କନ୍ଧମାଳ ଦୁର୍ଗମ ଅଞ୍ଚଳରେ ବାଇକ ଆମ୍ବୁଲାନ୍ସ ଦେବଦୁତ ସାଜିଛି, ଲୋକେ ଖୁସ

ଫୁଲବାଣୀ, ୧୭/୧୦: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଗର୍ଭବତୀ ମହିଳା ଓ ବୁଢ଼ାବୁଢ଼ୀଙ୍କ ପାଇଁ ଦେବଦୁତ ସାଜିଛି l ଫୋନ କଲ ଟିଏ ପାଇବାର ମାତ୍ର କେଇ ମିନିଟ ମଧ୍ୟରେ ଦୁର୍ଗମ ପାହାଡିଆ ଗ୍ରାମରେ ପହଞ୍ଚି ଯାଉଛି ବାଇକ ଆମ୍ବୁଲାନ୍ସ l ଗର୍ଭବତୀ ମହିଳା ଓ ବୁଢା ବୁଢ଼ୀଙ୍କ ଘର ଦୁଆର ମୁହଁରୁ ମେଡିକାଲକୁ ଆଣୁଛି l ଫଳରେ ଏହି ବାଇକ ଆମ୍ବୁଲାନ୍ସ ପ୍ରଚଳନ ପରଠାରୁ ଦୁର୍ଗମ ଅଞ୍ଚଳର ଲୋକମାନେ ବେଶ ଉପକୃତ ହେଉଛନ୍ତି l ଜିଲ୍ଲାର ୧୨ଟି ବ୍ଲକରେ ପ୍ରାୟ ଚାରି ହଜାରରୁ ଉର୍ଧ ଗ୍ରାମ ଓ ପଡା ରହିଛି l ହେଲେ ଏକ ହଜାର ପାଖାପାଖି ଗ୍ରାମକୁ ସ୍ଥାୟୀ ପକା ରାସ୍ତା ନଥିବାବେଳେ ଅନ୍ୟ ଗ୍ରାମ ଗୁଡିକରେ ମଧ୍ୟ ରାସ୍ତା ଖାଲଖମାରେ ଭର୍ତ୍ତି, କେଉଁଠି ପାହାଡିଆ ନଦୀ ନାଳ ମଧ୍ୟ ବାଧକ ସାଜୁଛି l ଫଳରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ପହଞ୍ଚିପାରୁନିl ଯଦି ଯାଉଛି ତେବେ ଅନେକ ଦୂରରେ ରହୁଛିl ଫଳରେ ରୋଗୀଙ୍କୁ ଖଟ ନଚେତ ଦୋଳାରେ ବୋହିକି ମାଇଲ ମାଇଲ ବାଟ ଆଣିବାକୁ ପଡୁଛି l ରୋଗୀ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମୃତ୍ଯୁବରଣ କରୁଥିଲା l ବର୍ତମାନ ଜିଲ୍ଲାର ଦାରିଙ୍ଗବାଡି, ଫିରିଙ୍ଗିଆ, ବାଲିଗୁଡା ଓ ତୁମୁଡିବନ୍ଧ ଆଦି କେତକ ଦୁର୍ଗମ ବ୍ଲକ ଅଞ୍ଚଳରେ ରୋଗୀଙ୍କୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହାୟତାରେ ବାଇକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି l ଏହାର ପରିଚାଳନା ଦାଇତ୍ୱ ପ୍ରଶାସନ ପକ୍ଷରୁ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସ୍ଵାତି, ଶାନ୍ତି ମୈତ୍ରୀ ଓ ଜାଗୃତିକୁ ପ୍ରଦାନ କରାଯାଇଥିଲା l ଫିରିଙ୍ଗିଆ ବ୍ଲକ ସାଡୀଙ୍ଗିଆ ସ୍ଵାତି ସ୍ବେଛାସେବୀ ସଙ୍ଗଠନକୁ ଦାଇତ୍ୱ ଦିଆଯାଇଥିବା ବେଳେ ତୁମୁଡିବନ୍ଧର ଲଙ୍କାଗଡ ଓ ବାଲିଗୁଡାର ଖମନଖୋଲ ଶାନ୍ତି ମୈତ୍ରୀ ସଂଗଠନ ଓ ଦାରିଙ୍ଗବାଡି ବ୍ଲକର ବୁଡଗୁଡା ଓ କଟିଙ୍ଗିଆ ଜାଗୃତି ସଂଗଠନକୁ ଦାଇତ୍ୱ ଦିଆଯାଇଛି l ଯାହାର ସଫଳ ରୂପାୟନ ଦେଖିବାକୁ ମିଳିଛି ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ ଏସବୁ ଅଞ୍ଚଳରେ l ଏ ସବୁ ବାଇକ ଆମ୍ବୁଲାନ୍ସ ଯୋଗେ ଏପ୍ରିଲ ୨୦୧୮ରୁ ସେପ୍ଟେମ୍ବର ୨୦୨୨ ଯାଏ ମୋଟ ୨୮୭୦ଜଣ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇଥିବା ବେଳେ ୧୫୭୦ଜଣ ଗର୍ଭବତୀ ମହିଳା ଥିବା ବେଳେ ୬୬୯ଜଣ ଶିଶୁ ଓ ବାକି ୬୩୮ ଜଣ ଅନ୍ୟାନ୍ୟ ରୋଗୀ ଥିବା ରିପୋର୍ଟରୁ ଜଣାପଡ଼ିଛି l ଏହି ବାଇକ ଆମ୍ବୁଲାନ୍ସ ଜିଲ୍ଲାରେ ମୃତ୍ୟୁହାର ରୋକିବାରେ ନିଶ୍ଚିତ ସହାୟକ ହୋଇଛି ବୋଲି କୁହାଯାଇପାରେ l ଲୋକେ ବି ବାଇକ ଆମ୍ବୁଲାନ୍ସକୁ ଓ ସୁଚାରୁରୂପେ ପରିଚାଳନା କରୁଥିବା ସ୍ବେଛାସେବୀ ସଂଗଠନ ସ୍ଵାତି ଓ ଜାଗୃତି ଶାନ୍ତି ମୈତ୍ରୀର ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି l

Leave A Reply

Your email address will not be published.