ଭୁବନେଶ୍ୱର/ନୂଆଦିଲ୍ଲୀ ୨୧/୧/୨୦୨୩: ଓଡ଼ିଆ ସଂଗୀତ ଜଗତର ପ୍ରବାଦପୁରୁଷ ପ୍ରଣବ ପଟ୍ଟନାୟକଙ୍କର ୮୫ତମ ଜନ୍ମ ଦିବସ ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆଭାସି ମଞ୍ଚରେ ପାଳନ କରାଯାଇଛି।
ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କର ପୌରହିତ୍ୟରେ ଭାରତୀୟ ସମୟ ଅନୁଯାୟୀ ଜାନୁୟାରୀ ୨୦ ଓ ୨୧ ତାରିଖର ମଧ୍ୟରାତ୍ରରେ ଆୟୋଜିତ ଏହି ଉତ୍ସବରେ ସାରା ପୃଥିବୀର ୱାଓସୋର ସଦସ୍ୟ ଓ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ। ଏଥିମଧ୍ୟରେ ରହିଥିବା ଶ୍ରୀ ପଟ୍ଟନାୟକ ଙ୍କର ବହୁ ପ୍ରଶଂସକ ଓ ଅନୁଗାମୀ, ସଂଗୀତ ମାଧ୍ୟମରେ ତାଙ୍କୁ ଜନ୍ମ ଦିନର ଭେଟି ପ୍ରଦାନ କରିଥିଲେ। “ହେ ଆତ୍ମନ ନିଦ୍ରା ପରିହରି.., ମା ତୁମେ ଜଗତର ସାହା ଭରସା.., ମାଝିରେ କରିଦେ ପାରି.. ଆଦି ଶ୍ରୀ ପଟ୍ଟନାୟକଙ୍କର ଚୀରସବୁଜ, ସଦା ଅଭୁଲା ଅଜସ୍ର ଲୋକପ୍ରିୟ ସଂଗୀତ ଗୁଡ଼ିକ ଗାୟନ ହେଉଥିବା ବେଳେ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନା ଦେଖିବାକୁ ମିଳିଥିଲା।
ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରି ୱାଓସୋର ଅଧକ୍ଷ କିଶୋର ଦ୍ବିବେଦୀ ,ପ୍ରଣବ ପଟ୍ଟନାୟକଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ ଗାୟକ ବୋଲି ବର୍ଣ୍ଣନା କରିଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ କାଳ ଧରି ସେ ଯେଉଁପରି ଓଡ଼ିଆ ସଂଗୀତ ଦୁନିଆରେ ଛାଇ ହୋଇ ରହିଛନ୍ତି , ତାହା ଅତୁଳନୀୟ ଓ ଅଭୂତପୂର୍ବ ବୋଲି ଶ୍ରୀ ଦ୍ବିବେଦୀ ସୁଚାଇଥିଲେ।ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପ୍ରଣବ ପଟ୍ଟନାୟକ ଙ୍କର ଧର୍ମପତ୍ନୀ କସ୍ତୁରୀକା ପଟ୍ଟନାୟକ, ଶ୍ରୋତା ମାନଙ୍କର ଶ୍ରଦ୍ଧା ଓ ସମ୍ମାନ ହିଁ ଜଣେ ଗାୟକ ର ମୁଖ୍ୟ ପୁଞ୍ଜି ବୋଲି କହି ଜନ୍ମଦିନର ବିପୁଳ ଅଭିନନ୍ଦନ ପାଇଁ ୱାଓସୋର ସଦସ୍ୟ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ୱାଓସୋର ପ୍ରତିଷ୍ଠାତ୍ରୀ ଡ଼.ଅରୁନ୍ଧତୀ ଦେବୀ, ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କର ଅମ୍ଳାନ ପ୍ରତିଭା, ଉତ୍କୃଷ୍ଟ ପାରଦର୍ଶିତା ଏବଂ ଉତ୍ତୁଙ୍ଗ ସୃଜନଶୀଳତାର ପଟ୍ଟାନ୍ତର ନାହିଁ ବୋଲି କହିଥିଲେ।
ସଭା ଆରମ୍ଭରେ ୱାଓସୋର ଆତ୍ନର୍ଜାତିକ ଆବାହକ ଏବଂ ରୁଷ ଓଡ଼ିଆ ସମାଜ ର ସଭାପତି ସନ୍ତୋଷ ମିଶ୍ର,ପ୍ରଣବ ପଟ୍ଟନାୟକଙ୍କର କାଳଜୟୀ ସଂଗୀତ, “ଇନ୍ଦ୍ରଧନୁର ସପ୍ତରଙ୍ଗ” ଗାୟନ କରି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ। ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିବା ଅନ୍ୟ ବିଶିଷ୍ଟବ୍ୟକ୍ତି ମାନଙ୍କ ମଧ୍ୟରେ ଆମେରିକା ରୁ ୱାଓସୋର ଉପଦେଷ୍ଟା ଧୀରେନ୍ଦ୍ର କର, ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି, ଅଷ୍ଟ୍ରେଲିଆ ରୁ ୱାଓସୋ ଉପାଧ୍ୟକ୍ଷ ଡ଼. ନଳିନୀ ପତି,ବରଦା ପ୍ରସନ୍ନ ଦାସ , ଅଭିଜୀତ ମଜୁମଦାର, ପୁଷ୍ପାଞ୍ଜଳି ବାରିକ, ଶ୍ରୀମନ୍ତ ବିଶ୍ୱାଳ, ରୀତା ପାତ୍ର ଓ କ୍ଷୀରାବ୍ଦୀତନୟା ଜେନା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ୱାଓସୋର ସାଂସ୍କୃତିକ ବିଭାଗର ସାଧାରଣ ସମ୍ପାଦକ କାବେରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଲଣ୍ଡନରୁ ଡ଼.ଜୟଶ୍ରୀ ନନ୍ଦ, ଆୟର୍ଲ୍ୟାଣ୍ଡ ରୁ ଶ୍ରୀମାରାଣୀ ଦାସ, ହୃଦାନନ୍ଦ ପୃଷ୍ଟି, କୃପାନିଧି ବିଶ୍ୱାଳ, ଶ୍ୱେତାଙ୍କ ରାଜଗୁରୁ, ସଞ୍ଜୟ କୁମାର ପଣ୍ଡା, ଅନୀସ ପୂଜା ପଣ୍ଡା, ଆଶିଷ କୁମାର ଦାଶ ଓ ଉମାକାନ୍ତ ଜେନା ପ୍ରମୁଖ ସାମିଲ ଥିଲେ। ୱାଓସୋର ଯୁବଶାଖା ର ସଦସ୍ୟ ନନ୍ଦନ ଦ୍ବିବେଦୀ ଡିଜିଟାଲ କକ୍ଷ କୁ ନିୟନ୍ତ୍ରଣ କରିଥିଲେ।