କଟକ,( ନୃସିଂହ ଚରଣ ଦାସ): କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଦୁଇଟି ସରକାରୀ ହାଇସ୍କୁଲକୁ ପୁରିଥିଲା ୬୦ ବର୍ଷ । ଆଉ ସ୍କୁଲର ହୀରକ ଜୟନ୍ତୀ ପାଳନ ଲାଗି ଅଣ୍ଟା ଭିଡିଥିଲା ପୁରାତନ ଛାତ୍ର ସଂସଦ । ମହାମହିମ ରାଜ୍ୟପାଳଙ୍କୁ କରାଯାଇଥିଲା ନିମନ୍ତ୍ରଣ । ମିଳିଥିଲା ସ୍ୱୀକୃତି । କିନ୍ତୁ ଦୁଇଦିନ ପୂର୍ବରୁ ଗୋଟିଏ ସ୍କୁଲକୁ ରାଜ୍ୟପାଳଙ୍କ ଗସ୍ତ ବାତିଲ କରାଯାଇଥିଲା । ଆଉ ଗତକାଲି ଅନ୍ୟ ସ୍କୁଲର ଗସ୍ତ ବାତିଲ ହୋଇଥିଲା । ଫଳରେ ଆଜି ରାଜ୍ୟପାଳଙ୍କ ଅନୁପସ୍ଥିତିରେ ପାଳିତ ହୋଇଛି ଦୁଇ ସ୍କୁଲର ଡାଇମଣ୍ଡ ଜୁବଲି । ଏଭଳି ଘଟଣା ନଜରକୁ ଆସିଛି ହଳଦିଆ ପଞ୍ଚାୟତର ହଳଦିଆ ହାଇସ୍କୁଲ ଓ କୁରୁଜଙ୍ଗା ପଞ୍ଚାୟତର ସବଳକଣା ହାଇସ୍କୁଲରେ । ପୂର୍ବ ପ୍ରସ୍ତୁତି ଅନୁସାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ଉଦଘାଟନ ପର୍ବ । ବିଭିନ୍ନ କାର୍ଯ୍ୟକ୍ରମ ବି କରାଯାଇଥିଲା । ଗୋଟିଏ ପର୍ଯ୍ୟାୟରେ ହଳଦିଆ ସ୍କୁଲର ହୀରକ ଜୟନ୍ତୀ ସରିଥିଲା । ମାତ୍ର ସବଳକଣା ହାଇସ୍କୁଲରେ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ । ଯେଉଁଥିରେ ଯୋଗ ଦେଇଥିଲେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ରେଭେନ୍ସା ବିଶ୍ଵବିଦ୍ୟାଳୟର କୁଳପତି ଡକ୍ଟର ସଂଜୟ ନାୟକ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚାନ୍ଦ, ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ପୁରାତନ ଛାତ୍ର ସଂସଦ ସଭାପତି ସରୋଜ କାନ୍ତ ମହାପାତ୍ର ଯୋଗ ଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ଦେବୀ ସଭାରେ ସଭାପତିତ୍ୱ କରିଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଗୌତମ ଜେନା ।
Sign in
Sign in
Recover your password.
A password will be e-mailed to you.