xmas

କେସିସି ବ୍ୟାଙ୍କ ଡାଇରେକ୍ଟର ପଦବୀ ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ଅପହରଣ ଘଟଣାର ତଦନ୍ତରେ ଶିଥଳତା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି,୬। ୧୧କୋରାପୁଟ ସମବାୟ ବ୍ୟାଙ୍କ ମାଲକାନଗିରି ଜିଲ୍ଲା ୮ନମ୍ବର ଜୋନର ନିର୍ଦ୍ଦେଶକ ପଦବୀ ପାଇଁ ଭାଜପା ସମର୍ଥିତ ପର୍ଥୀ ହଳଧର କପେଙ୍କୁ ନିର୍ବାଚନ ପୂର୍ବରୁ ଅପହରଣ ଓ ଆକ୍ରମଣ ଘଟଣାର ପୁଲିସର ତଦନ୍ତରେ ଶିଥଳତାକୁ ନେଇ ଆଜି ଭାଜପା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଆଜି ଭାଜପା କର୍ଯ୍ୟାଳୟ ଠାରେ ଭାଜପା ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାଜପା ପ୍ରାର୍ଥୀ ହଳଧର କପେଙ୍କ ଅପହରଣ ଓ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଛି। ଏତଲା ଦେବାର ଦୀର୍ଘ ୬ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀ ଙ୍କୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି, ଏହା ଏକ ରାଜନୈତିକ ହିଂସା କାଣ୍ଡ, ଅପରାଧୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଭାଜପା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ୟାମଲ ସୋନାନୀ, ମାଣିକ ଲାଲ ଚକ୍ରବର୍ତୀ,ସଞ୍ଜୟ ସରକାର, ବାଲଜି ପଡେଲ, ଜଳନ୍ଧର ନାୟକ, ହଳଧର କପେ, ସନ୍ତୋସିନୀ ପାତ୍ର, ବାଣୀ କର୍ତୁଲ, ଦ୍ରୋପଦୀ ପଟ୍ଟନାୟକ ପ୍ରମୁଖ ବିଜେପି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଗତ ୩୦ତାରିଖ ଭୋର୍‌ ସମୟରେ ମାଥିଲି ବ୍ଲକ୍‌ ନାୟକଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖଇରାପାଲ୍ଲୀ ଗାଁରୁ ମତଦାନ ପାଇଁ ଭାଜପା ସମର୍ଥିତ ପ୍ରାର୍ଥୀ ହଳଧର କପେ ବାଇକ୍‌ ଯୋଗେ ବାହାରିଥିଲେ। ମାଲକାନଗିରି ଯିବା ରାସ୍ତାରେ ଗୋଟିଏ ପୋଲ ନିକଟରୁ ଗୋଟିଏ ବାଇକ୍‌ରେ ଦୁଇ ଜଣ ଅଜଣା ଯୁବକ ତାଙ୍କୁ ପିଛା କରିଥିଲେ। କିଛିଦୂର ଅତିକ୍ରମ କରିବା ପରେ ଆଉ ଗୋଟିଏ ବାଇକ୍‌ରେ ଦୁଇ ଜଣ ଯୁବକ ସେମାନଙ୍କ ସହ ସାମିଲ୍‌ ହୋଇଥିଲେ। ନିଛାଟିଆ ସ୍ଥାନରେ ଆଉ ଗୋଟିଏ ବାଇକ୍‌ରେ ଦୁଇ ଜଣ ଯୁବକ ପହଞ୍ଚିବା ପରେ ୬ଜଣ ଯୁବକ ମୁହଁରେ ମୁଖାପିନ୍ଧି ତାଙ୍କୁ ଚାରିପଟୁ ଘେରି ଯାଇଥିଲେ। ତାଙ୍କ ମହଁକୁ କଳା କପଡ଼ାରେ ଘୋଡ଼ାଇ ଦେଇ ମାଡ଼ ମାରିବାରୁ ସେ ଚେତା ହରାଇଥିଲେ। ଘଞ୍ଚ ଜଙ୍ଗଲରେ ଚେତା ଫେରିବାବେଳକୁ ଅପହରଣ କରିଥିବା ସେହି ୬ଜଣ ଯୁବକ ତାଙ୍କ ଆଖପାଖରେ ଥିଲେ। କେସିସି ବ୍ୟାଙ୍କ ନିର୍ବାଚନ ସଂପର୍କରେ ଦୁର୍ବୃତ୍ତମାନେ ପଚରାଉଚୁରା କରି ନିସ୍ତୁକ ମାଡ଼ ମାରିଥିଲେ। ଛାଡ଼ି ଦେବାକୁ ବାରମ୍ବାର ନେହୁରା ହୋଇଥିଲେ ସୁଦ୍ଧା ମତଦାନ ନ ସରିବା ପର୍ଯ୍ୟନ୍ତ ଛାଡ଼ିବେ ନାହିଁ ବୋଲି ଦୁର୍ବୃତ୍ତମାନେ କହିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ତାଙ୍କୁ ଲଣ୍ଡା କରିବା ପରେ ଦୁର୍ବୃତ୍ତମାନେ ଏ ସମ୍ପର୍କରେ ପୁଲିସ କିମ୍ବା ଅନ୍ୟକାହାକୁ ଜଣାଇଲେ ଜୀବନରୁ ମାରିଦେବେ ବୋଲି ତାଙ୍କୁ ଧମକ ଦେଇ ଛାଡ଼ି ଦେଇଥିବା ହଳଧର କପେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସେ ଭୟଭୀତ ହୋଇ ଯାଇଥିଲେ ଯେ ମୁହଁ ଖୋଲିବାକୁ ସାହସ କରି ପାରିନଥିଲେ। ସେହିପରି ନିର୍ବାଚନ ପୂର୍ବରୁ ଶାସକ ଦଳର କିଛି ନେତା ତାଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ସେ ମନା କରିବାରୁ ତାଙ୍କୁ ଧମକ ଦିଆଯାଇଥିଲା ବୋଲି ହଳଧର ପୁଲିସକୁ କହିଛନ୍ତି। ସୂଚନା ଯୋଗ୍ୟଯେ କେସିସି ବ୍ୟାଙ୍କର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ୮ନମ୍ବର ଜୋନ୍‌ ପାଇଁ ଗତ ୩୦ତାରିଖ ଦିନ ନିର୍ବାଚନ ହୋଇଥିଲା। ୮ନମ୍ବର ଜୋନ୍‌ ନିର୍ଦ୍ଦେଶକ ପଦବି ନିମନ୍ତେ ବିଜେଡି ସମର୍ଥିତ ଗୋପୀ ପାଙ୍ଗି ଏବଂ ଭାଜପା ସମର୍ଥିତ ହଳଧର କୋପେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥୀ ହଳଧର କୋପେଙ୍କୁ ଅପହରଣ କରି ନିଆଯାଇଥିବାରୁ ସେ ଭୋଟ୍‌ ଦେଇ ପାରିନଥିଲେ।

Leave A Reply

Your email address will not be published.