସମ୍ପୃକ୍ତ ଥିବା ଛାତ୍ରର ଡାକ୍ତରୀ ପରିକ୍ଷା ପରେ ଛାତ୍ରୀକୁ ଜି. ଉଦୟଗିରି ସୁଧାର ଗୃହରେ ରଖାଯାଇଥିଲା lତେବେ ଗୁରୁବାର ଛାତ୍ରୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜି. ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଛାତ୍ରୀ ଏକ ସନ୍ତାନ ପ୍ରସବ କରିଥିଲେ ହେଲେ ପ୍ରଥମେ ନବଜାତକ ଶିଶୁର ମୃତ୍ୟୁ ଘଟିଥିବା ବେଳେ ମଧ୍ୟ ରାତ୍ରିରେ ମାର ମଧ୍ୟ ମୃତ୍ୟୁ ଘଟିଥିଲା l ଛାତ୍ରୀର ଘର ଗୁମା ପଂଚାୟତ ଅନ୍ତର୍ଗତ ସାପେରି ଗ୍ରାମ ବୋଲି ଜଣାପଡିଛି l

Leave A Reply

Your email address will not be published.