ଫୁଲବାଣୀ: ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷ କରି ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ଏ ସବୁ ରାସ୍ତା କାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଖଜୁରିପଡ଼ା ବ୍ଳକର ସୁଡ୍ରୁ କୁମ୍ଫା ଜାତୀୟ ରାଜପଥରୁ ଜାଣମେଣିକୁ ପ୍ରାୟ ୬.୫ କିମି ରାସ୍ତା ନିର୍ମାଣ କରାଯାଇଛି । ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଯା ଆସ କରୁ ଥିଲେ। ସାଇକଲ କିମ୍ବା ମୋଟର ସାଇକଲ ରେ ଯିବା ଆସିବା କରିବା ମଧ୍ୟ କଷ୍ଟ ସାଧ୍ୟ ହୋଇପଡୁଥିଲା । ଚାରିଚକିଆ ଯିବାର ପ୍ରଶ୍ନ ଉଠୁନଥିଲା। ଫଳରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଆସିପାରୁନଥିଲ।ଫଳରେ ଲୋକେ ଖଟ କିମ୍ବା ଦୋଳାରେ ଗର୍ଭବତୀ ମହିଳା ଓ ଅନ୍ୟ ବୃଦ୍ଧବୃଦ୍ଧାଙ୍କୁ ଡାକ୍ତରଖାନା ଆଣୁଥିଲେ । ସ୍ଥାୟୀ ରାସ୍ତା ପାଇଁ ଦୀର୍ଘବର୍ଷ ହେଲା ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ମାଓବାଦୀଙ୍କ ଚଳପ୍ରଚଳ ଯୋଗୁଁ ରାସ୍ତା କାମ ହୋଇପାରୁ ନ ଥିଲା। ତେବେ ବର୍ତ୍ତମାନର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂସୁଦେଶ ରାଉତଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠା, ଆନ୍ତରୀକତା ଓ ଉଦ୍ୟମ ଯୋଗୁଁ ଦୁର୍ଗମ ଓ ମାଓ ଅଞ୍ଚଳ ଜାଣମେଣି କାଳିଆମ୍ବାକୁ ସ୍ଥାୟୀ ପିଚୁ ରାସ୍ତା ସମ୍ଭବ ହୋଇଛି ବୋଲି ଅଞ୍ଚଳବାସୀ କହିବା ସହ ଖୁସି ବ୍ୟକ୍ତ କରିଛନ୍ତି।ଗମନା ଗମନ ର ସୁବିଧା ହେଲେ ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ଅଭିବୃଦ୍ଧି ଘଟିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ରାଉତ କହିଛନ୍ତି l ସେହିପରି ଅଭିଜ୍ଞ ତଥା ବରିଷ୍ଠ ଠିକାଦାର ଭାବେ ଜଣାଶୁଣା ପ୍ରସନ୍ନ କୁମାର ସ୍ଵାଇଁ ଏହି ରାସ୍ତା କାର୍ଯ୍ୟ କରୁଛନ୍ତି । ଫଳରେ ଘାଟି କଟିଙ୍ଗ ସହ ରାସ୍ତା କାର୍ଯ୍ୟ କରାଯାଉଥିବା ଦେଖାଯାଇଛି । ନିକଟରେ ଏସକ୍ୟୁଏମ ଟିମ ଆସି ଏହି ରାସ୍ତା କାର୍ଯ୍ୟ ଯାଞ୍ଚ କରି କୁଆଡେ କାର୍ଯ୍ୟର ମାନ ଠିକ ଥିବା ସୂଚନା ଦେଇଛନ୍ତି । ଦାୟିତ୍ୱରେ କନିଷ୍ଠ ଯନ୍ତ୍ରୀ ସହକାରୀ ଯନ୍ତ୍ରୀ ମଧ୍ୟ କାର୍ଯ୍ୟ ଯେପରି ଶୀଘ୍ର ସରିବ ସେଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି । ଏହି ରାସ୍ତା ଦ୍ଵାରା ଆଖପାଖ ଦୁଇ ତିନୋଟି ଗ୍ରାମର ହଜାରେ ରୁ ଉର୍ଦ୍ଧ୍ଵ ଲୋକ ଉପକୃତ ହୋଇପାରିବେ ବୋଲି ଠିକାଦାର ସ୍ଵାଇଁ କହିଛନ୍ତି। ସେହିପରି ଗତ ଦୁଇତିନି ବର୍ଷ ତଳେମାଓ ଅଂଚଳ ଭାବେ ପରିଚିତ ନିକଟ ବର୍ତ୍ତୀ ମାଡ଼ିକଲା, ଟିକିରିପଡା ପାତିଆମ୍ବlକୁ ମଧ୍ୟ ସ୍ଥାୟୀ ସୁନ୍ଦର ପିଚୁ ରାସ୍ତା ମଧ୍ୟ ଆରଡ଼ି ବିଭାଗ ଦ୍ୱାରା ନିର୍ମାଣ ହୋଇଛି l ସୂଚନା ଯୋଗ୍ୟ ଯେ, ମାଓବାଦୀମାନେ ରାସ୍ତା କାମକୁ ବିରୋଧ କରି ଠିକା କ୍ୟାମ୍ପ ଜଣେ ଜଗୁଆଳକୁ ହତ୍ୟା କରିବା ସହ ଜେସିବି ଟ୍ରାକ୍ଟର ଆଦି ଅନେକ ଜିନିଷ ପୋଡି ଦେଇଥିଲେ, ତଥାପି ଜୀବନକୁ ବାଜି ଲଗାଇ ଠିକାଦାର ଓ ଯନ୍ତ୍ରୀ ରାସ୍ତା କାର୍ଯ୍ୟ ସାରି ଗମନା ଗମନର ସୁବ୍ୟବସ୍ଥା କରିଥିଲେ l ସେହିପରି ମାଓ ଅଧ୍ୟୁଷିତ ଫିରିଙ୍ଗିଆ ବ୍ଲକ ଅଞ୍ଚଳ ର ଅନେକ ଗ୍ରାମକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଥିବା ବିଭାଗ ସୂତ୍ରରୁ ଜଣାପଡିଛି l ବିଭାଗକୁ ଅଧିକରୁ ଅଧିକ ଅର୍ଥ ଯୋଗାଇ ଦେଲେ ଦୁର୍ଗମ ଅଞ୍ଚଳକୁ ଗମନା ଗମନର ସୁବିଧା ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l
