ଅସ୍ଥିଶଲ୍ୟର ପାଦ ଏବଂ ଗୋଇଠି ଉପରେ ଅଧିକ ଗୁରୁତ୍ୱ

ଭୁବନେଶ୍ୱର, ୨୯/୧୦: ଅସ୍ଥିଶଲ୍ୟ କ୍ଷେତ୍ରରେ ନୂତନ ଭାବେ ଗୁରୁ୍‌ତ୍ୱ ଲାଭ କରିଥିବା ପାଦ ଏବଂ ଗୋଇଠି ଚିକିତ୍ସା ଉପରେ ଶନିବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି ।

ଇଣ୍ଡିଆନ୍ ଫୁଟ୍ ଆଣ୍ଡ ଆଙ୍କଲ ସୋସାଇଟି ଓ ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଇଭ୍ ସର୍ଜରୀ ଓ ରୋଗୀ ଚିକିତ୍ସା କରାଯାଉଥିବା ବେଳେ କର୍ମଶାଳାରେ ଅନେକ ପ୍ରତିନିଧି ଯୋଗ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଫୁଟ୍ ଆଣ୍ଡ ଆଙ୍କଲ୍ ସୋସାଇଟିର ଅଧ୍ୟକ୍ଷ ଡକ୍ଟର ରାଜେଶ ସିମୋନ୍‌, ନୂଆଦିଲ୍ଲୀ ସ୍ଥିତ ମାକ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ର ଡାକ୍ତର କମଲ୍ ଦୁରେଜା, ବେଙ୍ଗାଲୁରୁ ସ୍ଥିତ ଏମ୍‌.ଏସ୍ ରାମେୟା ମେମୋରିଆଲ୍ ହସ୍ପିଟାଲ୍‌ର ଡାକ୍ତର ଏସ୍‌.ଏମ୍‌. ଅଜୟ ପ୍ରମୁଖ ଏହି କର୍ମଶାଳାରେ ସାମିଲ ହୋଇ ତଥ୍ୟ ଉପସ୍ଥାପନା କରିଥିଲେ ।

ଅସ୍ଥିଶଲ୍ୟ କ୍ଷେତ୍ରରେ ପାଦକୁ ଅଣଦେଖା କରାଯାଇଥାଏ କାରଣ ଏହାର ଯତ୍ନ ନେବା ଆମେ ଠିକ୍ ଭାବେ ବୁଝି ନଥାଉ । କିନ୍ତୁ ନୂତନ ଜ୍ଞାନକୌଶଳର ଉଦ୍‌ଭାବନ ଓ ସିଟି ସ୍କାନ୍ ଓ ଏମ୍‌ଆର୍‌ଆଇ ଉପଲବ୍ଧ ହୋଇଥିବା ଯୋଗୁଁ ଆମେ ଏହାକୁ ଏବେ ଭଲ ଭାବେ ବୁଝିପାରୁଛୁ ବୋଲି କାର୍ଯ୍ୟକ୍ରମ ଉଦ୍‌ଘାଟନ ଅବସରରେ ଡାକ୍ତର ସିମୋନ୍ କହିଛନ୍ତି ।

ବର୍ତମାନ ସମୟ ଆସିଛି ଯେ ଆମେ ଆମ ଚିନ୍ତାଧାରାକୁ ଉନ୍ମୁକ୍ତ କରିବା ଏବଂ ଯେଉଁ ଭୁଲ୍ ଧାରଣା ରହିଛି ତାହାକୁ ସୁଧାରିବାକୁ ଚେଷ୍ଟା କରିବା ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନ୍‌ର ଅଧ୍ୟକ୍ଷ ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ର ଓ ସଚିବ ଡାକ୍ତର ବସନ୍ତ ବେହେରା ପ୍ରମୁଖ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଅନିରୁଦ୍ଧ ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.