mobile header

ସୋଆ ପ୍ରଫେସର ଏମ୍‌ଆର୍‌ଏସ୍‌ଆଇ ବାର୍ଷିକ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର, ୨୮/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ତଥା ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ଆଇଆଇଟି ଯୋଧପୁର ଠାରେ ନିକଟରେ ଚତୁର୍ଥ ଇଣ୍ଡିଆନ୍ କନ୍‌କ୍ଲେଭ୍ ଆଣ୍ଡ ଇଂଟରନ୍ୟାସ୍‌ନାଲ୍ ୟୁନିୟନ୍ ଅଫ୍ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି- ଇନ୍‌ଟରନ୍ୟାସ୍‌ନାଲ କନ୍‌ଫରେନ୍ସ ଇନ୍ ଏସିଆ କାର୍ଯ୍ୟକ୍ରମରେ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (ଏମ୍‌ଆର୍‌ଏସ୍‌ଆଇ) ବାର୍ଷିକ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିବର୍ତନ କରି ପଦାର୍ଥଗୁଡ଼ିକୁ ପ୍ରସ୍ତୁତ କରିବାରେ ପ୍ରଫେସର ପରିଡ଼ାଙ୍କ ପାରଦର୍ଶିତା ସହ ଶକ୍ତି ସଂଚୟ ଏବଂ ପରିବେଶ ଉପଚାର କ୍ଷେତ୍ରରେ ତାଙ୍କର ବିଚାରମତ ବିଶେଷ ଗୁରୁତ୍ୱ ବହନ କରେ ।

ପ୍ରଫେସର ପରିଡାଙ୍କର ପଦାର୍ଥ ବିଜ୍ଞାନ କ୍ଷେତ୍ରର ବିକାଶରେ ଅନେକ ଅବଦାନ ରହିଥିବା ବେଳେ ଯୁବ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିବାରେ ତାଙ୍କର ବେଶ ଭୂମିକା ରହିଛି । ବିଭିନ୍ନ ଗୁରୁତ୍ୱପୂର୍ଣର୍ ଜର୍ନାଲ୍‌ଗୁଡ଼ିକରେ ତାଙ୍କର ୫୦୦ ରୁ ଅଧିକ ପ୍ରବନ୍ଧ ପ୍ରକାଶିତ ହୋଇଥିବା ବେଳେ ତାଙ୍କର ୩୨ଟି ଭାରତୀୟ ପାଟେଂଟ ଗୃହୀତ ହୋଇସାରିଛି । ତାଙ୍କ ଅଧିନରେ ୫୨ ଜଣ ଗବେଷକ ପିଏଚ୍‌ଡି ଲାଭ କରିସାରିଛନ୍ତି ।

ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିରେ ବର୍ତମାନ ୨୦ ଜଣ ସ୍କଲାର୍ ଆର୍ଟିଫିସିଆଲ୍ ଫଟୋସିନ୍‌ଥେସିସ୍ ଏବଂ ଇଲେକ୍ଟ୍ରୋକ୍ୟାଟାଲିସିସ୍ ସମ୍ବନ୍ଧୀୟ ଆପ୍ଲିକେସନ୍‌ରେ ଗବେଷଣାରତ ଅଛନ୍ତି । ୨୦୨୦ ମସିହାରୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୨ ପ୍ରତିଶତ ବିଶିଷ୍ଟ ବୈଜ୍ଞାନିକଙ୍କ ତାଲିକାରେ ଗତ ୩ ବର୍ଷ ଧରି ପ୍ରଫେସର ପରିଡ଼ାଙ୍କୁ ସ୍ଥାନିତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ପଠାଣି ସାମନ୍ତ ପୁରସ୍କାର ଓ ବିଜ୍ଞାନରେ ଉତ୍କର୍ଷତା ନିମନ୍ତେ ବିଜୁ ପଟ୍ଟନାୟକ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.