xmas

ଜିଲ୍ଲାରେ କୁକୁଡା ଗାଲି ଏବଂ ଖୁଡୁଖୁଡି ବନ୍ଦ କରିବା ନେଇ କୋୟା ସମାଜର ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦଶହରା ସରିବା ମାତ୍ରେ ଗାଁ ଗାଁରେ କୁକୁଡା ଗାଲି ସହ ଖୁଡୁଖୁଡି ଖେଳର ପସରା ଜମିଥାଏ।ଯାହା ଫଳରେ ଶହ ଶହ ଗରିବ ଆଦିବାସୀ ଲୋକେ ଏହି ଖେଳରେ ସର୍ବସ୍ବାନ୍ତ ହୋଇଯାଇଥାନ୍ତି। ତେଣୁ କୋୟା ସମାଜ ପକ୍ଷରୁ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଜିଲ୍ଲାର କୋଣ ଅନୁକୋଣରେ କୁକୁଡା ଗାଲି ସହ ଖୁଡୁଖୁଡି ମଧ୍ୟ ଜୋରସୋରରେ ଚାଲିଛି। ଏଥିସହ ସେହି ସ୍ଥାନରେ ମଦ, ମାଂସର ମଧ୍ୟ ପସରା ବସୁଛି। ଏହି ଅଂଚଳର ନିରୀହ ଗରିବ ଅସହାୟ ଆଦିବାସୀ ଯୁବକ ଯୁବତୀ ଏବଂ ପିଲାମାନେ ମଧ୍ୟ କୁକୁଡା ଗାଲିର ଲୋଭରେ ପଡି ନିଜର ସମୟ, ଦୈନନ୍ଦିନ କାମ ଛାଡି, ପାଠ ପଢା ଛାଡି ଅତ୍ୟାଚାରର ଶିକାର ହେଉଛନ୍ତି ବୋଲି ଏହି ସଂଘ ଅଭିଯୋଗ କରିଛି। ଯାହାକି ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ ଓ ସମାଜ ସଂସ୍କୃତି ଓ ପରମ୍ପରା ଉପରେ ମଧ୍ୟ ବହୁତ ପ୍ରଭାବ ପଡୁଛି।ଆଦିବାସୀ ପରଂପରା ନାମରେ ଏହି କୁକୁଡା ଗାଲିକୁ ଆଞ୍ଚଳିକ କ୍ଷେତ୍ରରେ ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଥାନାମାନଙ୍କରେ ଏହି କାର୍ଯ୍ୟକ୍ରମ କରିବା ପାଇଁ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିମାନେ ଅନୁମତି ମାଗି ଆୟୋଜନ କରୁଛନ୍ତି। ଯାହାଫଳରେ ଆଦିବାସୀ ପରଂପରା ନାମରେ ଏଭଳି ବିଭିନ୍ନ ପ୍ରକାର ଜୁଆ ଖେଳର ଆୟୋଜନ କରି ନିରୀହ ଆଦିବାସୀ ଲୋକଙ୍କୁ ଶୋଷଣ କରୁଛନ୍ତି।ପକୃତ ପରମ୍ପରା କହିଲେ ଯେତେବେଳେ ଆଦିବାସୀ ମାନେ ନୂଆଖାଇ (କଡତା ପାଣ୍ଡୁମ) କରନ୍ତି, ସେତେବେଳେ ଗାଁ ଗାଁରେ ୫ରୁ ୧୦ଟି କୁକୁଡା ବାନ୍ଧି ଖୁସି ମଜା କରୁଥିଲେ। ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ଭେଜଙ୍ଗଵାଡା ଠାରେ ଜିଲ୍ଲାର ସମସ୍ତ ଅଂଚଳର ଜନସାଧାରଣର ସେଠାକୁ କୁକୁଡା ନେଇ ଯାଆନ୍ତି ଓ ସେଠାରେ ମେଳା ଦେଖିବା ସହ କୁକୁଡା ଗାଲିରେ ସାମିଲ ହୋଇ ଶେଷ ଯାତ୍ରାର ଉପଭୋଗ କରନ୍ତି। କିନ୍ତୁ ବର୍ତ୍ତମାନ ପରମ୍ପରା ନାମରେ ଲୋକେ ବିଭିନ୍ନ ପୂଜା ପର୍ବାଣୀରେ କୁକୁଡା ଗାଲି ସହ ଖୁଡୁଖୁଡି ଖେଳ କରି ଲୋକଙ୍କୁ ଲୁଟୁଛନ୍ତି। ତେବେ ପରମ୍ପରାକୁ ଦ୍ବାହି ଦେଇ ଏମାନେ ଯଦି କରିବାକୁ ଚାହୁଁଛନ୍ତି ତେବେ ପଞ୍ଚାୟତର ଗୋଟିଏ ସ୍ଥାନରେ ହିଁ କୁକୁଡା ଗାଲି ହେଉ। ଗାଁ ଗାଁରେ କୁକୁଡା ଗାଲି ନକରାଯାଉ ବୋଲି ଆଦିବାସୀ ମହାସଂଘ ଦାବି କରିଛି। ଏହି ଦାବି ପ୍ରଦାନ ବେଳେ କୋୟା ସମାଜର ସଭାପତି ମୁକୁନ୍ଦ ପଡିଆମି, ସଂପାଦକ ବୃନ୍ଦା କାବାସୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.