ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା- ୨୦୨୩

ଯାଜପୁର: ୨୦୨୩ ମସିହା ପାଇଁ ଯାଜପୁର ଜିଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଶୁକ୍ରବାର ଉପଜିଲାପାଳଙ୍କ କକ୍ଷରେ ଭୋଟର ତାଲିକା-୨୦୨୩ ପ୍ରକାଶ କରାଯାଇଛି। ଉପଜିଲାପାଳ ଏହାକୁ ଲୋକାର୍ପିତ କରିଛନ୍ତି । ସମସ୍ତ ରାଜନୈତିକ ଦଳଙ୍କୁ ଏହି ତାଲିକା ପ୍ରଦାନ କରାଯାଇଛି । ଉତ୍ତମ ଭାବେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଜିଲାରେ ଭୋଟରଙ୍କ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ଘଟିଛି । ଜିଲା ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲାପାଳ ଗୋପିନାଥ କୁଅଁର ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ରାଜନୈତିକ ଦଳମାନଙ୍କର ସହଯୋଗ ଏବଂ ସମନ୍ୱୟ ଯୋଗୁଁ ଏହି ତାଲିକା ପ୍ରକାଶ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ ।

ସୂଚନା ଥାଉ କି, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ଅଧୀନରେ ଜିଲାରେ ଫର୍ମ -୬ ମାଧ୍ୟମରେ ୫୧ ହଜାର ୩୪୪ ଜଣ ଯୋଗ ନିମନ୍ତେ ଆବେଦନ କରିଥିଲେ ଓ ୧୧ ହଜାର ୮୧୮ ଜଣ ତୃଟି ସଂଶୋଧନ ନିମନ୍ତେ ଆବେଦନ କରିଥିଲେ । ଯାଜପୁର ଜିଲାରେ ମୋଟ ୭ ଗୋଟି ନିର୍ବାଚନ ମଣ୍ଡଳୀରେ ୭ ଲକ୍ଷ ୮୧ ହଜାର ୮୧୬ ଜଣ ପୁରୁଷ, ୭ ଲକ୍ଷ ୩୧ ହଜାର ୨୭୯ ଜଣ ମହିଳା ଓ ୬୫ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଛନ୍ତି । ସର୍ବମୋଟ ଭୋଟର ସଂଖ୍ୟା ୧୫ ଲକ୍ଷ ୧୩ ହଜାର ୧୬୦ ଜଣ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ପକ୍ଷରୁ ସୁଦୀପ୍ତ ପଣ୍ଡା, ବିଜେଡି ପକ୍ଷରୁ ରଶ୍ମୀ ରଂଜନ ରାଉତରାୟ, ସିପିଆଇ(ଏମ୍) ପକ୍ଷରୁ ମଳୟ ପଣ୍ଡା , ସିପିଆଇ ପକ୍ଷରୁ ପ୍ରଫୁଲ ନାୟକ, ବିଏସପି ପକ୍ଷରୁ ମନୋଜ ଜେନା, ନିର୍ବାଚନ ପଞ୍ଜିକରଣ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ବସନ୍ତ କୁମାର ସାହୁ ଏବଂ ଅଜୟ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ପ୍ରଜ୍ଞା ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.