mobile header

କିଏ ଏବେ ରାଜ୍ୟପାଳ, ତ ଆଉ କିଏ ରାଜ୍ୟସଭା ସଦସ୍ୟ….କେଉଁଠି ଅଛନ୍ତି ଅଯୋଧ୍ୟା ମାମଲାର ରାୟ ଶୁଣାଇଥିବା ୫ ଜଣ୍ ଜଜ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଅବଦୁଲ ନଜୀରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ହେଲେ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ ଦେବା ପରେ କଂଗ୍ରେସ ସମେତ ବିରୋଧୀ ଦଳର ନେତାମାନେ ଏହି କଥାକୁ ନେଇ ମୋଦୀ ସରକାରକୁ ନିଶାନା କରିଛନ୍ତି । କେବଳ ସେତିକି ନୁହେଁ, ବିରୋଧୀ ଦଳମାନେ ଏ ବିଷୟରେ ଆଲୋଚନା କରିବା ସହିତ ଏହାକୁ ‘ନ୍ୟାୟପାଳିକା ପାଇଁ ବିପଦ’ ବୋଲି ବି କହିଛନ୍ତି ।

ତେବେ ଜାଣିରଖିବା ଉଚିତ୍ ଯେ, ଜଷ୍ଟିସ୍ ନଜୀର ସୁପ୍ରିମକୋର୍ଟର ଜଜ୍ ଥିବାବେଳେ, ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇଥିଲେ । ବିଶେଷକରି ବହୁବର୍ଷ ଧରି ଚର୍ଚ୍ଚା ଆଉ ବିବାଦରେ ରହୁଥିବାବେଳେ ଅଯୋଧ୍ୟା ରାମ ମନ୍ଦିର ଓ ବାବ୍ରି ମସଜିଦ୍ ବିବାଦର ମଧ୍ୟ ରାୟ ଶୁଣାଇଥିଲେ ଏହି ଜଜ୍ । ଏହି ମାମଲାର ଶୁଣାଣି ସେତେବେଳେ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ସହିତ ୫ ଜଣିଆ ଖଣ୍ଡପୀଠ କରିଥିଲା । ତେବେ ଏହି ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ସହିତ ଜଷ୍ଟିସ ବୋବଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ନଜୀର ମଧ୍ୟ ସାମିଲ ଥିଲେ । ତେବେ ଏବେ ଆସନ୍ତୁ ଜାଣିବା ଏହି ଜଜ୍ ମାନେ ଏବେ କେଉଁଠି ଏବଂ କେଉଁ ଦାୟିତ୍ୱରେ ଅଛନ୍ତି ।

ଜଷ୍ଟିସ୍ ରଞ୍ଜନ ଗୋଗୋଇ

ଜଷ୍ଟିସ୍ ରଞ୍ଜନ ଗୋଗୋଇ

ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ୨୦୧୯ ମସିହା ନଭେମ୍ବର ମାସ ୧୭ ତାରିଖରେ ସୁପ୍ରିମକୋର୍ଟରୁ ରିର୍ଟାୟର ହୋଇଥିଲେ । ତେବେ ଅବସର ନେବାର ମାତ୍ର ୪ ମାସ ପରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ତେବେ ଜଜ୍ ପରେ ରାଜ୍ୟସଭାକୁ ପହଞ୍ଚିଥିବା ସେ ଥିଲେ ତୃତୀୟ ବ୍ୟକ୍ତିତ୍ୱ । ତାଙ୍କ ପୂର୍ବରୁ ୨୧ ତମ ଚିଫ୍ ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କୁ (୧୯୯୦ରୁ ୧୯୯୧) କଂଗ୍ରେସ ରାଜ୍ୟସଭାକୁ ପଠାଇଥିଲା । ସେ ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭାରେ ରହିଥିଲେ । ତାଙ୍କ ପୂର୍ବରୁ ଜଷ୍ଟିସ ବହରୁଲ୍ ଇସଲାମଙ୍କୁ ମଧ୍ୟ କଂଗ୍ରେସ ୧୯୮୩ ମସିହାରେ ରିଟାର୍ୟଡମେଣ୍ଟ ପରେ ୫ ମାସ ପାଇଁ ରାଜ୍ୟସଭାକୁ ପଠାଇଥିଲା ।

ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ

ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ଏପ୍ରିଲ ମାସ ୨୩ ତାରିଖ, ୨୦୨୧ରେ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ । ରଞ୍ଜନ ଗୋଗୋଇଙ୍କ ପରେ ସେ ଏହି ଦାୟିତ୍ୱ ତୁଲାଇଥିଲେ । ତେବେ ବୋବଡେ ୮ ବର୍ଷ ଧରି ସୁପ୍ରିମକୋର୍ଟର ଜଜ୍ ରହିଥିଲେ । ତେବେ ସୁପ୍ରିମକୋର୍ଟରୁ ଅବସର ନେବା ପରେ ସେ କୌଣସି ପ୍ରକାର ସାର୍ବଜନୀନ ପଦ ଗ୍ରହଣ କରିନାହାଁନ୍ତି । ବର୍ତ୍ତମାନ ସେ ମହାରାଷ୍ଟ୍ର ନ୍ୟାସନାଲ ଲ’ ୟୁନିଭର୍ସିଟିର କୁଳପତି ରହିଛନ୍ତି ।

ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ

ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ

ଅଯୋଧ୍ୟା ମାମଲାର ଶୁଣାଣି କରିଥିବା ୫ ଜଣିଆ ଖଣ୍ଡପୀଠ ଭିତରୁ ଆଉ ଜଣେ ଜଜ୍ ହେଉଛନ୍ତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ । ତେବେ ଜଷ୍ଟିସ୍ ଚନ୍ଦ୍ରଚୂଡ୍ ବର୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି । ସେ ହେଉଛନ୍ତି ସୁପ୍ରିମକୋର୍ଟର ୫୦ ତମ ମୁଖ୍ୟ ବିଚାରପତି । ତେବେ ଡି ୱାଇ ଚନ୍ଦ୍ରଚୂଡ ହେଉଛନ୍ତି ଭାରତର ଲମ୍ବା ସମୟ ଧରି ଚିଫ୍ ଜଷ୍ଟିସ୍ ଥିବା ଜଷ୍ଟିସ୍ ବି ଚନ୍ଦ୍ରଚୂଡଙ୍କ ପୁଅ ।

ଜଷ୍ଟିସ୍ ଅଶୋକ ଭୂଷଣ

ଜଷ୍ଟିସ୍ ଅଶୋକ ଭୂଷଣ ୨୦୨୧ ମସିହା ଜୁଲାଇ ମାସରେ ଅବସର ଗ୍ରହଣ କରିଥିଲେ । ଅବସର ନେବାର ୪ ମାସ ପରେ ତାଙ୍କୁ ନ୍ୟାସନାଲ କମ୍ପାନୀ ଲ’ ଅପଲେଟ୍ ଟ୍ରିବୁନାଲର ଚେୟାରମ୍ୟାନ୍ କରାଯାଇଥିଲା । ତାଙ୍କର କାର୍ଯ୍ୟକାଳ ୪ ବର୍ଷ ଧରି ରହିଛି । ତେବେ ଏହା ପୂର୍ବରୁ ଦୀର୍ଘ ୨୦ ମାସ ଧରି ଏହି ପଦ ଖାଲି ପଡିଥିଲା ।

ଜଷ୍ଟିସ୍ ଅବଦୁଲ ନଜୀର

ଜଷ୍ଟିସ୍ ଅବଦୁଲ ନଜୀର

ଜଷ୍ଟିସ୍ ଅବଦୁଲ ନଜୀର ସୁପ୍ରିମକୋର୍ଟରୁ ୨୦୨୩ ମସିହା ଜାନୁଆରୀ ମାସରେ ଅବସର ଗ୍ରହଣ କରିଥିଲେ । ଏହାପରେ ମାତ୍ର ମାସକ ଭିତରେ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରାଯାଇଛି । ତେବେ ଅଯୋଧ୍ୟା ମାମଲାର ଫଇସଲା ଶୁଣାଇଥିବା ୫ ଜଣ ଜଜଙ୍କ ଭିତରେ ନଜୀର ହିଁ ଥିଲେ ଏକମାତ୍ର ମୁସଲିମ୍ । କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣକୁ ନେଇ ମଧ୍ୟ ହୋଇଥିବା ମାମଲାର ଶୁଣାଣି କରିଥିଲେ ଅବଦୁଲ୍ ନଜୀର ।

Leave A Reply

Your email address will not be published.