ପୁଣି ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଶ୍ନତ୍ତର ଖାତା ଭାଇରାଲ

ଗୋଟିଏ ଉତ୍ତର ଖାତାକୁ ୫ ହଜାର ଟଂକା, ବୋର୍ଡର କାର୍ଯ୍ୟ ଉପରେ ଅଙ୍ଗୁଳି ଉଠିଲା
ମାଲକାନଗିରି,୧୪/୧୦: ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଗତ ଅଗଷ୍ଟ ୨୯ ତାରିଖରେ ତିନୋଟି କେନ୍ଦ୍ରରେ ଶିକ୍ଷକ ଯୋଗ୍ୟତା(ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ବ୍ୟାପକ କପି ହୋଇଥିବା ସେତେବେଳେ ବିଭାଗ ସ୍ବୀକାର କରିଥିଲା। ଏହି ପରୀକ୍ଷାକୁ ମଧ୍ୟ ବାତିଲ କରି ପୁନଃ ପରୀକ୍ଷା କରାଯିବା ନେଇ ନିର୍ଦେଶ ଦେଇଥିଲେ।ତେବେ ବିଭାଗ ପକ୍ଷରୁ ଆଜି ପୁଣି ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ଜିଲ୍ଲାର ସଦର ମହକୁମାରେ ରହିଥିବା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ କନିଷ୍ଠ ବଜ୍ଞାନ ମହାବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ତିନୋଟି କେନ୍ଦ୍ରରେ ମୋଟ ୭୪୨ ଜଣ ଶିକ୍ଷକ ପରୀକ୍ଷା ଦେଇଥିଲେ। ତେବେ ସେତେବେଳେ ଯେଭଳି ଭାବେ ବାହାରେ ପରୀକ୍ଷା ପୂର୍ବରୁ ପ୍ରଶ୍ନତ୍ତରଗୁଡିକ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା, ଆଜି ବି ସେହିଭଳି ମୋବାଇଲରୁ ମୋବାଇଲକୁ ପ୍ରଶ୍ନତ୍ତର ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ବି ଗୋଟିଏ ପ୍ରଶ୍ନତ୍ତରକୁ ପାଇବାକୁ ହେଲେ ୫ ହଜାର ଟଂକା ଦେବାକୁ ପଡୁଥିଲା ,ଆଜି ବି ସେହି ଏକା ଦାମରେ ଏହି ପ୍ରଶ୍ନତ୍ତର ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ତେବେ କାହାର ଇଶାରାରେ ଏହି ପ୍ରଶ୍ନପତ୍ର ଲିକ ହେଉଛି ଏବଂ ବଜାରରେ ଶିକ୍ଷକମାନଙ୍କୁ ୫ ହଜାର ଟଂକାରେ ବିକ୍ରି କରାଯାଉଛି ତାହା ଏବେ ତଦନ୍ତ ସାପେକ୍ଷ। ଏନେଇ ବିଭାଗୀୟ କର୍ମଚାରୀଙ୍କ ଉପରେ ଅଙ୍ଗୁଳି ଉଠିଲାଣି। ବଜାରରେ ଯେଉଁ ପ୍ରଶ୍ନତ୍ତର ଲିକ ହୋଇ ମୋବାଇଲରେ ଘୁରିବୁଲୁଥିଲା, ସେହି ଉତ୍ତର ପତ୍ରକୁ ଶିକ୍ଷକମାନେ ପରୀକ୍ଷା ଦେବା ପରେ ତାଳମେଳ କରିବା ପରେ ଏକା ଦେଖିବାକୁ ମିଳିଥିଲା। ଅନ୍ୟ ଦିଗରେ ଆଜି ତିନୋଟି କେନ୍ଦ୍ରରେ ତିନି ଜଣ ସରକାରୀ କର୍ମଚାରୀ ଅବଜରଭର ଭାବେ ଦାୟୀତ୍ବ ନେଇଥିଲେ।ସେମାନେ ହେଲେ ଅତରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ ଏବଂ ପିଏ, ଆଇଟିଡିଏ ତ୍ରିନାଥ ମାଝି।ତେବେ ଏନେଇ କିଛି ପୁରୁଷ ଏବଂ ମହିଳା ପରୀକ୍ଷାର୍ଥୀଙ୍କୁ ପଚାରିବାରୁ ସେମାନେ ପ୍ରଶ୍ନତ୍ତର ଲିକ ହୋଇଥିବା ଜାଣିନଥିବା କହିବା ସହ ସେମାନେ ପାଠ ପଢି ପରୀକ୍ଷା ଦେଇଥିବା କହିଥିଲେ। ତେବେ ଯଦି ପୁଣି ଏହି ପରୀକ୍ଷା ବାତିଲ ହୁଏ ତେବେ ସେମାନେ ଆଉ ପରୀକ୍ଷା ଦେବା ସମ୍ବବ ନୁହେଁ ବୋଲି କହିଥିଲେ।ତେବେ ଏହାକୁ କିଏ ଲିକ କରୁଛି ଏବଂ ଏତେ ଟଂକାରେ ବିକ୍ରି କରୁଛି ତାହାକୁ ନେଇ ସାଧାରଣରେ ଅସଂତୋଷ ପ୍ରକାଶ ପାଇଛି। ଏନେଇ ଅବଜରଭରମାନଙ୍କୁ ପ୍ରଶ୍ନ କରାଯିବାରୁ ସେମାନେ ଏଭଳି କୌଣସି ଘଟଣା ଘଟିଥିବା ସ୍ବୀକାର କରିନଥିଲେ। ବାହାରେ କଣ ହୋଇଛି ସେମାନେ ଜାଣିନଥିବା କହିଥିଲେ।ପରୀକ୍ଷା କେନ୍ଦ୍ରରେ କିନ୍ତୁ ଶାନ୍ତିଶୃଙ୍ଖଳା ସହ କଡା ସୁରକ୍ଷାରେ ପରୀକ୍ଷା କରାଯାଇଥିବା ଦୃଢକ୍ତି ପ୍ରକାଶ କରିଥିଲେ। ପରୀକ୍ଷା କେନ୍ଦ୍ରରେ ଏତେ କଡାକଡି କରାଯାଇଥିଲେ ମଧ୍ୟ ପ୍ରଶ୍ନ ପତ୍ର ଲିକ ହେବା ଏବଂ ଉତ୍ତର ବଜାରରେ ବିକ୍ରି ହେଉଥିବା କାହାର କାମ ବୋଲି ପ୍ରଶ୍ନ କରାଯାଇଛି। ବୋର୍ଡ ଉପରେ ଏବେ ଅଙ୍ଗୁଳି ଉଠିଛି। କିଛି ବିଭଗୀୟ ଅଧିକାରୀ ହିଁ ଏଭଳି କାମ କରୁଥିବା ସାଧାରଣରେ ଆଲୋଚନା ଜୋର ଧରିଛି। ଯେଉଁମାନେ ପାଠ ପଢି ପରୀକ୍ଷା ଦେଇଛନ୍ତି ସେମାନଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ ବୋଲି ଆଲୋଚନା ଜୋର ଧରିଛି। ତେବେ ଏହାର ଉଚିତ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶିକ୍ଷକ ମହଲରେ ଦାବି ହୋଇଛି।

Leave A Reply

Your email address will not be published.