ପୋଲିସ ଗୁଇନ୍ଦା ନିର୍ଦେଶକଙ୍କ କନ୍ଧମାଳ ଗସ୍ତ: ମାଓ ଗତିବିଧି ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ କଲେ ଆଲୋଚନା

ଫୁଲବାଣୀ, ୨୮/୧୦: ରାଜ୍ୟ ପୋଲିସ ଗୋଇନ୍ଦା ନିର୍ଦେଶକ ସଂଜୀବ କୁମାର ପଣ୍ଡା ଶୁକ୍ରବାର ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିଲେ l ପୋଲିସ ଗୁଇନ୍ଦା ନିର୍ଦେଶକ ପଣ୍ଡା ହେଲିକାପ୍ଟର ଯୋଗେ ଆସି ଫୁଲବାଣୀ ରିଜର୍ଭ ପଡିଆରେ ଦିନ ୧୧:୫୦ ମିନଟରେ ଓଲ୍ହାଇଥିଲେ l ପରେ ଏସପିଙ୍କ ସମ୍ମିଳନୀ କକ୍ଷଠାରେ ଜିଲାରେ ମାଓ ଗତିବିଧି ଓ ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀ ମାନଙ୍କ ସହପୁଂଖାନୁ ପୁଙ୍ଖ ଆଲୋଚନା କରିଥିଲେ l କନ୍ଧମାଳ ଜିଲ୍ଲା ଯେପରି ମାଓ ମୁକ୍ତ ଜିଲ୍ଲା ହୋଇପାରିବ ସେ ନେଇ ଆଲୋଚନା ମଧ୍ୟ କରିଥିଲେ l ମାଓ ଦମନ ବେଳେ ସବୁ ସମୟରେ ସତର୍କତା ଅବଲମ୍ବନ କରିବା ସହ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l ସୂଚନା ଯୋଗ୍ୟ ଯେ, ଗତ ଦୁଇଦିନ ତଳେ ମାଓବାଦୀମାନେ ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିବା ସହ ରାସ୍ତା କାମ କରୁଥିବା ଠିକାଦାର କ୍ୟାମ୍ପରେ ଥିବା ଜେସିବି, ଟ୍ରାକଟରକୁ ପୋଡ଼ି ଦେଇଥିଲେ l ସେହିପରି ପୋଷ୍ଟରରେ ପୋଲିସ ଇନଫରମର ସାଜିଥିବା ଅନ୍ୟ କେତେକଙ୍କୁ ମଧ୍ୟ ହତ୍ୟା କରିବା ଲାଗି ଧମକ ଦେଇଛନ୍ତି ମାଓବାଦୀ l ବର୍ତମାନ ଗୁଇନ୍ଦା ନିର୍ଦେଶକ ପଣ୍ଡାଙ୍କ ଗସ୍ତ ପୋଲିସର ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଇଛି l ଗୁଇନ୍ଦା ନିର୍ଦେଶକ ପଣ୍ଡାଙ୍କ ସହଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ବିଏସଏଫ ଡ଼ି. କେ. ଶର୍ମା, ଡ଼ି ଆଇ ଜି ବିଏସଏଫ ଧୀରେନ୍ଦ୍ର କୁମାର, ଆଇଜି ସତ୍ୟବ୍ରତ ଭୋଇ, ଡ଼ି ଆଇଜି ବ୍ରହ୍ମପୁର ଅନିରୁଧ ସିଂହ, କମାଣ୍ଡାଣ୍ଟ (ସିଆରପିଏଫ) ଆନନ୍ଦ ଝା, କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଓ ବାଲିଗୁଡା ଏସଡିଓପିଓ ଜି. ରାଘବେନ୍ଦ୍ର ରେଡ୍ଡୀ, ଏସଡିପିଓ ସଦର ସୁପ୍ରଶନ ମଲିକ, ପୋଲିସ ରିଜର୍ଭ ଇନସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଓ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ l ଏହି ଅବସରରେ କନ୍ଧମାଳ ଜିଲ୍ଲାର ମାଓ ଗତିବିଧି ଉପରେ ଏରିଏଲ ସର୍ଭେ ମଧ୍ୟ ହୋଇଥିଲା l

Leave A Reply

Your email address will not be published.