ମାଲ୍ୟବନ୍ତ ମହୋତ୍ସବର ପଲ୍ଲିଶ୍ରୀ ମେଳାରେ ୪.୨୫ କୋଟି ଟଙ୍କାର ବେପାର

ଜିଲ୍ଲା ପ୍ରଶାସନ ଓ ପୁଲିସର ଅହରହ ପରିଶ୍ରମ ମହୋତ୍ସବକୁ ସଫଳ କଲା

ମାଲକାନଗିରି, ୨୦/୧: ମାଲକାନଗିରି ଜିଲ୍ଲାରେ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ-୨୦୨୨ ସମାପ୍ତ ହୋଇଛି। ଚଳିତ ମାସର ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମାଲ୍ୟବନ୍ତ ମହୋତ୍ସବ ସହ ୧୯ ତାରଖ ପର୍ଯ୍ୟନ୍ତ ପଲିଶ୍ରୀ ମେଳା ଚାଲିଥିଲା। ଜିଲ୍ଲା ତଥା ଜିଲ୍ଲା ବାହାରୁ ଏବଂ ପଡୋଶୀ ରାଜ୍ୟରୁ ମାଲ୍ୟବନ୍ତ ମହୋତ୍ସବ ଦେଖିବା ପାଇଁ ଭିଡ ଜମାଇଥିଲେ। ପ୍ରତିଦିନ ହଜାର ହଜାର ଲୋକ ମାଲ୍ୟବନ୍ତ ପଡିଆରେ ରୁଣ୍ଡ ହେଉଥିଲେ। ଚଳିତ ବର୍ଷ ପଲିଶ୍ରୀ ମେଳାରେ ୪.୨୫ କୋଟି ଟଙ୍କାର ବେପାର ହୋଇଥିବା ଜଣାପଡିଛି। ବିଶେଷକରି ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଆଣିଥିବା ବିଭିନ୍ନ ଘରୋଇ କରଣ ଜିନିଷ ଏବଂ ଅନ୍ୟାନ୍ୟ ଘରୋଇ କରଣ ଉପକରଣକୁ ଲୋକେ ପସନ୍ଦ କରିଥିଲେ। ସେହିପରି ସମ୍ବଲପୁରୀ ସାଢୀ, ଡ୍ରେସ ଲୋକେ କିଣୁଥିବା ଦେଖିବାକୁ ମିଳିଥିଲା। ଏପରିକି ଲୋକେ ଫୁଡ ଷ୍ଟଲଗୁଡିକରେ ମଧ୍ୟ ଭିଡ ଜମାଉଥିଲେ। କରୋନା ଯୋଗୁଁ ଦୁଇ ବର୍ଷ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇପାରିନଥିଲା। ଲୋକେ ଏହି ଉତ୍ସବରେ ସାମିଲ ହେବା ପାଇଁ ଦୀର୍ଘ ଦୁଇ ବର୍ଷ ଅପେକ୍ଷା କରି ରହିଥିଲେ। ତେଣୁ ଚଳିତ ବର୍ଷ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ତେବେ ଏହି ଭିଡକୁ ଆୟତ୍ତ କରିବା ପାଇଁ ମାଲକାନଗିରି ପୁଲିସ ସମସ୍ତ ଚେଷ୍ଟା କରିଥିଲା। ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ପୁଲିସ ଦିନରାତି ଏକ କରି ସୁରକ୍ଷା ପ୍ରଦାନ କରୁଥିଲେ। ସମସ୍ତେ ମାଲ୍ୟବନ୍ତ ମହୋତ୍ସବକୁ ଉପଭୋଗ କରୁଥିବା ବେଳେ ପୁଲିସ ନିଜର କର୍ତ୍ତବ୍ୟ କରୁଥିଲେ। ସମସ୍ତଙ୍କର ଇଛା ମାଲ୍ୟବନ୍ତରେ ବୁଲିବା ଏବଂ ପରିବାରକୁ ନେଇ କିଛି ଖରିଦ କରିବା। କିନ୍ତୁ ପୁଲିସ ନିଜର ଦାୟୀତ୍ବକୁ ସୁଚାରୁରୂପେ ପାଳନ କରି ସେସବୁକୁ ପଛରେ ଛାଡି ଦେଇଥିଲେ।ଯେଉଁଥିପାଇଁ ପୁଲିସକୁ ଆଜି ସାଲୁଟ ମରାଯାଉଛି। ୫ ଦିନ ଧରି ସମଗ୍ର ମାଲକାନଗିରିକୁ ଜଗି ରହିଥିଲେ। କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ସର୍ବଦା ସଜାଗ ରହୁଥିବା ଦେଖିବାକୁ ମିଳିଥିଲା। ନିଜେ ଏସପି ନିତୀଶ ଵାଧଵାନୀ ଏହାର ନେତୃତ୍ବ ନେଉଥିଲେ। ସେ ୫ ଦିନ ଯାକ ମାଲ୍ୟବନ୍ତ ପଡିଆରେ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଥିଲେ। ସେହିପରି ଜିଲ୍ଲା ପ୍ରଶାସନର ସମସ୍ତ ଛୋଟ ବଡ କର୍ମଚାରୀ ଏହି ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ଆହରହ ପରିଶ୍ରମ କରୁଥିବା ଦେଖିବାକୁ ମିଳିଥିଲିା। ଯେଉଁଥିପାଇଁ ଆଜି ଏହା ସଫଳ ହୋଇପାରିଛି। ପଲିଶ୍ରୀ ମେଳାରେ ଭଲ ପ୍ରଦର୍ଶନ କରିଥିବା ବ୍ୟବସାୟୀ ଏବଂ ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜିନିଷଗୁଡିକର ଭଲ ପ୍ରଦର୍ଶନ କରିଥିବା କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳର ଜୟ ଜଗନ୍ନାଥ ଗ୍ରୁପକୁ ପୁରସ୍କୃତ କରାଯାଇଥିବା ବେଳେ ୭.୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ସୋନପୁରର ସୁବର୍ଣ୍ଣଶ୍ରୀ ପ୍ରଡୁସର କମ୍ପାନୀକୁ ପୁରସ୍କୃତ କରାଯାଇଥିଲା। ସେହିପରି ବେଷ୍ଟ ଇନରପ୍ରେନର ଭାବେ ମାଲକାନଗିରିର ଏଲଇଡି ବ୍ୟବସାୟୀ ବିକାଶ ମଣ୍ଡଳଙ୍କୁ ପୁରସ୍କୃତ କରାଯାଇଥିଲା। ମାଣ୍ଡିଆରେ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ସହ ଲୋକଙ୍କୁ ଆକୃଷ୍ଟ କଲାଭଳି ଜିନିଷ ପ୍ରସ୍ତୁତ କରିଥିବା ମାଥିଲିର ମା ନଡିଆରାଣୀ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା। ମାଲ୍ୟବନ୍ତ ମହୋତ୍ସବକୁ ସରସ ସୁନ୍ଦର କରିବାରେ ବହୁ ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସେଥିମଧ୍ୟରୁ ମାଲ୍ୟବନ୍ତ ପଡିଆରେ ସଲଫି ପଏଣ୍ଟ କରିଥିବା କୋରାପୁଟର ୟୁସୁଫ ଖାନ, ଫଟୋ ଓ ଭିଡିଓ ଡକୁମେଣ୍ଟେସନ କରିବାରେ ଜୟପୁରର ମନୋଜ ଡିଜିଟାଲ, ସିସି କ୍ୟାମେରା ପାଇଁ ଜୟପୁରର ନୀରଜ, ପଲିଶ୍ରୀ ମେଳାରେ ଗ୍ରୀନ ସେଡ ପକାଇବା ପାଇଁ ମାଲକାନଗିରିର ଗ୍ରାମାଞ୍ଚଳ ପ୍ରଡୁସେର କମ୍ପାନୀ ଏବଂ ମାଲ୍ୟବନ୍ତ ପଡିଆରେ ପଲିଶ୍ରୀ ମେଳା ପାଇଁ ଷ୍ଟଲ ନିର୍ମାଣ କରିବାରେ ପ୍ରତାପ ଟେଣ୍ଟ ହାଉସକୁ ପୁରସ୍କୃତ କରାଯାଇଥିଲା।ତେବେ ଚଳିତ ବର୍ଷ ସଫଳତାର ସହ ସମସ୍ତ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝିଙ୍କ କାର୍ଯ୍ୟକୁ ଭୃୟସୀ ପ୍ରଶଂସା କରାଯାଇଥିଲା। ତେବେ ଏହି ମହୋତ୍ସବରେ ପୁସ୍ତକ ମେଳା, ମୁକ୍କା କାବାସିଙ୍କ ବାଲୁକା କଳା, ମଣ୍ଟୁ ଛୁରିଆ ଓ ଅସିମା ପଣ୍ଡାଙ୍କ ଧମାକା ଲୋକଙ୍କୁ ମାଲନ୍ୟବନ୍ତ ମହୋତ୍ସବରେ ଆସିବାକୁ ବାଧ୍ୟ କରିଥିଲା।

Leave A Reply

Your email address will not be published.