ପଡିଆ: ଗତ ଏପ୍ରିଲ ମାସରୁ ଗ୍ରାମରେ ଜଣଙ୍କ ପରେ ଜଣେ ଲୋକଙ୍କ ପେଟ, ହାତ ଓ ଗୋଡ଼ ଫୁଲିବା ସହ ଦୀର୍ଘ ଦିନ ଧରି ଜୀବନ ସହ ସଂଗ୍ରାମ ଚଳାଇ ପ୍ରାଣ ହରାଉଛନ୍ତି ଗୋଟିଏ ପରେ ଗୋଟିଏ ଗ୍ରାମବାସୀ। ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଭଳି ସମସ୍ୟା ଦୁର୍ଗମ ଗଡ଼ରେ ଗତ ୬ ମାସ ଧରି ଚାପି ହୋଇ ରହିଯାଇଥିଲେ ମଧ୍ୟ କାହାର ନଜର ପଡୁନଥିଲା। ଗତ ୬ ମାସ ଧରି ଏଭଳି ଦୁର୍ବିଶହ ପରିସ୍ଥିତି ସହ ସଂଗ୍ରାମ କରି ମାଲାକନଗିରି ଜିଲ୍ଲା ପଡିଆ ବ୍ଲକର ଦୁର୍ଗମ ସିଲାକୋଟା ଗ୍ରାମବାସୀ ସଂଗ୍ରାମ କରି ଆସୁଥିଲା ବେଳେ ଆଜି ପର୍ଯ୍ୟନ୍ତ ଡାକ୍ତରୀ ଦଳ ଏହି ଗ୍ରାମରେ ପହଞ୍ଚି ନପାରିବା ଭଳି ଦୁର୍ଭାଗ୍ୟ ଜନକ ପରିସ୍ଥିତି ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ଏପ୍ରିଲ ମାସ ଠାରୁ ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ସିଲାକୋଟା ଗ୍ରାମରେ ଜଣଙ୍କ ପରେ ଜଣେ ଲୋକଙ୍କ ପେଟ, ହାତ ଓ ଗୋଡ଼ ଫୁଲି ଶରୀର କ୍ଷୀଣ ହୋଇ ପ୍ରାଣ ହରାଉଛନ୍ତି। ଗତ ୬ ମାସ ମଧ୍ୟରେ କୌଣଷି ସରକାରୀ ତଥ୍ୟ ନମିଳିଲେ ମଧ୍ଯ ଅଞ୍ଚଳବାସୀଙ୍କ କହିବା ମୁତାବକ ଗ୍ରାମର ପ୍ରାୟ ୧୧ ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି। ରୋଗର ଜଟିଳ ସମୟରେ ସରକାରୀ ସେବା ନପାଇ ଲୋକେ ସ୍ଥାନୀୟ ଅଞ୍ଚଳର ଗୁଣିଆ ଓ ଦିଶାରୀଙ୍କ ସହଯୋଗରେ ଚିକିତ୍ସା କରାଉଥିବା ଜଣାପଡିଛି। ଅନ୍ୟପଟେ ଏହି ଘଟଣା ବାବଦରେ ସୂଚନା ପାଇ ଆଜି ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀ, ବାପ଼ନପଲ୍ଲୀ ସରପଞ୍ଚ ମେଧା ବଗାମ, ମାଲକାନଗିରି ଜିଲ୍ଲାର ସମାଜସେବୀ ଲଳିତ ନାରାୟଣ ମାଡକାମି ସମେତ ଅନ୍ୟାନ୍ୟ ନେତୃବୃନ୍ଦ ସିଲାକୋଟା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଉପଯୁକ୍ତ ସେବାରୁ ବଞ୍ଚିତ ହୋଇ ସିଲାକୋଟାରୁ ଏକାଧିକ ଲୋକେ ପ୍ରାଣ ହରାଇଥିବା ନେଇ ଗର୍ଜି ଥିଲେ। ଗ୍ରାମରେ ଏଭଳି ମୃତ୍ୟୁକୁ ନେଇ ପାଣି କିମ୍ବା ଦୂଷିତ ପରିବେଶ ନେଇ ଗ୍ରାମବାସୀଙ୍କ ଏଭଳି ହୋଇଥିବା ନେଇ ସ୍ଥାନୀୟ ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି। ଏଥିସହ ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ଉପସ୍ଥିତ ନେତୃବୃନ୍ଦ ଦାବି କରିଛନ୍ତି। ଅନ୍ୟପଟେ ଏ ନେଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯିବାରୁ ଯାଞ୍ଚ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଇଅଛି।
