mobile header

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ୩୨୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି, ୦୯/୦୩: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଓର୍କେଲ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ତିନି କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି। ଓର୍କେଲ ଥାନା ସ୍ତିତ ଧାଉଡ଼ାଗୁଡା ଗ୍ରାମର ଜଣେ ବ୍ୟକ୍ତି ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଘରେ ବହୁ ପରିମାଣର ଗଞ୍ଜେଇ ଗଛିତ ରଖିଥିବାର ବିଶ୍ୱସ୍ଥ ସୂତ୍ରରୁ ଅବକାରୀ ବିଭାଗକୁ ଖବର ମିଳିଥିଲା। ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ଇନିସ୍ପେକ୍ଟର ଉଦେ ଲାଲ ନାୟକଙ୍କ ନେତୃତ୍ୱରେ ମାଲକାନଗିରି ଅବକାରୀ ଥାନା ଅଧିକାରୀ ଗଦାଧର ମହାରଣା, ଓର୍କେଲ ଅବକାରୀ ଥାନା ଅଧିକାରୀ ରବୀନ୍ଦ୍ର ପ୍ରଧାନ, ଅବକାରୀ ଏଏସଆଇ ଅକ୍ଷୟ ଜେନା, ଦିନେଶ କୁମାର ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ମାନେ ଓର୍କେଲ ଥାନା ଧାଉଡ଼ାଗୁଡା ଗ୍ରାମର ରାମଚନ୍ଦ୍ର ହନ୍ତାଳଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଘର ଯାଞ୍ଚ କରିବାରୁ ଘର ଭିତରୁ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ବୋଝେଇ ହୋଇ ରହିଥିବାର ଦେଖିଥିଲେ। ଘର ମାଲିକ ରାମଚନ୍ଦ୍ର ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ କାବୁ କରି ଗିରଫ କରି ନେଇଥିଲେ। ଜବତ ଗଞ୍ଜେଇକୁ ଓଜନ କରିବାରୁ ୩୨୦ କେଜି ହୋଇଥିଲା । ଗଞ୍ଜେଇ ଗୁଡିକୁ ବେଆଇନ ଭାବେ ଗଛିତ ରଖିଥିବା ଅଭିଯୋଗରେ ରାମଚନ୍ଦ୍ର ହନ୍ତାଳକୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ଏହି ଗଞ୍ଜେଇ କାରବାରରେ ଆଉ କାହାର ସମ୍ପୃକ୍ତି ଅଛିକି ନାହିଁ ତାହାର ତଦନ୍ତ ଜାରି ରହିଛି ବୋଲି ଜିଲ୍ଲା ଅବକାରୀ ସୁପ୍ରିଟେଣ୍ଡେଣ୍ଟ ବିମ୍ବାଧର ପଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.