ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଭାବେ ରାଜ୍ୟ ସ୍ତରରେ ପୁରସ୍କୃତ ହେଲେ ମାଲକାନଗିରି ଜିଲ୍ଲାର ତିନୋଟି ପଞ୍ଚାୟତ
ମାଲକାନଗିରି, ୦୫/୦୩/୨୩: ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଦେଶରେ ପ୍ରଥମ ଭାବେ ତୃଣମୂଳ ସ୍ତରରେ ଗ୍ରାମାଞ୍ଚଳ ଏବଂ ପୌରାଞ୍ଚଳ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଅଧିନିୟମରେ ସଂଶୋଧନ ଆଣିଥିଲେ। ତାଙ୍କ ପ୍ରଚେଷ୍ଟା ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଆଜି ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢ଼ୀକରଣ ହୋଇପାରିଛି ବୋଲି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ଯୋଗ ଦେଇ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କ ସମୟରେ ମହିଳା ମାନଙ୍କ ପାଇଁ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଥିଲା। ତେଣୁ ତାଙ୍କର ଜନ୍ମ ଦିବସକୁ ଆଜି ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି ବୋଲି ସେ ମତ ଦେଇଥିଲେ। ସେହିପରି ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ପତିତ ପାବନ ବୈଦ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିଭଳି ଗ୍ରାମ ପଞ୍ଚାୟତକୁ ଉନ୍ନତିର ଚରମ ସୀମାରେ ପହଞ୍ଚାଇ ପାରିବା ସେଥିପ୍ରତି ପ୍ରଯତ୍ନ ହେବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ସୂଚନା ଯୋଗ୍ୟ ୨୦୨୧-୨୨ ମୂଲ୍ୟାଙ୍କନ ବର୍ଷ ନିମନ୍ତେ ୯ ଗୋଟି ସନ୍ଦର୍ଭରେ ଶ୍ରେଷ୍ଠ ପଞ୍ଚାୟତକୁ ପୁରସ୍କାର ନିମନ୍ତେ ଯୋଜନା କରାଯାଇଥିଲା। ଆମ ଜିଲ୍ଲାର ୯ ଗୋଟି ପଞ୍ଚାୟତ ଆଜି ବିଜୁ ପଟ୍ଟନାୟକ ସଶକ୍ତିକରଣ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓ ଏହି ପଞ୍ଚାୟତ ଗୁଡିକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ପର୍ଯ୍ୟାପ୍ତ ଜଳ ନିମନ୍ତେ ଚିତ୍ରକୋଣ୍ଡା, ପରିଷ୍କାର ଓ ସବୁଜରେ ମାଥିଲିର ଉଦୁଲିବେଡା, ମହିଳା ଅନୁକୂଳ ପାଇଁ ଚିତ୍ରକୋଣ୍ଡାର ବଡପଡ଼ା, ସୁଶାସନ ନିମନ୍ତେ କୋରୁକୁଣ୍ଡାର ଡୁଡାମେଟା, ଶିଶୁ ପ୍ରିୟ ପାଇଁ ମାଲକାନଗିରିର ପେଡାକୋଣ୍ଡା, ଦାରିଦ୍ର୍ୟମୁକ୍ତ ଓ ଉନ୍ନତ ଜୀବିକାପୂର୍ଣ୍ଣ ନିମନ୍ତେ ଚିତ୍ରକୋଣ୍ଡାର ଗାଦଲମାମୁଡ଼ି, ଆତ୍ମ ନିର୍ଭରଶୀଳ ଭିତ୍ତିଭୂମି ରେ ପଡିଆ ର ନିଲିଗୁଡା,ସୁସ୍ଥ ନିମନ୍ତେ ମାଥିଲିର ଥୁଙ୍ଗିଆପୁଟ, ସାମାଜିକ ସୁରକ୍ଷା ଭାବେ ସୁରକ୍ଷିତ ପାଇଁ ମାଥିଲିର ଉଦୁଲିବେଡାକୁ ପୁରସ୍କୃତ କରାଯାଇଛି। ସେହିପରି ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ମାଲକାନାଗିରିର ଚାଲାଣଗୁଡା, ଚିତ୍ରକୋଣ୍ଡାର ଦୋରାଗୁଡା, ପଡିଆର ନିଲିଗୁଡ଼ା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପାଇଛନ୍ତି। ସର୍ବୋପରି ରାଜ୍ୟସ୍ତରରେ ମାଲକାନଗିରି ଜିଲ୍ଲାର ତିନିଗୋଟି ପଞ୍ଚାୟତକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରରେ ପୁରସ୍କାର ପ୍ରଦାନ କରିଛନ୍ତି। ସାମାଜିକ ସୁରକ୍ଷା ସୁରକ୍ଷିତ ଭାବେ ମାଲକାନଗିରି ତେଣ୍ଡାପାଲି, ଶିଶୁ ପ୍ରିୟ ଭାବେ ପେଡାକୋଣ୍ଡା ଓ ସୁସ୍ଥ ପଞ୍ଚାୟତ ଭାବେ ମାଥିଲି ପୁରସ୍କୃତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଏପିଡି, ଅର୍ଥ, ଶ୍ରୀ ମାନସ ମିଶ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶ୍ରୀ ରତିକାନ୍ତ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଜୋନ-୧ ପ୍ରାର୍ଥୀ ଶ୍ରୀମତୀ ଅପର୍ଣ୍ଣା ମଣ୍ଡଳ ମଞ୍ଚରେ ଉପସ୍ଥିତ ଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଏବଂ ବ୍ଳକ ଗ୍ରାମ ପଞ୍ଚାୟତର କର୍ମଚାରୀ ଉପସ୍ଥିତ ଥିଲେ।