କାଲିମେଳା, ତା ୨୧/୧: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ଼ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ମାନ୍ୟମକୋଣ୍ଡା ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ତିନି ବର୍ଷ କୁ ଥରେ ଅନୁଷ୍ଠିତ ଏହି ବଡ଼ ଯାତ୍ରା ପାଇଁ ମାନ୍ୟମକୋଣ୍ଡା ବଡ଼ ଯାତ୍ରା କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ହରି ଗୋଲରୀ ପ୍ରସ୍ତୁତି ବୈଠକର ଆହ୍ୱାନ କରିଥିଲେ । ଏଥିରେ ସ୍ଥାନୀୟ ପ୍ରଶାସନ ଅଧିକାରୀ, ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ନେତା, ଜନସାଧାରଣ ଯୋଗଦେଇ ଚଳିତ ବର୍ଷ ୨୦୨୩ ବଡ଼ ଯାତ୍ରାର ରୂପରେଖ ଦେବାପାଇଁ ସୂଚିନ୍ତିତ ମତାମତ ରଖିଥିଲେ । ଶ୍ରୀଶ୍ରୀଶ୍ରୀ କାନାମରାଜ, ବାଲରାଜ, ପୋତରାଜ ଓ ମୁତ୍ୟେଲୁଆମ୍ମା ଠାକୁରଙ୍କ ବଡ଼ ଯାତ୍ରା ଆସନ୍ତା ତା ୦୭.୦୨.୨୩ ରିଖ ଠାରୁ ତା ୦୭.୦୩.୨୩ ରିଖ ପଯ୍ୟନ୍ତ ଅନୁଷ୍ଠିତ ହେବ । ମାନ୍ୟମକୋଣ୍ଡା ଜଙ୍ଗଲ ଗୁମ୍ଫା ତଥା ଆବିର୍ଭାବ ସ୍ଥଳରୁ ଠାକୁର ସ୍ବତନ୍ତ୍ର ବିମାନରେ ବାହାରି ସୀମାନ୍ତ ଆନ୍ଧ୍ର ପ୍ରଦେଶର ପୋଲୁରୁ ଘଞ୍ଚ ଜଙ୍ଗଲ ନିକଟ ଜଳାଶୟ ଠାରେ ଯିବେ । ସେଠାରେ ସ୍ନାନ ସାରି ବିଭିନ୍ନ ସ୍ଥାନରେ ରହଣି କରି ମାଲକାନଗିରି ସଦରକୁ ପହଞ୍ଚିବେ । ବିଶାଳ ଜନସମାଗମରେ ସୀମାନ୍ତ ଆନ୍ଧ୍ର ପୋଲୁରୁ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ପ୍ରାୟ ୭୦ କିମି ଦୂର ପଦଯାତ୍ରାରେ ବିମାନକୁ ନିଆଯିବ । ବାଟ ସାରା ପୂଜାର୍ଚ୍ଚନା ସହିତ ବ୍ୟାପକ ପଶୁପକ୍ଷୀ ବଳି ପ୍ରଥା ରହିଥିବା ବେଳେ ଆଦିବାସୀ ପରମ୍ପରାରେ ଏହା ଏକ ମାସ ଧରି ଅନୁଷ୍ଠିତ ହେବ । ତେଣୁ ଏହି ବଡ଼ ଯାତ୍ରାକୁ ଜିଲ୍ଲା ପ୍ରଶାସନ, ସ୍ବେଚ୍ଛାସେବୀ ସଂଗଠନ ଏବଂ ଜନସାଧାରଣଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରାଯାଇଥାଏ । ଏନେଇ ପୂର୍ବରୁ ଅନ୍ୟାନ୍ୟ ଠାରେ ପ୍ରସ୍ତୁତି ବୈଠକ ସରିଥିବା ବେଳେ ଏବେ ମୁଖ୍ୟ ସ୍ଥାନ ତଥା ମାନ୍ୟମକୋଣ୍ଡା ଗ୍ରାମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ସାଂସଦ ପ୍ରତିନିଧି ଇ.ଭେଙ୍କେଟ ରାଓ, ପୂର୍ବତନ ମାଲକାନଗିରି ବିଧାୟକ ମୁକୁନ୍ଦ ସୋଡି ଓ ମାନସ ମାଡକାମି, କାଲିମେଳା ସମିତି ଅଧ୍ୟକ୍ଷା ସୁଭାସିନି ସୋଡି ଓ ଉପାଧ୍ୟକ୍ଷ ଲକ୍ଷ୍ମୀ ଧର ମାଡକାମି, ଲ୍ୟାମ୍ପସ ଅଧ୍ୟକ୍ଷ ବୁଦ୍ରା କବାସି, କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳାଇ, କାଲିମେଳା ତହସିଲଦାର ଚଇନୁ ଗଣ୍ଡ, ମାଲକାନଗିରି ତହସିଲଦାର ଚନ୍ଦନ କୁମାର ଭୋଇ, ମୋଟୁ ଥାନା ଭାରପ୍ରାପ୍ତ ଅଧିକାରୀ ହିମାଂଶୁ ଶେଖର ବାରିକ, ଆଦିବାସୀ ମହାସଂଘ ସଭାପତି ଘନଶ୍ୟାମ ମାଡକାମି, ପୂର୍ବତନ ଆଦିବାସୀ ମହାସଂଘ ସଭାପତି ଘେନୁ ମୁଦୁଲି, ପୂର୍ବତନ ସମିତି ଅଧ୍ୟକ୍ଷ ମାଲା ମାଡି ଓ ଗଙ୍ଗାଧର ସୋଡି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭଗବାନ ହନ୍ତାଳ, ତ୍ରୀନାଥ ରାଜୁ, ବିଜେଡି ଜିଲ୍ଲା ସଂପାଦକ ଡି.ବିଶ୍ଵନାଥ ରେଡି ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରୁ ବିଭିନ୍ନ ଗ୍ରାମର ଗ୍ରାମ ମୁଖିଆ, ପୂଜାରୀ, ବାଡ଼େ, ଦିଶାରୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ନୂତନ ଡଙ୍ଗା ନିର୍ମାଣ, ସଡବାନପାଲୀ ଲାଠି ମରା ସ୍ଥଳର ଉନ୍ନତିକରଣ, ଦେବସ୍ନାନ ଘାଟର ନବିକରଣ, ଠାକୁରଙ୍କ ନୈକା ବିହାର ସମୟରେ ଜନଗହଳି ନିୟନ୍ତ୍ରଣ, ପୋଲୁରୁ ନଦୀ ଘାଟରେ ସାଜସଜ୍ଜା ଓ ଭକ୍ତଙ୍କ ଖାଦ୍ୟ ବ୍ୟବସ୍ଥା, ପୋଲୁରୁ ଗ୍ରାମର ଦେବସ୍ଥଳରେ ନୂତନ ଗୃହ ନିର୍ମାଣ । ଏହି କ୍ରମରେ ମାନ୍ୟମକୋଣ୍ଡା ପୂଜା ସମୟରେ ଭକ୍ତଙ୍କ ପାଇଁ ରାସନ୍ ଯୋଗାଣ, ମାନ୍ୟମକୋଣ୍ଡା ମୁତ୍ୟାଲୁଆମ୍ମା ମନ୍ଦିର ଏବଂ ଠାକୁର ଆବିର୍ଭାବ ସ୍ଥଳର ନବିକରଣ ସହ ବଡ଼ ଯାତ୍ରା ପୋଖରୀ ପଙ୍କ ଉଦ୍ଧାର, ମାନ୍ୟମକୋଣ୍ଡା ଠାରୁ ରାଜଗିରି ପର୍ଯ୍ୟନ୍ତ ରାସ୍ତା ପ୍ରସାରଣ, ଠାକୁର ପୀଠ ଯିବା ମୂଖ୍ୟ ରାସ୍ତାରେ ଗେଟ୍ ନିର୍ମାଣ ଓ ରାସ୍ତା ପ୍ରସାରଣ, ସଂପୃକ୍ତ ପୂଜାରୀ, ଦିଶାରୀ, ୱାଡେଙ୍କୁ ପୂଜକ ପରିଚୟ, ପୂଜା ଶେଷ ପର୍ଯ୍ୟନ୍ତ ମାଲକାନଗିରି ପୂଜା କମିଟି ଓ ମାନ୍ୟମକୋଣ୍ଡା ପୂଜା କମିଟି ମଧ୍ୟରେ ଯୋଗାଯୋଗ ସ୍ଥାପନ, ଶାନ୍ତି ଶୃଙ୍ଖଳା ରକ୍ଷା, ବାହୁଡା଼ ଯାତ୍ରା ଶେଷ ଦିନ ସମସ୍ତ କମିଟି ଏକତ୍ରିତ ହେବା ଆଦି ବିଷୟରେ ଗୁରୁତର ସହ ଆଲୋଚନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post