ରଙ୍ଗପାରୁ ହଷ୍ଟେଲ ଛାତ୍ରୀ ସନ୍ତାନ ପ୍ରସବ ଓ ମୃତ୍ୟୁ ଘଟଣା: ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଲା ଜାତୀୟ ଏସଟି କମିଶନ

ଫୁଲବାଣୀ, ୦୪/୧୧: ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ରଙ୍ଗପାରୁ ହଷ୍ଟେଲର ସପ୍ତମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଓ ମୃତ୍ୟୁ ଘଟଣାରେ ଜାତୀୟ ଏସଟି କମିଶନ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛି l ଏହି ସମ୍ବେଦନ ଶିଳ ଘଟଣାରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେନେଇ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି କମିଶନ l ଏହି ଘଟଣାରେ ପ୍ରଶାସନ କେବଳ ମେଟ୍ରୋନଙ୍କୁ ଚାକିରୀରୁ ବହିଷ୍କାର କରିଥିବା ବେଳେ ଅନ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଚୁପ ବସିଛି l ଫଳରେ ବିଜେପି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ l ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ଚବିସରେ ହେଲଥ ଚେକ ଅପ ବେଳେ ନାବାଳିକା ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଜଣାପଡିଥିଲା l ଏହାପରେ ପ୍ରଧାନ ଶିକ୍ଷକ ଥାନାରେ ଏତଲା ଦେଇଥିଲେ l ପ୍ରଶାସନ ପକ୍ଷରୁ ପୀଡିତା ଛାତ୍ରୀଙ୍କୁ ଜି .ଉଦୟଗିରି ସୁଧାର ଗୃହକୁ ଅଣାଯାଇ ରଖା ଯାଇଥିଲା l ହେଲେ ଦୁଇଦିନ ପରେ ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ପୀଡିତାକୁ ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ଆଉ ସେଠାରେ ସନ୍ତାନ ପ୍ରସବ ପରେ ସକାଳେ ନବଜାତକ ଓ ରାତିରେ ନାବାଳିକା ମାର ମୃତ୍ୟୁ ଘଟିଥିଲା l ବିଳମ୍ବରେ ହେଲେ ବି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ପକ୍ଷରୁ ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରାଯିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାକୁ ଭିତ୍ତି କରି ଜାତୀୟ ଏସଟି କମିଶନ ଗୁରୁବାର ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ ଜାରି କରି ପ୍ରଶାସନ କି ପଦକ୍ଷେପ ଗ୍ରହଣ କରିଛନ୍ତି ଜଣାଇବାକୁ କହିଛନ୍ତି l

Leave A Reply

Your email address will not be published.