ଚୌଦ୍ବାର କଲେଜରେ ରାଜନୀତି ବିଜ୍ଞାନର ବାର୍ଷିକ ସଂପାନ

୫-ଟିର ସଫଳ ଉପଯୋଗ କାରଣରୁ ରାଜ୍ୟ ପ୍ରଶାସନ ଉପରେ ଅଧିକ ଆଶା ଓ ବିଶ୍ୱାସ ବଢ଼଼ୁଥିବା ଆଲୋଚନା ଚକ୍ରରେ ମତ ପ୍ରକାଶ।

କଟକ: ଚୌଦ୍ବାର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରେ “ଏକବିଂଶ ଶତାବ୍ଦୀରେ ସାଧାରଣ ପ୍ରଶାସନ” ଶୀର୍ଷକ ଏକ ଆଲୋଚନା ଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ଦେବତା ଉଦଘାଟନ କରି ବିଦ୍ୟାର୍ଥୀମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ସହଏହି ଭଳି ସଂପାନ ସେମାନଙ୍କ ଅନିସନ୍ଧିତ୍ସୁ ଭାବକୁ ଏକ ନିର୍ଣ୍ଣାୟକ ସ୍ଥିତିକୁ ନେଇଥାଏ ବୋଲି ମନ୍ତବ୍ଯ ରଖିଥିଲେ। ତେବେ, ଓଡ଼ିଶାରେ ୫-ଟିର ସଫଳ ଉପଯୋଗ କାରଣରୁ ସାଧାରଣ ଜନତାଙ୍କ ପ୍ରଶାସନ ଉପରେ ଅଧିକ ଆଶା ଓ ବିଶ୍ୱାସ ବଢ଼଼ୁଥିବା ସେ କହିଥିଲେ।

ଚୌଦ୍ବାର କଲେଜର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଯୁକ୍ତେଶ୍ୱର ଦାସ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇ କହିଥିଲେ କି ପ୍ରତ୍ୟେକ ଗଣତାନ୍ତ୍ରିକ ସରକାରର ତିନୋଟି ଅଙ୍ଗ ହେଲା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ନିର୍ବାଚିତ ସରକାରଙ୍କର ବିକାଶ ତଥା ଜନମଙ୍ଗଳ କାର୍ଯ୍ୟକ୍ରମ ଗୁଡ଼ିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ହେଉଛି ବ୍ୟୁରୋକ୍ରାସି ବା ପ୍ରଶାସନିକ କଳର। କାର୍ଯ୍ୟ ପାଳିକାର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ହେବା ପାଇଁ ପ୍ରଶାସନିକ ସଂସ୍କାରର କ୍ରମାଗତ ଆବଶ୍ୟକ ହୋଇଥାଏ । ପ୍ରଶାସନିକ କଳକୁ ଆମ ଦେଶରେ ଅମଲାତନ୍ତ୍ର ବୋଲି କୁହାଯାଇଥାଏ। ଏହା ଏକ ଆନୁଷ୍ଠାନିକ ବ୍ୟବସ୍ଥା, ଯାହାକି ଆଇନ କାନୁନ ଏବଂ କ୍ଷମତାର ବିକେନ୍ଦ୍ରୀକରଣ ପ୍ରକ୍ରିୟା ଦ୍ୱାରା ସର୍ବଦା ପରିଚାଳିତ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

‘୫-ଟି’ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମର ୫-ଟି ଉପାଦାନ ହେଲା ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା, ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଟିମ୍ ୱାର୍କ ବା ବିଭାଗୀୟ କର୍ମଚାରୀମାନେ ଏକଜୁଟ ହୋଇ କାମ କରିବା, ଟାଇମ୍ ବା ଧାର୍ଯ୍ୟ ସମୟସୀମା ଭିତରେ କାର୍ଯ୍ୟ ସମ୍ପାଦନ କରିବା, ଟ୍ରାନ୍ସଫରମେସନ ବା କୌଣସି ଏକ ପ୍ରକଳ୍ପକୁ କେବଳ ଚିରାଚରିତ କାର୍ଯ୍ୟ ରୂପେ ବିଚାର ନକରି ଏହାଦ୍ୱାରା ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ କିପରି ହୋଇପାରିବ, ତାହା ନିଶ୍ଚିତ କରିବା।ସାଧାରଣ ଲୋକେ ପୂର୍ବରୁ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁୁ କ୍ଷେତ୍ରରେ ଦେଖି ପାରୁ ନଥିବା ବେଳେ ଏବେ ‘୫-ଟି’ ର ଉପଯୋଗରେ ବିଭିନ୍ନ କ୍ଷେତ୍ରରେ ହେଉଥିବା ଅସୁବିଧାର ସରଳ ସମାଧାନ କରିପାରୁଥିବାରୁ ରାଜ୍ୟ ପ୍ରଶାସନ ଉପରେ ସାଧାରଣ ଲୋକଙ୍କ ଅଧିକ ଆଶା ଓ ବିଶ୍ୱାସ ବଢ଼଼ିବାରେ ଲାଗିଛି ବୋଲି ସଂପାନର ମୁଖ୍ଯ ଅତିଥି ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ.ସ୍ୱର୍ଣ୍ଣମୟୀ ତ୍ରିପାଠୀ କହିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦେବତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପାଠଚକ୍ରରେ ରାଜନୀତି ବିଜ୍ଞାନର ଅଧ୍ୟାପକ ସୁମନ୍ତ କୁମାର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ଯ ଶ୍ରୀଯୁକ୍ତ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ନବାଗତ ଅଧ୍ୟାପିକା ସରିତା ମିଶ୍ରଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଦନା ଦିଆଯାଇଥିଲା। ଶେଷ ବର୍ଷର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ୯୦ ଦଶକରେ ଭାରତରେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଦେଶରେ ପ୍ରଶାସନିକ ଢାଞ୍ଚା ଏବଂ ଅମଲାତନ୍ତ୍ର ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଆସିଥିଲା। ୨୦୦୫ରେ ସୂଚନା ଅଧିକାର ଆଇନ ଏବଂ ୨୦୧୩ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ୍ ପ୍ରଚଳନ ଫଳରେ ଦେଶରେ କାର୍ଯ୍ୟନିର୍ବାହୀ ଏବଂ ଅମଲାତନ୍ତ୍ରର ଉତ୍ତରଦାୟିତ୍ୱ ଯଥେଷ୍ଟ ଭାବେ ବୃଦ୍ଧି ପାଇଲା। ଏହି ସବୁ କାରଣ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରରେ ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବା କଲେଜର ଅଧ୍ୟକ୍ଷ ଡକ୍ଟର ଉମେଶ ଚନ୍ଦ୍ର ଦେବତା ମନ୍ତବ୍ଯ ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘୫-ଟି’ ଓ ‘ମୋ ସରକାର’ ଭଳି ୨ଟି ପ୍ରଶାସନିକ ସଂସ୍କାର କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ ହେବା ସବୁଠୁ ବଡ ପ୍ରଶାସନିକ ସଂସ୍କାର ବୋଲି ଅଧ୍ୟାପକ ସୁମନ୍ତ କୁମାର ସାହୁ ନିଜ ବ୍ୟକ୍ତବ୍ୟରେ କହିଥିଲେ। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ପ୍ରଥମ ଦଫାରେ ପ୍ରଶାସନିକ ସଂସ୍କାର ଆରମ୍ଭ କରିବା, ଦ୍ୱିତୀୟ ପର୍ଯ୍ୟାୟ ପ୍ରଶାସନିକ ସଂସ୍କାରରେ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଆଇନ୍ ୨୦୦୫କୁ ପ୍ରଚଳନ କରିବା ଏବଂ ସବୁ ବିଭାଗକୁ ଆର୍ଥିକ ସଂଯମ ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେବା ,ତୃତୀୟ ପର୍ଯ୍ୟାୟ ପ୍ରାଶାସନିକ ସଂସ୍କାରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରଶାସନିକ ସଂସ୍କାରରେ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’ କ୍ଷେତ୍ରରେ ସ୍ଵାବଲମ୍ବନଶୀଳ ହେବାକୁ କରାଗଲା ବୋଲି ବିଦ୍ୟାର୍ଥୀ ମାନେ ସେମାନଙ୍କ ସନ୍ଦର୍ଭମାନଙ୍କରେ ଲେଖି ପାଠ କରିଥିଲେ। ଜଣେ ସାଧାରଣ ବ୍ୟକ୍ତି ‘୫-ଟି’ ଉପକ୍ରମରେ ନିଜର ଅଭିଯୋଗ ସମ୍ପୃକ୍ତ ବିଭାଗ ନିକଟରେ ସହଜରେ ଦାଖଲ କରି ଏହାର ଅଗ୍ରଗତି ବିଷୟରେ ଏବେ ଜାଣିପାରୁଛନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଅଧୀନରେ ଥିବା ଇ-ଅଭିଯୋଗ ବ୍ୟବସ୍ଥା ଏବେ ଡିଜିଟାଲ୍‌ରେ ପରିବର୍ତ୍ତନ ହୋଇ ଇ-ଅଭିଯୋଗ ପୋର୍ଟାଲରେ ଉପଲବ୍ଧ ହେଉଛି। ଏଠାରେ ଓଡ଼ିଆରେ ମଧ୍ୟ ମୋବାଇଲ୍‌ ସ୍ୱର ଦେଇ ଅଭିଯୋଗକାରୀ ପଞ୍ଜିକୃତ ହୋଇ ଯେ କୌଣସି ବିଭାଗରେ ନିଜର ଅଭିଯୋଗ ଦାଖଲ କରି ସମାଧାନ କରିପାରୁଛନ୍ତି। ଏହା ବ୍ୟତୀତ ନିଃଶୁଳ୍କ ଟେଲିଫୋନ୍‌ ନମ୍ବର ୧୪୫୪୫ରେ ଲୋକେ ଫୋନ୍‌ ଯୋଜେ ଅଭିଯୋଗ ଦାଖଲ କରିପାରୁଛନ୍ତି। ଅତି ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ବିଶେଷ, ‘ମୋ ସରକାର’ ଓ ‘୫-ଟି’ ଟ୍ୱିଟରେ ନିଜର ଅସୁବିଧା ‘ଜଣାଇ ସମାଧାନ କରିପାରୁଛନ୍ତି। ରାଜ୍ୟ ସରକାରଙ୍କର ଲୋକାଭିମୁଖୀ କରଣ ଲକ୍ଷ୍ୟ ଏହି ସବୁ ପ୍ରଶାସନିକ ସଂସ୍କାର ଯୋଗୁଁ ପୂରଣ ହୋଇପାରୁଛି ବୋଲି ପାଠଚକ୍ରରେ ଉପସ୍ଥିତ ଆଲୋଚକମାନେ ନିଜ ନିଜ ଅଭିଭାଷଣରେ କହିଥିବା ବେଳେ ଅନ୍ୟତମ ଅଧ୍ୟାପିକା ବିସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପାଠଚକ୍ରରେ ଅନ୍ୟମାନଙ୍କ ମଧ୍ଯରେ ପ୍ରାଧ୍ୟାପକ ଶରତ କୁମାର ମଲ୍ଲିକ,ପ୍ରଭାକର ମିଶ୍ର, ରଶ୍ମୀ ରାଉତରାଏ, କ୍ଷିରାବ୍ଧୀ ଚୌଧୁରୀ, ମୋହିତ କର, ପ୍ରଭାବତୀ ପଢିଆରୀ, ସସ୍ମିତା ଭୁୟାଁ, ଚିତ୍ତରଞ୍ଜନ ଦାସ, ବସନ୍ତ କୁମାର ବିଶ୍ବାଳ, ମମତା ସାହୁ, ଦେବାଶିଷ ସାହୁ, ଚନ୍ଦ୍ରଶେଖର ପଣ୍ଡା, ସ୍ୱାଭିମାନ ସାମନ୍ତରାୟ, ସବିତା ମହାନ୍ତି, ନଗେନ୍ଦ୍ର ନାଥ ପରିଡା ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.