ମାସକ ପରେ ବଡ ଯାତ୍ରା: ତଳସାହି ସ୍ଥିତ ୭ଟି ଗୋଷ୍ଠୀ ଶୌଚାଳୟ ଅକାମି, ପୌର ପରିଷଦର କାର୍ଯ୍ୟପ୍ରଣାଳୀ ପଦାରେ ପଡ଼ିଲା

ମାଲକାନଗିରି, ୩/୨: ସରକାର କା ମାଲଦରିଆ ମେଡାଲ ସଦୃଶ୍ୟ ମାଲକାନଗିରି ପୌର ପାଳିକା ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଛି। କିନ୍ତୁ ଏହି ସବୁ ଗୋଷ୍ଠୀ ଶୌଚାଳୟ କୌଣସି କାମରେ ଆସୁନଥିବା ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କା ଏଥିପାଇଁ ପୌର ପରିଷଦ ତରଫରୁ ଖର୍ଚ୍ଚ କରାଯାଉଛି। କିନ୍ତୁ ଲୋକେ ଏହି ଶୌଚାଳୟକୁ ବ୍ୟବହାର କରୁନଥିବାରୁ ଏଗୁଡିକ ଏବେ ଅକାମି ହୋଇ ପଡି ରହିଛି। ସଦର ମହକୁମାର ତଳସାହିର କ୍ରିକେଟ ପଡିଆ ନିକଟରେ ରହିଥିବା ଏକ ଗୋଷ୍ଠୀ ଶୌଚାଳୟ ଏବଂ ବଡବନ୍ଧ ନିକଟରେ ରହିଥିବା ଆଉ ଛଅଟି ଗୋଷ୍ଠୀ ଶୌଚାଳୟ ଗତ ଦୁଇ ବର୍ଷ ହେଲା ନିର୍ମାଣ ହେବା ପରଠାରୁ କାର୍ଯ୍ୟରେ ଲାଗି ନାହିଁ। ଏବେ ଏହି ଶୌଚାଳୟ ନିକଟରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଯାଇଛି। ଟଙ୍କା ଥିବାରୁ ଏଣେ ତେଣେ ମନ ଇଚ୍ଛା ଟଙ୍କା ଖର୍ଚ୍ଚ କରାଯାଇ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ସହ ଏହା କିପରି ଚାଲିବ ସେନେଇ ପୌର ପରିଷଦ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଗକୁ ବଡଯାତ୍ରା ଆସୁଥିବା ବେଳେ ଏହି ସ୍ଥାନ ଗୁଡିକରେ ଲାଠି ଠାକୁରାଣୀଙ୍କର ଆଗମନ ହେଉଥିବାରୁ ଭିଡକୁ ଲକ୍ଷ୍ୟ କରି ଏଠାରେ ରହିଥିବା ଶୌଚାଳୟଗୁଡିକକୁ ଖୋଲିବା ଦରକାର ବୋଲି ସାଧାରଣରେ ଦାବି ହୋଇଛି। କିନ୍ତୁ ଏବେ ଏହି ଶୌଚାଳୟ ଉଦଘାଟନ ହେବ ପରଠାରୁ କାମରେ ନଲାଗିବାରୁ ଏହା ଭଙ୍ଗାରୁଜା ହୋଇସାରିଲାଣି। ଏବେ ଏହାକୁ ମରାମତି କରିବା ସହ ଗୋଟିଏ ନଳକୂପର ବ୍ୟବସ୍ଥା କଲେ ଲୋକେ ଏହାକୁ ଉପଭୋଗ କରିପାରିବେ । ପୌର ପରିଷଦ ଖର୍ଚ୍ଚ କରି ତୁରନ୍ତ ଏହାକୁ ମରାମତି କରିବା ଦରକାର ବୋଲି କୁହାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ସଦର ମହକୁମାରେ ରହିଥିବା ବିଭିନ୍ନ ଗୋଷ୍ଠୀ ଶୌଚାଳୟକୁ ଏସଏଚଜିମାନଙ୍କୁ ପ୍ରଦାନ କରି ସେଗୁଡିକକୁ ତୁରନ୍ତ କାର୍ଯ୍ୟରେ ଲଗାଇବାକୁ ଦାବି ହୋଇଛି।

Leave A Reply

Your email address will not be published.