ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏକ ଛଳନା: ଜୟନାରାୟଣ ମିଶ୍ର

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ
ପଦ୍ମପୁର/ଭୁବନେଶ୍ୱର, ତା.୧୬/୧୧: ବରଗଡ ଜିଲ୍ଲାରେ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇ ଥିବା ତୃଟିପୂର୍ଣ୍ଣ ଅମଳ ପରୀକ୍ଷା ଉପରେ ଧର୍ମେନ୍ଦ୍ର ପ୍ରଧାନ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବରଗଡ ଜିଲ୍ଲା ପଦ୍ମପୁରର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାରାଶି ପାଇବା ସହ ଓଡ଼ିଶାର ଚାଷୀମାନେ ରାଜ୍ୟ ସରକାରଙ୍କ ଚକ୍ରାନ୍ତରୁ ମୁକ୍ତି ପାଇଛନ୍ତି । ପଦ୍ମପୁରର ଚାଷୀମାନଙ୍କ ସମସ୍ୟାକୁ ସମାଧାନ କରିଥିବାରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ରାଜ୍ୟ ସରକାର ଚାହୁଁଥିଲେ ଚାଷୀମାନେ ସେମାନଙ୍କର ଫସଲବୀମା ନପାଆନ୍ତୁ ସେଥିପାଇଁ ସେମାନେ କ୍ରପ କଟିଙ୍ଗ ରିପୋର୍ଟରେ ଜାଣିଶୁଣି ଫସଲ କ୍ଷତିକୁ କମ୍ କରୁଥିଲେ, ଟେକନିକାଲ ଆଡଭାଇଜରି କମିଟି କରିନଥିଲେ । ଏବେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଚାଷୀମାନେ କ୍ଷତିପୂରଣ ରାଶି ପାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରକୃଷିମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବୀମା କମ୍ପାନୀଙ୍କ ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ କିଭଳି ଚାଷୀମାନଙ୍କର ଫସଲ କ୍ଷତିକୁ କମ୍ କରିଦେଇଛନ୍ତି ଏହା ଉପରେ ଚାଷୀମାନଙ୍କର ଥିବା ଅଭିଯୋଗ ଉପରେ ତଦନ୍ତ ଦାବି କରିଛନ୍ତି ।

ପଦ୍ମପୁର ଜିଲ୍ଲା ଘୋଷଣା ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ଜୟନାରାୟଣ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ପଶ୍ଚିମଓଡିଶା ଲୋକଙ୍କୁ ମିଛ କୁହନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କର ପ୍ରତିଶ୍ରୁତି କୁଆଡେ ଗଲା । ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ଅନେକ ବର୍ଷର ପୁରୁଣା ଦାବି । ଏନେଇ ବିଜେପି ମଧ୍ୟ ଅନେକ ଦିନ ଧରି ଆନ୍ଦୋଳନରେ ସାମିଲ ଅଛି । ଆଜି ହଠାତ୍ ପଦ୍ମପୁର ଉପନିର୍ବାଚନକୁ ଦେଖି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏକ ଛଳନା । ଯେଉଁ ରାଜ୍ୟ ସରକାର ପଦ୍ମପୁରକୁ ସବ୍‌ଡିଭିଜନ ଘୋଷଣା କରିବା ପାଇଁ ରାଜି ନଥିଲେ ସେମାନେ ଆଜି ଜିଲ୍ଲା ଘୋଷଣା କଥା କହି ପଦ୍ମପୁରବାସୀଙ୍କୁ କେବଳ ଛଳନା ଓ ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ ଓ ବରଗଡ ଜିଲ୍ଲା ସଭାପତି ଶ୍ରୀ ଅଶ୍ୱିନୀ ଷଡଙ୍ଗୀ ଉପସ୍ତିତ ଥିଲେ ।

Leave A Reply

Your email address will not be published.