ଜଟିଳ ଅସ୍ତ୍ରୋପଚାର କରି ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଅଲ୍ଟିମେଟ୍ ସର୍ଜନ

ଭୁବନେଶ୍ୱର , ୧୭/ ୧୦ : ଏକ ନବଜାତ ଶିଶୁର ଶରୀରରେ ଥିବା ଜନ୍ମଗତ ତୃଟି କନ୍‌ଜେନିଟାଲ୍ ଡାୟାଫ୍ରାଗ୍‌ମେଟିକ୍ ହାର୍ନିଆ (ସିଡିଏଚ୍‌)କୁ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ଦୂର କରି ଜୀବନ ବଂଚାଇବାକୁ ସକ୍ଷମ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ୍ ।

ମା’ର ଗର୍ଭରେ ଥିବା ସମୟରୁ ହିଁ ଶିଶୁଟିର ଏହି ସମସ୍ୟା ସମ୍ପର୍କରେ ପରୀକ୍ଷାରୁ ଜଣାପଡ଼ିଥିଲା ।

ନିର୍ଦ୍ଧାରିତ ସମୟ ପୂର୍ବରୁ ଓ ଶିଶୁର ମା’ ୮ ମାସ ଗର୍ଭବତୀ ଥିବା ସମୟରେ ଅସ୍ତ୍ରୋପଚାର ମାଧ୍ୟମରେ ଡେଲିଭରି କରାଯିବା ପରେ ଶିଶୁଟି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାକୁ ତୁରନ୍ତ ଭେଂଟିଲେଟର ସାହାଯ୍ୟରେ ୩ ଦିନ ପର୍ଯ୍ୟନ୍ତ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ମମ୍‌ର ପେଡିଆଟ୍ରିକ୍ ଓ ନିଓନାଟୋଲୋଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ ।

ଶିଶୁର ଶରୀରରେ ଥିବା ତୃଟିକୁ ସୁଧାରିବା ନିମନ୍ତେ ହସ୍ପିଟାଲ୍ କନ୍‌ସଲ୍‌ଟାଂଟ ତଥା ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତୁରନ୍ତ ସିଡିଏଚ୍ ରିପେୟାର ସର୍ଜରୀର ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଜନ୍ମ ଗ୍ରହଣ କରିବାର ତିନି ଦିନରେ ହିଁ ଅସ୍ତ୍ରୋପଚାର କରାଯାଇଥିଲା ।

ଏହି କ୍ଷେତ୍ରରେ ଶରୀରର ଛାତି ଓ ପେଟକୁ ଅଲଗା କରି ରଖୁଥିବା ଡିଆଫ୍ରାମ୍ ଠିକ୍ ଭାବରେ ସୃଷ୍ଟି ହୋଇ ନଥିବାରୁ ବିଭିନ୍ନ ଅଂଗ ପ୍ରତ୍ୟଂଗ ଏପଟ ସେପଟ ହୋଇ ରହିଥିଲା ।

ଏହି ଶିଶୁ କ୍ଷେତ୍ରରେ ଯକୃତର ଏକ ଅଂଶ ଛାତି ଆଡ଼କୁ ଚାଲି ଯାଇଥିବାରୁ ଜଟିଳତା ସୃଷ୍ଟି ହୋଇଥିଲା ବୋଲି ଜୁନିୟର୍ କନ୍‌ସଲଟାଂଟ ଡାକ୍ତର ଅଜୟ କୁମାର ଗାହାଣ ପ୍ରକାଶ କରିଥିଲେ । ସିଡିଏଚ୍ ଭଳି ଜଟିଳ ସମସ୍ୟା ଯାହାକି ୩୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକୁ ହୋଇଥାଏ ।

ଆଗାମୀ ମାସରେ ଶିଶୁଟିର ଏମ୍‌ଆର୍‌ଆଇ ସ୍କାନ୍ କରିବା ସହ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୁଇ ମାସରେ ଥରେ ଶିଶୁଟିର ସ୍ନାୟୁଗତ ବିକାଶର ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.