ଖୁଣ୍ଟା: ହାଡ଼ଭଙ୍ଗା ଶୀତ । ଶୀତ ଦାଉରୁ ବଞ୍ଚିବା ପାଇଁ ନିଆଁର ଆଶ୍ରୟ ନେଇଥିଲେ । ମାତ୍ର ତାହା ଆଣି ଦେଲା ବିପଦ । ନିଆଁ ପୁହୁଁଥିବା ବେଳେ ଶରୀରରେ ନିଆଁ ଲାଗି ଯିବା ଫଳରେ ଜେନୈକ ବୃଦ୍ଧାଙ୍କ ଅର୍ଦ୍ଧାଧିକ ଶରୀର ପୋଡ଼ି ଗୁରୁତର ହୋଇଥିବା ଜଣାଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ ଭୋଳାଗଡ଼ିଆ ପଞ୍ଚାୟତର ନୂଆଗାଁ ଗ୍ରାମରେ । ସୂଚନା ଅନୁଯାୟୀ, ଖୁଣ୍ଟା ବ୍ଳକ ଅଧିନସ୍ଥ ନୂଆଗାଁ ଗ୍ରାମର ସ୍ଵର୍ଗତ ପରିକ୍ଷିତ ବେହେରାଙ୍କ ପତ୍ନୀ ଗୁରୁବାରୀ (୮୦) ଶନିବାର ପ୍ରାତଃ ସମୟରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ବାହାର ନିଆଁ ଜାଳି ନିକଟରେ ବସିଥିଲେ । ତେବେ କୌଣସି କାରଣରୁ ଗୁରୁବାରୀ ପିନ୍ଧିଥିବା ପୋଷାକ ସହିତ ଶରୀରରେ ନିଆଁ ଲାଗି ଯାଇଥିଲା । ଶରୀରରେ ନିଆଁ ଲାଗିବା ଜାଣି ବୃଦ୍ଧା ଜଣକ ଚିତ୍କାର କରିଥିଲେ । ଚିତ୍କାର ଶୁଣି ପରିବାର ଲୋକେ ଆସି ଗୁରୁବାରୀଙ୍କ ଶରୀରରୁ ନିଆଁ ଲିଭାଇ ଥିଲେ। ନିଆଁ ଲିଭାଉଥିବା ବେଳେ ଗୁରୁବାରୀଙ୍କ ସଂମ୍ପର୍କୀୟ ବିଷ୍ଣୁ ବେହେରା (୨୫)ଙ୍କ ମଧ୍ୟ ହାତ ପାପୁଲି ପୋଡ଼ି ହୋଇଯାଇଥିଲା । ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇଛି । ତେବେ ଗୁରୁବାରୀ ଗୁରୁତର ଥିବା ବେଳେ ତାଙ୍କ ଶରୀରର ଅଣ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ଅଂଶ ପୋଡ଼ି ହୋଇଯାଇଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.