ପଞ୍ଜାବର ପୁଅ ଏବେ ଆର୍ୟଲାଣ୍ଡର ଷ୍ଟାର ବୋଲର

ଚଳିତ ଟି-୨୦ ବିଶ୍ୱକପରେ ବଡ ବଡ ଟିମ୍ ବିପର୍ଯ୍ୟୟର ସାମ୍ନା କଲେଣି । ପ୍ରଥମେ ୱେଷ୍ଟଇଣ୍ଡିଜ ଲିଗ୍ ପର୍ଯ୍ୟାୟରୁ ବିଦା ହୋଇଥିବା ବେଳେ ସୁପର-୧୨ ପର୍ଯ୍ୟାୟ ମୁକାବିଲାରେ ମାତ୍ ଖାଇଛି ଶକ୍ତିଶାଳୀ ଇଂଲଣ୍ଡ । ଆଉ ସବୁଠୁ ବଡ କଥା ହେଲା ଉଭୟ ଟିମକୁ ପରାଜିତ କରିଛି ଅପେକ୍ଷାକୃତ ଦୁର୍ବଳ ଟିମ୍ ଆର୍ୟଲାଣ୍ଡ । ଚଳିତ ଟି-୨୦ ବିଶ୍ୱକପରେ ଆର୍ୟଲାଣ୍ଡ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି । ସୁପର-୧୨ ପର୍ଯ୍ୟାୟରେ ପ୍ରଥମ ମ୍ୟାଚରେ ଆର୍ୟଲାଣ୍ଡ ପରାଜିତ ହୋଇଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ମାତ୍ ଦେବାରେ ସକ୍ଷମ ହୋଇଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଇଂଲଣ୍ଡକୁ ୫ ରନରେ ମାତ୍ ଦେଇଛି ଆର୍ୟଲାଣ୍ଡ । ଟି-୨୦ ଫର୍ମାଟରେ ଅପେକ୍ଷାକୃତ ଦୁର୍ବଳ ଥିବା ଆର୍ୟଲାଣ୍ଡ ଟିମର ପ୍ରତ୍ୟେକ ଖେଳାଳୀ ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଳରେ ଦଳକୁ ବିଜୟ ଭେଟି ଦେଇଛନ୍ତି । ଆଉ ଏହି ଖେଳାଳୀଙ୍କ ମଧ୍ୟରେ ଜଣେ ଭାରତୀୟ ମୂଳର ଖେଳାଳୀ ସିମି ସିଂ ରହିଛନ୍ତି । ଯିଏ ଆର୍ୟଲାଣ୍ଡ ଦଳର ଏବେ ଷ୍ଟାର ବୋଲର ଭାବେ ଉଭା ହୋଇଛନ୍ତି ।

୩୫ ବର୍ଷୀୟ ସିମି ସିଂ । କେବେ ଭାରତ ପାଇଁ ଖେଳିବାକୁ ସ୍ୱପ୍ନ ଦେଖିଥିବା ସିମି ଏବେ ଆର୍ୟଲାଣ୍ଡ କ୍ରିକେଟ ଦଳର ନିୟମିତ ସଦସ୍ୟ । ପଞ୍ଜାବର ପୁଅ ସିମି କେବେ ଯେ ଆର୍ୟଲାଣ୍ଡ ପାଇଁ କ୍ରିକେଟ ଖେଳିବ ତାହା କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । କିନ୍ତୁୁ ସମୟଚକ୍ରରେ ସିମିଙ୍କ ଭାରତ ପାଇଁ ଖେଳିବା ସ୍ୱପ୍ନ ଧୀରେ ଧୀରେ ମଉଳିଥିଲା । କାରଣ ଭାରତୀୟ ଟିମରେ ସ୍ଥାନ ପାଇବା ଏତେ ସହଜ ନଥିଲା । ଯେଉଁଥିପାଇଁ ଜଣେ ସାଙ୍ଗଙ୍କ ପରାମର୍ଶ କ୍ରମେ ୨୦୦୫ରେ ଆର୍ୟଲାଣ୍ଡ ଅଭିମୁଖେ ସିମି ଭରିଥିଲେ ସ୍ୱପ୍ନର ଉଡାଣ । ଆର୍ୟଲାଣ୍ଡରେ ପାଠ ପଢିବା ତ କେବଳ ଏକ ବାହାନା ଥିଲା କିନ୍ତୁ ଇଚ୍ଛା ଥିଲା ଅର୍ନ୍ତଜାତୀୟ କ୍ରିକେଟ ଖେଳିବା । ତେବେ ଆର୍ୟଲାଣ୍ଡରେ ସିମିଙ୍କ ପାଇଁ କ୍ରିକେଟ ଯାତ୍ରା ଏତେ ସହଜ ନଥିଲା । ଆର୍ୟଲାଣ୍ଡରେ ଚଳିବାକୁ ସିମିଙ୍କୁ ପାର୍ଟ ଟାଇମ ଚାକିରି କରିବାକୁ ପଡିଥିଲା । ଯେଉଁଠି ମାଲିକଙ୍କ ନିର୍ଦ୍ଦେଶ କ୍ରମେ ସିମିଙ୍କ ଟଏଲେଟ ମଧ୍ୟ ସଫା କରିବାକୁ ପଡିଥିଲା । ଏହା ସିମିଙ୍କ ପାଇଁ ବେଶ କଷ୍ଟକର ସମୟ ଥିଲା । କାରଣ ପଞ୍ଜାବରେ ଏକ ଉଚ୍ଚ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ସିମି କେବେ ଜୀବନର ଏଭଳି ଏକ କଠିନ ସମୟ ଦେଇ ଗତି କରିବେ ତାହା କେବେ ଭାବିନଥିଲେ ।

କ୍ରିକେଟ ପାଇଁ ପାଗଳ ଥିବା ସିମି ଆର୍ୟଲାଣ୍ଡ ପକ୍ଷରୁ ଖେଳିବାକୁ ସବୁପ୍ରକାର କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିଲେ । କାରଣ ଆର୍ୟଲାଣ୍ଡରୁ ଥରେ ବାହାରିଗଲେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ସ୍ୱପ୍ନ କେବେ ପୂରା ହେବନି ବୋଲି ସିମି ଜାଣିଥିଲେ । ଯେଉଁଥିପାଇଁ ଟଏଲେଟ ସଫା କରି ସ୍ୱପ୍ନର ପଥେ ଆଗକୁ ବଢିଥିଲେ ସିମି । ଅନେକ ପ୍ରତିବନ୍ଧକ ଓ ବାଧାକୁ ପାର କରି ଶେଷରେ ୨୦୧୭ରେ ଆର୍ୟଲାଣ୍ଡର ଲିଷ୍ଟ-ଏ କ୍ରିକେଟରେ ଏଣ୍ଟ୍ରି ମାରିଥିଲେ ସିମି । ଆଉ ଏହାପରେ ପଛକୁ ଫେରି ଚାହିନାହାନ୍ତି ସିମି । ନିଜର ଦମଦାର ପ୍ରଦର୍ଶନ ବଳରେ ଶେଷରେ ୨୦୨୦ରେ ଆର୍ୟଲାଣ୍ଡ ପାଇଁ ଅର୍ନ୍ତଜାତୀୟ କ୍ରିକେଟ ଖେଳିବାକୁ ସୁଯୋଗ ପାଇଥିଲେ ସିମି । ନ୍ୟୁଜିଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ସିମି ପରବର୍ତ୍ତୀ ସମୟରେ ଟି-୨୦ କ୍ରିକେଟରେ ଜଲୱା ଦେଖାଇବା ସହ ଆର୍ୟଲାଣ୍ଡ ଦଳର ନିୟମିତ ସଦସ୍ୟ ପାଲଟିଥିଲେ ।

ଚଳିତ ଟି-୨୦ ବିଶ୍ୱକପରେ ଆର୍ୟଲାଣ୍ଡ ଦଳରେ ସାମିଲ ହୋଇଥିବା ସିମି ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଦଳକୁ ସୁପର-୧୨ ପର୍ଯ୍ୟାୟରେ ପହଞ୍ଚାଇବାରେ ବଡ ଭୂମିକା ତୁଲାଇଥିଲେ । ଏବେ ସୁଦ୍ଧା ଆର୍ୟଲାଣ୍ଡ ପକ୍ଷରୁ ୩୫ଟି ଦିନିକିଆ ଓ ୫୩ଟି ଟି-୨୦ ଖେଳିଛନ୍ତି ସିମି । ଅନ୍ୟପଟେ ଇଂଲଣ୍ଡ ବିପକ୍ଷରେ ବିଜୟ ପରେ ସିମି କହିଛନ୍ତି, ଏହି ବିଜୟ ସବୁବେଳେ ସ୍ମରଣୀୟ ହୋଇ ରହିବ । ଏହି ବିଜୟ ଆର୍ୟଲାଣ୍ଡ କ୍ରିକେଟକୁ ନୂଆ ଦିଶା ଦେଖାଇବ ବୋଲି କହିଛନ୍ତି ସିମି ସିଂ ।

Leave A Reply

Your email address will not be published.