ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଡ଼ିଜେ ଆଜେକ୍ସଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି ଆଜେକ୍ସ । ଏବେ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ଆଜେକ୍ସଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଖବର ଅନୁଯାୟୀ, ଭୁବନେଶ୍ବର ଖାରବେଳ ନଗରରେ ଆଜେକ୍ସ ରହୁଥିଲେ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ଶନିବାର ବେଡ଼ସିଟରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଶନିବାର ସନ୍ଧ୍ୟାରେ ସେ ଶେଷଥର ପାଇଁ ଘର ସହ କଥା ହୋଇଥିଲେ । ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତ୍ରିକୋଣୀୟ ପ୍ରେମ ପାଇଁ ଯାଇଛି ଡିଜେ ଆଜେକ୍ସଙ୍କ ଜୀବନ । ଏକ ଘରୋଇ ମେଡ଼ିକାଲ କଲେଜର ଛାତ୍ରୀଙ୍କୁ ପ୍ରେମ କରିଥିଲେ ଆଜେକ୍ସ। କିନ୍ତୁ ସମ୍ପୃକ୍ତ ଯୁବତୀ ତାଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ। ମାନସିକ ଚାପରେ ରହି ସେ ଆତ୍ମହତ୍ୟା କରିଛନ୍ତି । ଡିଜେ ଆଜେକ୍ସଙ୍କ ପରିବାର ଲୋକେ ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଓ ସେମାନଙ୍କ ନିକଟରେ ଥିବା ସମସ୍ତ ତଥ୍ୟ ଓ ପ୍ରମାଣ ପୁଲିସ୍କୁ ଦେଇଛନ୍ତି।
ଡିଜେ ଆଜେକ୍ସଙ୍କ ମାମୁ ଭୋଳାନାଥ ମହାରଣା କହିଛନ୍ତି, ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଜଣେ ଝିଅ (ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ) ତାଙ୍କୁ ବ୍ଲାକ୍ମେଲ୍ କରୁଥିଲା। ସେହି ଝିଅ ସହିତ ଡିଜେ ଆଜେକ୍ସଙ୍କ ପ୍ରେମ ସଂପର୍କ ଥିଲା। ଡିଜେ ଆଜେକ୍ସଙ୍କ ଫୋନ୍ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ତାଙ୍କୁ ବ୍ଲାକ୍ମେଲ୍ କରାଯାଉଥିଲା। ଏହି ଷଡ଼ଯନ୍ତ୍ରରେ ସେହି ଝିଅ ସହିତ ତାଙ୍କର ଜଣେ ପୁରୁଷ ବନ୍ଧୁ ବି ସାମିଲ ଅଛନ୍ତି। କିଛି ଭିଡିଓ ଭାଇରାଲ କରି ଦେବେ ବୋଲି କହି ସେମାନେ ଡିଜେ ଆଜେକ୍ସଙ୍କୁ ବ୍ଲାକ୍ମେଲ୍ କରୁଥିଲେ। ୧୫ ଦିନ ତଳେ ଡିଜେ ଆଜେକ୍ସଙ୍କ ଆକାଉଣ୍ଟରୁ ସେହି ଝିଅ ପାଖକୁ ୧୫ ହଜାର ଟଙ୍କା ଯାଇଛି। ଫୋନ୍ ପେ’ରେ ସେହି ଟଙ୍କା ଟ୍ରାନ୍ସଫର ହୋଇଛି।
ଡିଜେ ଆଜେକ୍ସଙ୍କ ବିଜ୍ନେସ୍ ପାର୍ଟନର ରାହୁଲ କହିଛନ୍ତି, ସେହି ଝିଅ ଡିଜେ ଆଜେକ୍ସଙ୍କୁ ଭଲ ପାଉଥିଲା। ଅନ୍ୟପଟେ ନିଜ ବେଷ୍ଟ ଫ୍ରେଣ୍ଡ (ଅନ୍ୟ ଜଣେ ପୁରୁଷ ବନ୍ଧୁ) ସହିତ ବୁଲୁଥିଲା ଓ ରହୁଥିଲା। ଏହା ଡିଜେ ଆଜେକ୍ସଙ୍କୁ ଖୁବ୍ ବାଧୁ ଥିଲା। ଭିତରେ ଭିତରେ ସେ ବହୁତ ଘାଣ୍ଟି ହେଉଥିଲେ। ଦିନକୁ ଦିନ ବହୁତ ଚିନ୍ତିତ ରହୁଥିଲେ। ଗତକାଲି ଡିଜେ ଆଜେକ୍ସ ମୋତେ ଫୋନ୍ କରି କହିଥିଲେ ଯେ ସେ ଝିଅ ତା’ର ସେହି ବନ୍ଧୁ ସହିତ ବୁଲୁଛି। ତା’ ସ୍କୁଟିରେ ଯିବାଆସିବା କରୁଛି। ଗୋଟେ ସେକେଣ୍ଡ ହ୍ୟାଣ୍ଡ ସ୍କୁଟି ବୁଝି ଦେ, ମୁଁ ସେଇଟା କିଣି ତାକୁ (ସେହି ଝିଅକୁ) ଦେଇ ଦେବି। ତା’ହେଲେ ସେ ଆଉ ଯିବାଆସିବା କରିବା ପାଇଁ ତା’ର ସେହି ବନ୍ଧୁ ଉପରେ ନିର୍ଭର କରିବ ନାହିଁ। ମୁଁ ବୁଝି ଦେବି ବୋଲି କହିଥିଲି। ବ୍ୟସ୍ତ ନ ହେବାକୁ ବି ତାକୁ କହିଥିଲି। ସେ (ଡିଜେ ଆଜେକ୍ସ) ଟେନ୍ସନ୍ରେ ରହୁଥିବା ନେଇ ମୋତେ କହିଥିଲେ। କ’ଣ କରିବେ କିଛି ଜାଣିପାରୁନାହାନ୍ତି ବୋଲି ବି କହିଥିଲେ। ଆଉ ରାତିରେ ଏଭଳି ଏକ ଅଘଟଣ ଘଟିଗଲା।
ରାହୁଲ ଆହୁରି କହିଛନ୍ତି, ଡିଜେ ଆଜେକ୍ସଙ୍କ ସବୁ କଥା ତାଙ୍କ ଫୋନ୍ରେ ଅଛି। ଆମେ ଫୋନ୍ ପୁଲିସ୍କୁ ଦେଇଛୁ। ଫୋନ୍ଟିକୁ ଭଲ ଭାବେ ଯାଞ୍ଚ କଲେ ପୁଲିସ୍ ସବୁ କଥା ଜାଣିପାରିବ। ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକାର ପୁରୁଷ ବନ୍ଧୁର ବି ହାତ ରହିଛି। ସେହି ବ୍ୟକ୍ତି ପାଖରେ ଏମିତି କିଛି ଭିଡିଓ ବା ଫଟୋ ଥିଲା, ଯାହାକୁ ଦେଖାଇ ସେ ଡିଜେ ଆଜେକ୍ସଙ୍କୁ ବ୍ଲାକମେଲ୍ କରୁଥିଲା। ସେହି ବ୍ୟକ୍ତି ଡିଜେ ଆଜେକ୍ସଙ୍କୁ ତାଙ୍କ ପ୍ରେମିକା ଠାରୁ ଦୂରେଇ ଯିବାକୁ କହୁଥିଲା। ତେବେ ସେହି ଭିଡିଓ ବା ଫଟୋଟି କ’ଣ, ତାହା ଆମକୁ ଜଣାନାହିଁ। ଡିଜେ ଆଜେକ୍ସ ବି ମୋତେ ଏନେଇ କେବେ କିଛି କହି ନାହାନ୍ତି। ପୁଲିସ୍ ତଦନ୍ତରୁ ଏ ବିଷୟରେ କିଛି ଜଣାପଡ଼ିବ।