ଜି. ଉଦୟଗିରି ଶଙ୍ଖ ସାହି ରାସ୍ତା କଡ଼ରୁ ଗଛ ଉଭାନ

ଫୁଲବାଣୀ, ୨୯/10: ସରକାର ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାସ୍ତା କଡରେ ଥିବା ଦୀର୍ଘ ବର୍ଷ ତଳର ଆମ୍ବ ଗଛକୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ କାଟିନେଇ ପଳାଇଥିବା ଅଭିଯୋଗ ହୋଇଛି l ଆଉ ଆମ୍ବ ଗଛ ମୁଳକୁ ଲୁଚାଇବାକୁ ଯାଇ ସେହି ସ୍ଥାନରେ ବିପୁଳ ପରିମାଣର ବାଲି ଆଣି ଗଦା କରିଦେଇଥିବା ଦେଖିବାକୁ ମିଳିଛି l ତେବେ ଶଙ୍ଖ ସାହି ନିକଟରେ ଜଙ୍ଗଲ ବିଭାଗ କର୍ମଚାରୀ କୁଆଡେ ରହୁଥିଲେ ହେଁ ସେ ଏନେଇ କୌଣସି ଟେର ପାଇନଥିଲେ l ଏହି ରାସ୍ତାକଡ଼ ଆମ୍ବଗଛ କାହା ଦାୟିତ୍ୱରେ ଥିଲା ବୋଲି ଜଙ୍ଗଲ ବିଭାଗକୁ ପଚାରିଲେ ସେ ଏନେଇ ଜାଣିନଥିବା କହି ଚୁପ ରହିଥିବା ବେଳେ ପୌରସଂସ୍ଥା, ପୂର୍ତ୍ତ ବିଭାଗ ଆଉ ଏପରିକି ରାଜସ୍ୱ ବିଭାଗ ବି ଚୁପ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ତେବେ ବିନା ଅନୁମତିରେ ବେଆଇନ ଭାବେ କିଏ, କାହିଁକି ଓ କେଉଁ ଉଦେଶ୍ୟରେ ବହୁ ପୁରୁଣା ଫଳନ୍ତି ଓ ଛାଇ ଦେଉଥିବା ଆମ୍ବ ଗଛଟିକୁ କାଟିଲା ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜି. ଉଦୟଗିରି ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ପରିବେଶ ବିତ ମହମଦ ଜିଆଉଦିନ ଜିଲ୍ଲା ପ୍ରଶାସନ ଓ ଫୁଲବାଣୀ ବନଖଣ୍ଡ ଅଧିକାରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି l

Leave A Reply

Your email address will not be published.