mobile header

ଫର୍ଜି ବେଟିଂ ଆପରେ ହଜାରେ କୋଟି ଟଙ୍କାର ଠକେଇ: ହଂକଂରେ ରେଜିଷ୍ଟ୍ରେସନ, ଦୁବାଇରୁ ହେଉଥିଲା ଅପରେସନ

ବେଟିଂ ଆପରେ ଟଙ୍କା ନିବେଶ କରି ହଜାରେ କୋଟି ଗୋଲ୍ । ମାସକୁ ୧୦ ପ୍ରତିଶତ ସୁଧ ଦେବା ଆଶାରେ ଚୁନା ଲଗାଇଛି ୧୮ ଫୁଟବଲ୍ ଡଟ କମ୍ । ଅଭିଯୋଗ ପରେ କୋଲକାତାର ହାୱଡାରୁ ୨ ଜଣଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ ।

୧୮ ଫୁଟବଲ ଡଟ୍ କମ୍ ନାମକ ଏକ ବେନାମୀ ବେଟିଂ ଆପରେ ଟଙ୍କା ବିନିଯୋଗ କରି ସର୍ବସ୍ୱ ହରାଇଛନ୍ତି । ଇଓଡବ୍ଲ୍ୟୁରେ ଅଭିଯୋଗ ପରେ ଠକ ସଂସ୍ଥାର ୨ଜଣ ଏଜେଂଟଙ୍କୁ ହାଓଡାରୁ ଗିରଫ କରାଯାଇଛି । ୨ ଅଭିଯୁକ୍ତ ରୁସ୍ତମ ଖାନ୍ ଓ ମହମ୍ମଦ ହାକିମକୁ ୫ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପରେ ବ୍ରହ୍ମପୁର ଓପିଆଇଡି କୋର୍ଟରେ ହାଜର କରାଯିବ । ମାସକୁ ୧୦ପ୍ରତିଶତ ସୁଧର ଲୋଭ ଦେଖାଇ ଟଙ୍କା ଲୁଟିବା ପରେ, ଫର୍ଜି ସଂସ୍ଥାର ୧୭ଟି ଆକାଉଂଟରେ ଥିବା ୧୦୮ କୋଟି ଟଙ୍କା ଠାବ କରିଛି ଇଓଡବ୍ଲ୍ୟୁ । ଏଥିସହ ପ୍ରିଓଷ୍ଟି ଗ୍ଲୋବାଲ ସଲ୍ୟୁସନ ଓ ଅନ୍ୟ ୪ଟି ସଂସ୍ଥାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ।

୨୦୨୧ରେ ଏହି ବେଟିଂ କମ୍ପାନୀ ଭାରତରେ କେବଳ ଶହେରୁ ଉର୍ଦ୍ଧ ଏଜେଂଟ କରି ଠକେଇ ଜାଲ ପକାଇଥିଲା । ଲୋକଙ୍କୁ ଭୁତାଇବା ପାଇଁ ବିଭିନ୍ନ ଗ୍ରାମାଂଚଳରେ ପୋଷାକ, ଖାଦ୍ୟ ବଂଟନ, ବୃକ୍ଷରୋପଣ କରି ବିଶ୍ୱାସ ଜନ୍ମାଇଥିଲା ଏହି ଠକ ସଂସ୍ଥା । ଓଡିଶାରୁ ୨୦ କୋଟି ଟଙ୍କା ଠକି ନେଇଥିବା ଏଯାଏଁ ସୂଚନା ପାଇଛି ଇଓଡବ୍ଲ୍ୟୁ । ୧୫୦ଟି ଆକାଉଂଟରେ ବିନିଯୋଗ ହୋଇଥିବା ଟଙ୍କା ହାୱଲା ଓ କ୍ରିପ୍ଟୋକରେନ୍ସିରେ ନିବେଶ ନେଇ ସୂଚନା ମିଳିଛି । ସେପଟେ ବିଦେଶ ଲିଙ୍କ ସମ୍ପର୍କରେ ଜଣାପଡିବା ପରେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଖୁବଶୀଘ୍ର ଇଂଟରପୋଲର ସହାୟତା ନେବ ଇଓଡବ୍ଲ୍ୟୁ । ତେବେ ଯଦି ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ଏଭଳି ଠକେଇ ହୋଇଛି, ତୁରନ୍ତ ଏ ସମ୍ପର୍କରେ ଅଭିଯୋଗ କରିବାକୁ କହିଛି ଇଓଡବ୍ଲ୍ୟୁ ।

Leave A Reply

Your email address will not be published.