ଭୁବନେଶ୍ବର: ମାର୍ଚ୍ଚ ସୁଦ୍ଧା ସ୍ମାର୍ଟ ସିଟି ପ୍ରକଳ୍ପ ଶେଷ ହେବ। ଯେତେ ସବୁ ପ୍ରକଳ୍ପ ନିର୍ମାଣାଧୀନ ଅଛି ଏହି ଅବଧି ମଧ୍ୟରେ ଶେଷ କରିବାକୁ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟ ନିର୍ଦ୍ଦେଶ ଦେବା ପରେ ତନାଘନା ହୋଇଛି। ଆଜି ଛୁଟି ଦିନରେ ବିଏସ୍ସିଏଲ୍ ଏମ୍ଡି ବଲୱନ୍ତ ସିଂହ ଆଇସିଓଏମ୍ସି-ବିଏମ୍ସି ଟାୱାର ପରିସରରେ ଥିବା ସ୍ମାର୍ଟ ସିଟି କନ୍ଫରେନ୍ସ ହଲ୍ରେ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ଅନେକ ପ୍ରକଳ୍ପ ମେ’ ସୁଦ୍ଧା ସରିବା ଅସମ୍ଭବ ହୋଇଥିବାରୁ ଚିନ୍ତା ବଢ଼ିଛି। ଅନ୍ୟପଟେ ଯେଉଁ ସବୁ ପ୍ରକଳ୍ପ ହୋଇଛି ସେଥିରୁ ଅନେକ ଏକପ୍ରକାର ବିଫଳ ହୋଇଥିବାରୁ ସମୀକ୍ଷାରେ ଉଦ୍ବେଗ ପ୍ରକାଶ ପାଇଛି।
ସ୍ମାର୍ଟ ସିଟି ଗଠନ ପୂର୍ବରୁ ବିଏମ୍ସି ପକ୍ଷରୁ ୮୧ଟି ପ୍ରକଳ୍ପର ତାଲିକା ଦିଆଯାଇଥିଲା। ୪୫୩୭କୋଟିର ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିସନ ନିକଟରେ ଦାଖଲ କରାଯାଇଥିଲେ ମଧ୍ୟ ୬ ବର୍ଷରେ ୭୮୪(କେନ୍ଦ୍ର ଓ ରାଜ୍ୟର ୩୯୨ କୋଟି ଲେଖାଏ)ମିଳିଥିଲା। ୮୧ ପ୍ରକଳ୍ପରୁ ବିଏସ୍ସିଏଲ୍ ମାତ୍ର ୨୮ଟି ପ୍ରକଳ୍ପ କରିବାକୁ ଯୋଜନା କରିଥିଲା। ଲେକ୍ ନ୍ୟୁଟ୍ରାଲ୍ ପ୍ରକଳ୍ପ ପାଇଁ ୧୯୬୮ ମସିହାରେ ‘ଲେକ୍ ଜୋନ୍-୩’ ନାମରେ କରିବାକୁ ଯୋଜନା ହୋଇଥିଲା। ୧୯୮୧ ମସିହାରେ ଏଥିପାଇଁ ଟେଣ୍ଡର ମଧ୍ୟ ହୋଇଥିଲା। ହେଲେ ଜବରଦଖଲ ଯୋଗୁଁ ସମ୍ଭବ ହୋଇ ପାରିନଥିଲା। ୨୦୧୬ ମସିହାରେ ଏହା ସ୍ମାର୍ଟ ସିଟି ଅଧୀନକୁ ଆସିବା ପରେ ୨୦୨୧ ମସିହାରେ ଟେଣ୍ଡର ହୋଇଛି। କିନ୍ତୁ କାମ ସରି ନାହିଁ। ସେହିଭଳି ଦୁଇ ବହୁତଳ ବିଶିଷ୍ଟ କାର୍ ପାର୍କିଂ କାର୍ଯ୍ୟକ୍ଷମ ହୋଇଛି।
କିନ୍ତୁ ଏହାକୁ ନେଇ ବିବାଦ ଲାଗି ରହିଛି। ବେପାର ହେଉନଥିବା କହି ସମ୍ପୃକ୍ତ ସଂସ୍ଥା ଧାର୍ଯ୍ୟ ଦେୟ ଦେଇ ପାରୁ ନାହିଁ। ଟେଣ୍ଡର ବାତିଲ ହେବା ଭଳି ପରିସ୍ଥିତି ଉପୁଜିଲାଣି। ସେହିଭଳି ସ୍ମାର୍ଟ କିଓସ୍କ ଖତ ଖାଉଛି। ସହରର ପ୍ରମୁଖ ସ୍ଥାନମାନଙ୍କରେ ଇନ୍ଡୋର୍ରେ ୫୦ ଓ ଆଉଟ୍ଡୋର୍ ୨୫ ଏଭଳି ୭୫ଟି ସ୍ମାର୍ଟ କିଓସ୍କ ସ୍ଥାପନ କରିଥିଲା। ୨୦୨୦ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାକୁ ସ୍ଥିର କରା ଯାଇଥିଲେ ମଧ୍ୟ ଦେଢ଼ ବର୍ଷ ଧରି ଏହା ଖତ ଖାଉଥିଲା। ୨୦୨୧ରେ ୭୫ରୁ ୬୨ଟି କାର୍ଯ୍ୟକ୍ଷମ ହୋଇଥିଲା। ହେଲେ ଏଥିରେ ଶତପ୍ରତିଶତ ସେବା ଉପଲବ୍ଧ ହୋଇ ନପାରିବାରୁ ଏହାର ଅପବ୍ୟବହାର ହୋଇଥିଲା। କେତେକ ଲୋକ ଏଥିରେ ପର୍ନ ସାଇଟ୍ ଖୋଲିଥିଲେ। ସେହିଭଳି ସ୍ମାର୍ଟ ଜନପଥ ସାରା ରାଜ୍ୟ ପାଇଁ ଏକ ମଡେଲ୍ ହୋଇଥିଲା।
ପ୍ରତ୍ୟେକ ପୌରାଞ୍ଚଳରେ ଏହିଭଳି ରାସ୍ତା ପ୍ରସ୍ତୁତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହାର ଅବସ୍ଥା ଏବେ ବିଚିତ୍ର। କିଓସ୍କଗୁଡ଼ିକରେ କେବଳ ବିଜ୍ଞାପନ ଲଗାଇବା ନିଷ୍ପତ୍ତି ହୋଇଥିବା ବେଳେ ଜନପଥ ସାରା (ବିଦ୍ୟୁତ ଟ୍ରାନ୍ସ୍ଫର୍ମର ଚାରିପାଖ) ବିଜ୍ଞାପନ ହୋର୍ଡିଂ ଛାଇ ଯାଇଛି। ଜବରଦଖଲ ମଧ୍ୟ ବଢ଼ିଛି। ପୂର୍ବରୁ ଯେଭଳି ଏନ୍ଫୋର୍ସମେଣ୍ଟ ହେଉଥିଲା ସେଭଳି ହେଉ ନାହିଁ। ଲେକ୍ ନ୍ୟୁଟ୍ରାଲ୍ ଜୋନ୍ ଅଞ୍ଚଳରେ ଏକ ନର୍ସରି ଗଢ଼ି ଉଠିଛି। ରାଜମହଲ ଓଭରବ୍ରିଜ୍ ତଳୁ ଉଚ୍ଛେଦ ହେବା ପରେ ଏଠାରେ ଏହି ନର୍ସରିକୁ ଥଇଥାନ କରଯାଇଛି। ସେହିଭଳି ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ୍ରେ ମଧ୍ୟ କୌଣସି ଆଧୁନିକତା ନାହିଁ। ଯାହା ଯାହା ସ୍ବପ୍ନ ଦେଖାଯାଇଥିଲା ତାହା ହୋଇ ନାହିଁ। କେବଳ ନାଲି ନୀଳ ଲାଇଟ୍ ଜଳୁଛି। ଖାରବଳେ ନଗରରେ ‘ପ୍ରୋଜେକ୍ଟ କୁଟୁମ୍ବ’ ଅଧୀନରେ ଏକ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଏଥିରେ କମ୍ ଭଡ଼ାରେ ନିର୍ମାଣ ଶ୍ରମିକ ରହିବା ଯୋଜନା ହୋଇଥିଲା। ହେଲେ ସେଥିରେ ସ୍ମାର୍ଟ ସିଟି ଅଧିନରେ ଅନ୍ୟ ପ୍ରକଳ୍ପରେ କାମ କରୁଥିବା ଶ୍ରମିକମାନେ ବର୍ଷ ବର୍ଷ ଧରି ରହୁଥିବା ଅଭିଯୋଗ ହୋଇଥିଲା। ଯଦିଓ ‘ମୋ ସାଇକେଲ୍’ ପ୍ରୋଜେକ୍ଟ ବିଏସ୍ସିଏଲ୍ର ନଥିଲା, ତଥାପି ବିଏସ୍ସିଏଲ୍ ଏହାର ପରିଚାଳନା କରୁଥିଲା। ଏହାର ଅବସ୍ଥା ନ କହିବା ଭଲ।