mobile header

ମନମୋହନ ସାମଲ ହେଲେ ବିଜେପିର ନୂଆ ରାଜ୍ୟ ସଭାପତି

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଦଳର ରାଜ୍ୟ ସଭାପତି ଦାୟିତ୍ବ, ମିଳିଛି। ସେ ସମୀର ମହାନ୍ତିଙ୍କ ସ୍ଥାନରେ ଏହି ଦାୟିତ୍ବ ନିର୍ବାହ କରିବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ, ମନମୋହନ ସାମଲ ୧୯୫୯ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।

ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି। ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇ ଯାଇଛି ।

ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା । ତାଙ୍କ ପାଇଁ ସଭାପତି ଦାୟିତ୍ୱ ନୂଆ ନୁହେଁ। ମନମୋହନ ସାମଲ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବା କରି ସାରିଛନ୍ତି। 

କଲେଜ ଛାତ୍ର ଥିବା ସମୟରେ ହିଁ ରାଜନୀତିକୁ ଆସିଥିଲେ ମନମୋହନ । ୧୯୭୯ ମସିହାରେ ଭଦ୍ରକ ଅଟୋନମସ୍ କଲେଜ ଷ୍ଟୁଡେଣ୍ଟ ୟୁନିଅନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ-ଏବିଭିପିରେ ସାମିଲ ହୋଇ ରାଜନୈତିକ କ୍ୟାରିୟରକୁ ଆଗକୁ ବଢାଇଥିଲେ ।

ପରେ ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ମନମୋହନ ସାମଲ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ବିଜେପି-ବିଜେଡି ମେଣ୍ଟ ସରକାରରେ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ରାଜସ୍ୱ ଓ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଳାଇଥିଲେ । 

ଧାମନଗର ଉପ-ନିର୍ବାଚନରେ ଦଳର ବିଜୟରେ ମନମୋହନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେଉଁଥି ପାଇଁ ତାଙ୍କୁ ସଭାପତି ପଦ ପୁରସ୍କାରରେ ମିଳିଥିବା ଆଲୋଚନା ହେଉଛି ।ରାଜ୍ୟ ବିଜେପି ସଭାପତି ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ ସାମଲ କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିଛି । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ବିଜେପି ଲଢ଼େଇ କରିବ । ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି, ତାକୁ ୨୦୨୪ରେ ପରିବର୍ତ୍ତନ କରାଯିବ ।

ଓଡ଼ିଶାରେ ଗାଁ ଗାଁରେ ରାଜ୍ୟ ସରକାର ବିରୋଧରେ ଅସନ୍ତୋଷ ରହିଛି । ଲୋକଙ୍କ ଅସନ୍ତୋଷର ବିସ୍ଫୋରଣରେ ସରକାର ଶେଷ ହୋଇଯିବ । ଯେତେବେଳେ ନିର୍ବାଚନ ହେବ, ଏ ସରକାର ଶେଷ ହୋଇଯିବ ବୋଲି କହିଛନ୍ତି ମନମୋହନ ।

ଲୋକେ ବିକଳ୍ପ ସରକାରକୁ ଅପେକ୍ଷା କରିଛନ୍ତି। ଆମେ ସେହି ବିକଳ୍ପ ଦେବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମନମୋହନ ।

ମନମୋହନ ସାମଲ ବିଜେପିର ରାଜ୍ୟ ମୁଖିଆ ହେବା ପରେ ବିଜେପି ଶିବିରରେ ଖୁସିର ମାହୋଲ ଖେଳି ଯାଇଛି। ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ମନମୋହନ ସାମଲ ଜଣେ ତୃଣମୂଳ ସ୍ତରର ନେତା । ତାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ନିମନ୍ତେ ଦଳକୁ ମଜବୁତ କରାଯିବ । ସୁନୀଲ ବଂଶଲ ପ୍ରଭାରୀ ଦାୟିତ୍ୱ ନେବା ପରେ ଦଳର ନବକଳେବର କରାଯାଉଛି। ସରକାର ଗଠନ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ବିଜେଡି ପଛୁଆ ବର୍ଗର କାର୍ଡ ଖେଳିବାକୁ ଚେଷ୍ଟା ଚଳାଇଥିବା ବେଳେ ମନମୋହନ ସାମଲ ଜଣେ ପଛୁଆ ବର୍ଗର ନେତା। ସେ ଭଲ ଭାବେ ଦାୟିତ୍ୱ ନିର୍ବାହ କରି ପାରିବେ । ମନମୋହନଙ୍କ ନେତୃତ୍ୱରେ ଦଳ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ ଓ ବିଜୟ ହାସଲ କରିବ ବୋଲି ଆଶା ରଖିଛୁ।

ଅମିତ ଶାହ ଆସନ୍ତା ମାସରେ ଭଦ୍ରକ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଭଦ୍ରକର ନେତା ମନମୋହନ ସାମଲଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ବିଜେପି କର୍ମକର୍ତ୍ତା ବେଶ ଉତ୍ସାହିତ ଅଛନ୍ତି।

Leave A Reply

Your email address will not be published.