କାନ୍ଥ ପଡିବାରୁ ଶିଶୁ କନ୍ୟାର ମୃତ୍ୟୁ ଓ ମା ଗୁରୁତର

କାଲିମେଳା ତା ୧୯/୦୩: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ଘରର କାନ୍ଥ ଭାଙ୍ଗି ଜଣେ ଶିଶୁ କନ୍ୟା ମୃତ୍ୟୁବରଣ କରିଥିବା ବେଳେ ଶିଶୁ କନ୍ୟାର ମା ଓ ବାପା ଉଭୟ ଗୁରୁତର ହୋଇପଡ଼ିଥିବା ଜଣାପଡିଛି। ସୂଚନା ମୁତାବକ ଆଜି ବଡି ଭୋର ସମୟରେ ମେଟାଗୁଡା ଗ୍ରାମରେ ଆଇତା ମାଡକାମି, ତାଙ୍କ ସ୍ତ୍ରୀ ଓ ୪ ମାସର କୁନି ଝିଅ ସ୍ଵାତି ନିଜ ଘରେ ଶୋଇଥିବା ବେଳେ ଅଚାନକ ଘରର କାନ୍ଥ ଭାଙ୍ଗି ତିନିଜଣଙ୍କ ଉପରେ ପଡିଥିଲା। ଏହି ସମୟରେ ଆଇତାଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଏହି ପରିବାରକୁ ଉଦ୍ଧାର କରିଥିଲେ। ଗ୍ରାମବାସୀ ତୁରନ୍ତ ଆଇତାଙ୍କ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ୪ ମାସର କୁନି ଝିଅ ସ୍ଵାତି ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ଗ୍ରାମବାସୀ କହିଛନ୍ତି । ଅଚାନକ କାନ୍ଥ ପଡି ଯିବାରୁ ଆଇତା ମଧ୍ୟ ଖଣ୍ଡିଆ ଖାବରା ହୋଇ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ଅନ୍ୟପଟେ ଏ ନେଇ ଖବର ପାଇ ପଡିଆ ବିଡିଓ ରାମକୃଷ୍ଣ ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନେଇ କହିଛନ୍ତି। ତୁରନ୍ତ ଏହି ପରିବାରକୁ ଥଇଥାନ କରିବା ସହ ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ କରି ବାସଗୃହ ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିବାକୁ ସ୍ଥାନୀୟ ପିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସୂଚନା ପାଇ ମାଟେରୁ ସରପଞ୍ଚ ଲଛମନ ମାଡକାମି ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.