mobile header

ଭିକାରିଙ୍କ ବଦାନ୍ୟତା: ଜଗନାଥ ମନ୍ଦିର କମିଟିକୁ ଦେଲେ ୧ ଲକ୍ଷ

ଫୁଲବାଣୀ, ୧୬/୧୨: ନାଁ ତାଙ୍କର ତୁଳା ବେହେରା l ବୟସ ସତୁରି ଟପିଲାଣି l ନାଁ ଯେମିତି ତୁଳା ମନ ଓ ହୃଦୟ ମଧ୍ୟ ତୁଳା ପରି ନରମ l ତୁଳାଙ୍କ ସ୍ୱାମୀ ପ୍ରଫୁଲ୍ଲ ବେହେରା କୋଡିଏ ବର୍ଷ ତଳୁ ଆରପାରିକୁ ଚାଲି ଗଲେଣି l ତୁଳାଙ୍କ କେହି ସନ୍ତାନ ସନ୍ତତି ନାହାଁନ୍ତି l ଭିକ୍ଷl ବୃତ୍ତି କରି ଚଳୁଥିଲେ l ବିଶେଷ କରି ଜଗନାଥ ମନ୍ଦିର, ଶିବ ମନ୍ଦିର ଓ ବେଳେ ବେଳେ ସିରିଡ଼ି ସାଇ ମନ୍ଦିର ପରିସରରେ ବସନ୍ତି l ଯାହା ଆଦାୟ ହୁଏ ସେଥିରେ ସେ ଚଳିବା ସହ ବାକି ଟଙ୍କା ବ୍ୟାଙ୍କରେ ବାନ୍ଧୁଥିଲେl ବ୍ୟାଙ୍କରେ ତାଙ୍କର ୧ ଲକ୍ଷ କୋଡିଏ ହଜାର ଥିଲା ଆଉ ସେ ଏହି ଅର୍ଥରୁ ୧ ଲକ୍ଷ ଟଙ୍କା ଆଜି ସ୍ଥାନୀୟ ଜଗନାଥ ମନ୍ଦିର ପରିଚାଳନା କମିଟିକୁ ସଦସ୍ୟ ମାନଙ୍କ ଉପସ୍ଥିତିରେ ଦେଇ ନିଜର ବଦାନ୍ୟତା ଦେଖାଇବା ସହ ଅନ୍ୟମାନଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି ତୁଳା l ତୁଳାଙ୍କ ଏଭଳି ମନୋଭାବ ନିଶ୍ଚିତ ପ୍ରେରଣା ଦାୟକ ବୋଲି କହିବା ସହ ଅନ୍ୟମାନେ ଏଥିରୁ କିଛି ଶିକ୍ଷା ଲାଭ କରିବା ଉଚିତ ବୋଲି ଜଗନାଥ ମନ୍ଦିର କମିଟି ସଭାପତି ଶୂନା ଶିର ମହାପାତ୍ର ଓ ସମ୍ପାଦକ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା କହିଛନ୍ତି l ମନ୍ଦିର ପରିଚାଳନା କମିଟି ପକ୍ଷରୁ ତୁଳାଙ୍କୁ ଉପଢୌକନ, ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅର୍ଥରେ ମନ୍ଦିର ପରିସରରେ ବାହାରୁ ଆସୁଥିବା ସାଧୁ ସନ୍ଥମାନେ ରହିବା ଲାଗି ଘର ନିର୍ମାଣ କରିବା ଲାଗି ଅନୁରୋଧ କରିଛନ୍ତି l ବଞ୍ଚି ଥିବା ଯାଏ ଆଉ କିଛି ସଞ୍ଚୟ କରି ଅର୍ଥ ଦେବେ ବୋଲି କହିଛନ୍ତି l ସେହିପରି ମନ୍ଦିର କମିଟି ମଧ୍ୟ ମୃତ୍ୟୁ ପର୍ଯ୍ୟନ୍ତ ତୁଳାଙ୍କ ଖାଇବା ପିଇବା, ରହିବା ସହ ସମସ୍ତ ଦାୟିତ୍ୱ ବହନ କରିବ ବୋଲି କହିଛି l ସେହିପରି ଦୁର୍ଗା ନାମକ ଅନ୍ୟ ଜଣେ ଭିକ୍ଷା ବୃତ୍ତି କରି ଚଳୁ ଥିବା ମହିଳା ମୃତ୍ୟୁ ବେଳେ ପାଖରେ ରଖିଥିବା ପାଞ୍ଚ ହଜାର ଟଙ୍କା ଜଗନାଥ ମନ୍ଦିରକୁ ଦେବା ଲାଗି ଜଣେ ବ୍ୟବସାୟୀଙ୍କୁ ଦେଇଥିଲେ ସେ ଅର୍ଥ ମଧ୍ୟ ବ୍ୟବସାୟୀ ଜଣଙ୍କ ଆଜି ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅଜୟ କୁମାର ସିଂହ, ଶିବ ପ୍ରସାଦ ତ୍ରିପାଠୀ, ରଜତ ମହାନ୍ତି, ଚନ୍ଦ୍ରଶେଖର ପରିଡା, ଶୀଧେ ସ୍ୱର ଦାସଙ୍କ ସମେତ ବହୁ ଗଣ ମାଧ୍ୟମ ପ୍ରତିନିଧି ଓ ଜଗନାଥ ପ୍ରେମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.