ମାଲକାନଗିରି, ୨୦/୦୩/୨୩: ୮୮ତମ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ନେଇ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ମଞ୍ଚାସୀନ ଥିଲେ। ଓଡ଼ିଶା ଦିବସକୁ ଆଡମ୍ବର ଓ ସଫଳତାର ସହ ପାଳନ କରିବା ପାଇଁ ଶ୍ରୀ ସାହୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏପ୍ରିଲ ପହିଲା ପ୍ରାତଃ ୫ଟାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ଉତ୍କଳ ବନ୍ଦନା ବଜାଯାଇ ସହର ପରିକ୍ରମା କରାଯିବ। ଉକ୍ତ ଦିନ ପୁରୁଣା କୋର୍ଟ ପରିସରରେ ପୂର୍ବାହ୍ନରେ ଏକ ସଧାରଣ ସଭା କାର୍ଯ୍ଯ ଆୟୋଜନ କରାଯିବ । ନିଜ କାର୍ଯ୍ୟାଳୟ ଓ ବିଦ୍ୟାଳୟ ପରିସର ଏବଂ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାର ପଦାଧିକାରୀ ମାନେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମାଲ୍ୟାର୍ପଣ କରିବେ। ସେହିପରି ଜିଲ୍ଲାର ସମସ୍ତ ବ୍ଳକ, ତହସିଲ, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ଓଡ଼ିଶା ଦିବସ ପାଳନ କରିବାକୁ କୁହାଯାଇଛି। ସମସ୍ତ ସରକାରୀ ଅନୁଷ୍ଠାନକୁ ବିଭିନ୍ନ ରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଆୟୋଜନ ହେବ । ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ। ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀମାନେ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post