mobile header

ସାରା ବିଶ୍ଵର ଓଡ଼ିଆ ଏକଜୁଟ ହେବାକୁ ଆହ୍ବାନ

ୱାର୍ଲଡ୍ ଓଡ଼ିଶା ସୋସାଇଟିର ଦିଲ୍ଲୀରେ ବନ୍ଧୁ ମିଳନ

ନୂଆଦିଲ୍ଲୀ, ତା ୨୮/୧୨ ସାରା ବିଶ୍ଵରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ)ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଆହ୍ବାନ ଜଣାଇଛନ୍ତି। ନୂଆବର୍ଷର ଅବ୍ୟବହିତ ପୂର୍ବରୁ ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ଆୟୋଜିତ ଏକ ବନ୍ଧୁ ମିଳନରେ ପୌରହିତ୍ୟ କରି ଶ୍ରୀ ଦ୍ବିବେଦୀ ଓଡ଼ିଶା ବାହାରେ ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ଏବଂ ସହରରେ ତଥା ପୃଥିବୀର ବିଭିନ୍ନ ଦେଶରେ ଅବସ୍ଥାନ କରୁଥିବା ଓଡ଼ିଆ ମାନେ ନିଜ ମାତୃପ୍ରଦେଶ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସମର୍ପିତ ସେବା ଓ ସମୁଚିତ ସମ୍ବଳ ପ୍ରଦାନ କରିବାକୁ ନିବେଦନ ଜଣାଇଥିଲେ। ଦିଲ୍ଲୀର ପ୍ରେସ କ୍ଳବ ଅଫ ଇଣ୍ଡିଆ ପରିସରରେ ଅନୁଷ୍ଠିତ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଆମେରିକା ଠାରୁ ଅଷ୍ଟ୍ରେଲିଆ ଯାଏ ପ୍ରାୟ ୬୪ଟି ଦେଶରେ ଥିବା ପ୍ରବାସୀ ଓଡ଼ିଆ ନେତୃତ୍ୱ ଆଭାସୀ ଜରିଆରେ ଯୋଡି ହୋଇଥିବା ବେଳେ ଦେଶ ଓ ଦେଶ ବାହାରର ପ୍ରବାସୀ ଓଡ଼ିଆ ଅନୁଷ୍ଠାନମାନଙ୍କର ବରିଷ୍ଠ ପଦାଧିକାରୀ ଏବଂ ନୂଆଦିଲ୍ଲୀସ୍ଥିତ ପ୍ରବାସୀ ସଂଗଠନ ଓ ରାଜ୍ୟର କୋଣ ଅନୁକୋଣରେ ଥିବା ଶତାଧିକ ଶୁଭେଚ୍ଛୁ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିଥିଲେ।

ପ୍ରାରମ୍ଭରେ ଦେବାଶିଷ ଶତପଥୀଙ୍କ ଦ୍ୱାରା ମହାଭାରତରୁ ସୁପରିଚାଳନା ଶିକ୍ଷା ସଂକ୍ରାନ୍ତିୟ ଆଧ୍ୟାତ୍ମିକ ଚର୍ଚ୍ଚା ଏବଂ ୱାଓସୋର ପରିବେଶ ସାଧାରଣ ସଂପାଦକ ରାମକୃଷ୍ଣ ଦାଶଙ୍କ ଦ୍ୱାରା କପିଳାସସ୍ଥିତ ୱାଲ୍ଡେନଉଡସ୍ ଇକୋ ଗ୍ରାମ ଉପରେ ପାୱାର ପଏଣ୍ଟ ଜରିଆରେ ଉପାଦେୟ ତଥ୍ୟ ଉପସ୍ଥାପନ କରାଯାଇଥିଲା।

ଏହି ସମାବେଶରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସୁନାମଧନ୍ୟ ସାହିତ୍ୟିକ ଦାଶ ବେନହୁର ଓଡ଼ିଶାର ସ୍ବାର୍ଥ ସୁରକ୍ଷା ପାଇଁ ୱାର୍ଲଡ୍ ଓଡ଼ିଶା ସୋସାଇଟି ତରଫରୁ ବିଶ୍ୱସ୍ତରରେ ଗମ୍ଭୀର ପ୍ରୟାସ କରାଯାଉଥିବାରୁ ସନ୍ତୋଷ ପ୍ରକଟ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ ପାଇଁ ଉଦ୍ୟମ ଆରମ୍ଭ କରାଯିବା ଲାଗି ଦାଶ ବେନହୁର ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ୱାର୍ଲଡ ଓଡ଼ିଶା ସୋସାଇଟିର ଉପଦେଷ୍ଟା ନଳିନୀ ମହାନ୍ତି ଏବଂ ସଂସ୍ଥାର ମହିଳା ଶାଖାର ସଭାପତି ଡକ୍ଟର ସୁନନ୍ଦା ମିଶ୍ର ପଣ୍ଡା ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସେବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଯଥା ଅକ୍ଷୟ ମହାନ୍ତି, ବଂଶୀଧର ଜେନା, ଲକ୍ଷ୍ମୀପ୍ରିୟା ଦାସ, ସୁଧୀର ଦାଶ, ବିରଜା ମହାପାତ୍ର, ତନ୍ମୟ ପଣ୍ଡା, ସୁନନ୍ଦା ମିଶ୍ର ପଣ୍ଡା, ଦେବାଶିଷ ଶତପଥୀ, ରୀତା ପାତ୍ର, ଭବାନୀ ଶଙ୍କର ତ୍ରିପାଠୀ, ଡକ୍ଟର ଦେବେନ୍ଦ୍ର ମାଝୀ, ପୁଷ୍ପାଞ୍ଜଳି ବାରିକ, ବିମଳ ଭଲ, ଦୀପକ ରଥ, ଅକ୍ଷୟ ସାମଲ, ଗଜେନ୍ଦ୍ର ସାହୁ, ଶୁଭ୍ର ରାୟ, ଦିଲ୍ଲୀପ ତ୍ରିପାଠୀ, ଦିଲ୍ଲୀପ ମହାନ୍ତି, ବିନାୟକ ଦାସ, ସୂର୍ଯ୍ୟନାରାୟଣ ମିଶ୍ର, ଅରୁଣ ମିଶ୍ର, ସନ୍ତୋଷ ରାଉତ, ଏସ ଏସ ଡୋଗ୍ରା, ବିଷ୍ଣୁ ପ୍ରଧାନ, ରାମଚନ୍ଦ୍ର ନାଥ, ଅବନୀ ସାହୁ, ସସ୍ମିତା ତ୍ରିପାଠୀ, ମାନସ ରାଜ ପଟେଲ, ଅଙ୍କିତା ରାଉତ ପଟେଲ, ଉମାକାନ୍ତ ଜେନା, ସ୍ବର୍ଗତ ଗଗନ ଜେନା ଓ ରାଜକୁମାର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅତିଥିମାନେ ବିରଜା ମହାପାତ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ସାଥୀ’ ଓ ଅକ୍ଷୟ ମହାନ୍ତିଙ୍କର ଲୋକପ୍ରିୟ ଗୀତଗୁଡ଼ିକୁ ନେଇ ପ୍ରଫେସର ତନ୍ମୟ ପଣ୍ଡାଙ୍କ ଦ୍ଵାରା କରାଯାଇଥିବା ସଂକଳନ ‘ଗୀତି ମଞ୍ଜରୀ’କୁ ଉନ୍ମୋଚନ କରିଥିଲେ।

ଏହି ଉପଲକ୍ଷେ ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଅରୁଣ ନିଶ୍ଚଳ, ଅନିନ୍ଦିତା ଦାସ, ପୁଷ୍ପାଞ୍ଜଳି ବାରିକ, ସୁଧୀର ଦାଶ, ସନ୍ତୋଷ ରାଉତ ଓ ସୁବୋଧ ପାଢ଼ୀ ପ୍ରମୁଖ ମନଲୋଭା ସଙ୍ଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସୁଦକ୍ଷ ଉପସ୍ଥାପିକା ଅଙ୍କିତା ମହାନ୍ତି ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଞ୍ଚାଳନା କରିଥିଲେ। ଡକ୍ଟର ସୁନନ୍ଦା ମିଶ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ଆୟୋଜନରେ ଇପ୍ସା ପ୍ରତିବିମ୍ୱିତା ଷଡଙ୍ଗୀ ଓ ପ୍ରିୟତମା କର ସହଯୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆମେରିକାରୁ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି, ଗଲ୍ଫ ଓଡ଼ିଆ ଆସୋସିଏସନ ସଭାପତି ଅଜୟ କୁମାର ଦାସ, ଗୁଜୁରାଟରୁ ୱାଓସୋର ପ୍ରେସିଡିୟମ ସଦସ୍ୟ ବଦ୍ରି ମହାପାତ୍ର, ୱାର୍ଲଡ୍ ଓଡ଼ିଶା ସୋସାଇଟି ମିଆଁମାର ଶାଖାର ସଭାପତି ଡକ୍ଟର ଶୀତଳ ପାଲବାବୁ, ଅଷ୍ଟ୍ରେଲିଆରୁ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଉପାଧ୍ୟକ୍ଷ ଡକ୍ଟର ନଳିନୀ ପତି, ସିଙ୍ଗାପୁରରୁ ୱାଓସୋର ଯୁଗ୍ମ ଆନ୍ତର୍ଜାତିକ ସଂଯୋଜକ ବନୋଜିନୀ ନାୟକ ଏବଂ ଦକ୍ଷିଣ କୋରିଆରୁ ୱାଓସୋ ଯୁଗ୍ମ ମହାସଚିବ ଡକ୍ଟର ସିତାଂଶୁ ଶେଖର ନନ୍ଦ ପ୍ରମୁଖ ଅନଲାଇନ୍ ମାଧ୍ୟମରେ ସଭାରେ ଯୋଗ ଦେଇଥିଲେ।

Leave A Reply

Your email address will not be published.