ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ

ନୟାଗଡ଼ : ନୟାଗଡ଼ ଛେନାପୋଡ ବିଶ୍ୱରେ ବେଶ୍ ପ୍ରସିଦ୍ଧି ଲାଭ କରିଛି ତାହା ସମସ୍ତେ ଭଲଭାବେ ଜାଣନ୍ତି । ଆମ ଓଡ଼ିଶାରେ ପ୍ରଭୁ ଶ୍ରୀଜଗନ୍ନାଥ ଯେମିତି ଖାଦ୍ୟପ୍ରିୟ ସେହିଭଳି ଆମ ଓଡ଼ିଆମାନେ ବାରମାସରେ ତେରପର୍ବ ସାଙ୍ଗକୁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଭଗବାନଙ୍କ ପାଖରେ ଅର୍ପଣ କରିବା ସହିତ ନିଜେ ଖାଆନ୍ତି ଓ ଅନ୍ୟମାନଙ୍କୁ ଖୁଆନ୍ତି ମଧ୍ୟ । ବିଭିନ୍ନ ବ୍ୟଞ୍ଜନମାନଙ୍କ ମଧ୍ୟରେ ଛେନାପୋଡ଼ର ସ୍ୱାଦ ନିଆରା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ମିଠାର ଚାହିଦା ରହିଥିବା ବେଳେ ନୟାଗଡ଼ ଛେନାପୋଡ଼ର ସ୍ୱତନ୍ତ୍ର ଚାହିଦା ରହିଛି । ୧୯୪୬ ମସିହାରେ ଛେନାପୋଡ଼କୁ ପ୍ରଥମେ ବିଦ୍ୟାଧର ସାହୁ ତିଆରି କରିଥିଲେ ବୋଲି ଆମ ପୂର୍ବଜମାନେ କୁହନ୍ତି । ବିଦ୍ୟାଧର ସାହୁ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ୍ ସାତପାଟଣା ଗାଁରେ ପ୍ରଥମେ ଏକ ଛୋଟିଆ ଜଳଖିଆ ଦୋକାନ କରିଥିଲେ । ସେ ଦୋକାନରେ ଦିନେ ଛେନାରୁ ମିଠା ପ୍ରସ୍ତୁତ କରୁଥିଲା ବେଳେ କିଛି ଛେନା ବଳକା ରହିଯାଇଥିଲା । ଯାହାଫଳରେ ବିଦ୍ୟାଧର ସେଥିରେ କିଛି ଚାଉଳଚୁନା, ଗୋଲମରିଚ, ଗୁଜୁରାତି ଓ ଚିନି ଦେଇ ପୋଡ଼ପିଠା ପ୍ରସ୍ତୁତ କରିଥିଲେ । ପ୍ରଥମକରି ଯେହେତୁ ପୋଡ଼ପିଠାଟି ପ୍ରସ୍ତୁତ ହୋଇଥିଲା ତାହାର ଭାଗମାପ ଠିକ୍ ନଥିଲେ ହେଁ ତାହା ଖାଇବାକୁ ଓ ଦେଖିବାକୁ ବହୁତ ସୁନ୍ଦର ଥିଲ । ପରବର୍ତ୍ତୀ ସମୟରେ ବିଦ୍ୟାଧର ସାହୁଙ୍କ ପୁଅ ସୁଦର୍ଶନ ସାହୁ ଦଶପଲ୍ଲା ସାତପାଟଣାରୁ ନୟାଗଡ଼ ଆସି କଚେରି ବଜାରରେ ଏକ ଜଳଖିଆ ଦୋକାନ ଦେଇ ସେଠାରେ ଛେନାପୋଡ଼ ପିଠାରୁ ଛେନାପୋଡ଼ ପ୍ରସ୍ତୁତ କରିଥିଲେ । ଯେହେତୁ ସୁଦର୍ଶନ ପ୍ରଥମେ ଛେନାପୋଡ଼ ପ୍ରସ୍ତୁତ କରିଥିଲେ ତାଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଏ । ଧିରେଧିରେ ଏହି ଛେନାପୋଡ଼ର ଚାହିଦା ବଢିବା ସାଙ୍ଗକୁ ଲୋକମାନେ ଖାଇବାକୁ ଭାରି ପସନ୍ଦ କଲେ । ଏବେ ନୟାଗଡ଼କୁ ଯିଏ ଆସୁଛି ପ୍ରଥମେ ଛେନାପୋଡ଼କୁ ଖୋଜୁଛି । ଛେନାପୋଡର ପ୍ରତିଷ୍ଠାତା ସୁଦର୍ଶନ ସାହୁଙ୍କର ସାନପୁଅ ସୁମନ କୁମାର ସାହୁଙ୍କ ମୁହଁରୁ ଏବେ ବି ଶୁଣିବାକୁ ମିଳୁଛି ତାଙ୍କ ଜେଜେବାପା ବିଦ୍ୟାଧର ସାହୁଙ୍କର ପ୍ରଥମ ଛେନାପୋଡ଼ପିଠା ପ୍ରସ୍ତୁତି ପ୍ରଣାଳୀ ଓ ଧିରେ ଧିରେ ଛେନାପୋଡ଼ର ପ୍ରସିଦ୍ଧି ଲାଭକରିଥିବାରୁ ସେ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.