mobile header

ରାଜ୍ୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ : ‘ବାପା‘ ଶ୍ରେଷ୍ଠ ଚଳଚ୍ଚିତ୍ର

ଦଶପଲ୍ଲା, ୨୭/୦୨: ଚଳଚ୍ଚିତ୍ର ମହୋତ୍ସବ କମିଟି (ଚମକ୍) ଓ ଆମ ନୟାଗଡ ଫେସବୁକ୍ ପେଜ୍ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନ ଠାରେ ଗତ ତିନିଦିନ ଧରି ଚାଲିଥିବା ପ୍ରଥମ ରାଜ୍ୟସ୍ତରୀୟ ସଚେତନ ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଚମକର ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ନାଲକୋର ଉପ ମହାପ୍ରବନ୍ଧକ ବିଦିପ୍ତ ଚନ୍ଦ୍ର ରାୟ, ସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍ ଏ ସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଷିନୀ, ଜିଲ୍ଲା ପରିଷଦ ସଭ୍ୟ ହରିଶ ଚନ୍ଦ୍ର ଜାନି, ସତ୍ୟଭାମା ନାୟକ, ଚମକର ସମ୍ପାଦିକା ଶୁଭଶ୍ରୀ ସନମ୍ ଦାସ, ସଭ୍ୟ ପଞ୍ଚାନନ ବେହେରା, ତ୍ରିନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ନିଶା ନିବାରଣ, ଅସ୍ପ୍ରୁଶ୍ୟତା , ଅନ୍ଧ ବିଶ୍ବାସ, ବାଲ୍ୟ ବିବାହ, ଭ୍ରୁଣ ହତ୍ୟା ଆଦି ୧୫ଟି ସଚେତନତା ଧାର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଏହି ପ୍ରଦର୍ଶିତ ଚଳଚିତ୍ର ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ପାପଡ଼ା ହାଣ୍ଡି ମଇଦାଲପୁରୀର ବୁଲୁ କୁମାରଙ୍କ ଲିଖିତ ଓ ନିର୍ଦ୍ଦେଶିତ ‘ବାପା‘ ଚଳଚ୍ଚିତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭୁବନେଶ୍ୱର ଜସ୍ମିନ ରାୟଙ୍କ ଲିଖିତ ଓ ସତ୍ୟବ୍ରତ ପଣ୍ଡାଙ୍କ ନିର୍ଦ୍ଦେଶିତ ଶିଶୁ ଶ୍ରମିକ ଉପରେ ଆଧାରିତ ‘ ମୁଁ ନୁହେଁ ଶ୍ରମିକ‘ ଦ୍ୱିତୀୟ ଓ ଜାମିନ ରାୟଙ୍କ ନିର୍ଦ୍ଦେଶିତ ଓ ସତ୍ୟବ୍ରତ ପଣ୍ଡାଙ୍କ ଲିଖିତ ନାରୀ ନିର୍ଯାତନା ସମ୍ପର୍କିତ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚିତ୍ର ‘ଧରିତ୍ରୀ‘ ତୃତୀୟ ସ୍ଥାନ ଅଧିକାର କରିଛି । ପ୍ରଥମ ସ୍ଥାନ ଅଧିକାର କରିଥିବା ‘ବାପା‘ ଚଳଚିତ୍ର ପାଇଁ ପଚାଶ ହଜାର ଟଙ୍କା ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ଏହି ଅର୍ଥକୁ ସ୍ଥାନୀୟ ମହାବୀର ରାଇସ ମିଲ ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରଦାନ କରିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ‘ମୁଁ ନୁହେଁ ଶ୍ରମିକ‘ ପାଇଁ ଦଶପଲ୍ଲା ଏନ୍ ଏ ସି ପକ୍ଷରୁ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିଥିବା ‘ଧରିତ୍ରୀ‘ ଚଳଚ୍ଚିତ୍ର ପାଇଁ ଚମକ୍ ପକ୍ଷରୁ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ଚଳଚିତ୍ର ଗୁଡ଼ିକ ମଧ୍ୟରୁ ‘ଜୟ ଭୀମ‘ର ନିର୍ଦେଶକ ବୁଲୁ କୁମାର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଚୟନ କମିଟି ଦ୍ଵାରା ଚୟନ ହୋଇଥିବା ବେଳେ ସ୍ବର୍ଗତ ରୁଦ୍ର ମାଧବ ରାୟ ଟ୍ରଷ୍ଟ ପକ୍ଷରୁ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ରଘୁନାଥ ଦଳବେହେରାଙ୍କ ଦ୍ଵାରା ରଚିତ ‘ଏକ ଅବୁଝା ଗାଁ‘ ଶ୍ରେଷ୍ଠ କାହାଣୀ, ‘ଧରିତ୍ରୀ‘ ଚଳଚ୍ଚିତ୍ରର ଜାମିନ ରାୟ ଶ୍ରେଷ୍ଠ ଅଭିନେତ୍ରୀ ଓ ଚଳଚ୍ଚିତ୍ର ‘ଋତୁସ୍ରାବ‘ର କଳାକାର ସୌମ୍ୟରଞ୍ଜନ ଶ୍ରେଷ୍ଠ ଅଭିନେତା ଭାବେ ବିଚାରକ ମଣ୍ଡଳୀ ଦ୍ୱାରା ଚୟନ ହୋଇଥିବା ବେଳେ ଚମକ୍ କମିଟି ଦ୍ଵାରା ଦଶ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଛି । ସମସ୍ତଙ୍କୁ ମୁଖ୍ୟ ଅତିଥି ଦ୍ଵାରା ପୁରସ୍କାର ଟ୍ରଫି ସହ ପ୍ରମାଣ ପତ୍ର ବଣ୍ଟନ କରଯାଇଥିବା ବେଳେ ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ନିର୍ଦ୍ଦେଶକ, ଲେଖକ , କଳାକାର , ଚମକର ସମସ୍ତ ସଦସ୍ୟଙ୍କ ସହ ଦଶପଲ୍ଲା ଅଞ୍ଚଳର ବହୁ ଛାତ୍ର ଛାତ୍ରୀ, ଜନସାଧାରଣ ଉପସ୍ଥିତ ଥିଲେ । ସଙ୍ଗୀତ ଶିକ୍ଷକ କୁରେସ ଚନ୍ଦ୍ର ସାହୁ, ରମେଶ ସାହୁ ଏହି ସମସ୍ତ କାର୍ଯକ୍ରମକୁ ପରିଚାଳନା କରିଥିବା ବେଳେ ଉଦଯାପନୀ ସଭାକୁ ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ସଂଯୋଜନା କରିଥିଲେ । ଏହି ରାଜ୍ୟସ୍ତରୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ରାଜ୍ୟ ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.