ଜି. ଉଦୟଗିରି ବ୍ଲକରେ ପୁଣି ବିଡ଼ିଓ ଓ ଅଧ୍ୟକ୍ଷ ବିବାଦ ତେଜିଲା, ଉନ୍ନୟନ କାର୍ଯ୍ୟ ଠପ

ଫୁଲବାଣୀ, ୦୪/୧୧: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ବିଡ଼ିଓ ଓ ଅଧ୍ୟକ୍ଷ ବିବାଦ ଥମିବାର ନାଁ ନେଉନି l ପୂର୍ବରୁ ବହୁ ବାର ଏହି ବ୍ଲକରେ ବିଡ଼ିଓ ଓ ଅଧ୍ୟକ୍ଷ ବିବାଦ ଚରମ ସୀମାରେ ପହଞ୍ଚି ଉଭୟଙ୍କ ମଧ୍ୟରେ କାର୍ଯ୍ୟାଳୟରେ ହାତାହାତି, ପାଟିତୁଣ୍ଡ, ଭଙ୍ଗାରୁଜା କରିବା ସହ ଥାନା ଯାଏ କଥା ଯାଇଥିଲା l ପାଞ୍ଚ ବର୍ଷରେ ଅନେକ ବିଡ଼ିଓ ବି ବଦଳି ହେଲେଣି l ଏବେ ପୁଣି ତାର ପୁନରାବୃତି ହୋଇଛି l ବର୍ତମାନର ଅଧ୍ୟକ୍ଷା ବିଡ଼ିଓଙ୍କ ବିରୁଦ୍ଧରେ ମାଳ ମାଳ ଅଭିଯୋଗ ଆଣି ତଦନ୍ତ ଦାବି କରିବା ସହ ବଦଳି ଦାବି କରିଛନ୍ତି l ବଦଳି ନହେଲେ ଆନ୍ଦୋଳନ ଧମକ ଦିଆଯାଇଛି l ଫଳରେ ଉନ୍ନୟନ ମୂଳକ କାର୍ଯ୍ୟ ଠପ ହୋଇଯାଇଛି l ବିଶେଷ କରି ବିଡ଼ିଓ କୁଆଡେ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରିବା, ଠିକା କାମ ନିଜେ ନିଜ ଲୋକଙ୍କୁ ବାଣ୍ଟିବା, ପିସି ଦାବି କରିବା, କାର୍ଯ୍ୟ ଖସଡ଼ା ନିଜେ ପ୍ରସ୍ତୁତ କରିବା ଆଦି ବହୁ ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷା କାର୍ଯ୍ୟାଳୟରେ ଜାତିଆଣ ମନୋଭାବ ସୃଷ୍ଟି କରିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି ସେ l ସେହିପରି ସହକାରୀ ଯନ୍ତ୍ରୀଙ୍କ ବଦଳି ହୋଇଥିଲେ ବି ତାଙ୍କୁ ବିଡ଼ିଓ ସେଠାରେ ରଖିବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି l ଏ ନେଇ ବିଡିଓଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ବି ସଂଭବ ହୋଇନଥିଲା l ତେବେ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରେ ସେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରିବା ଠିକ ନୁହେଁ ବୋଲି କହିବା ସହ ଏ ନେଇ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି l

Leave A Reply

Your email address will not be published.