
ମାଲକାନଗିରି, ତା ୨୬/୦୩/୨୦୨୩: ଆସନ୍ତା ଏପ୍ରିଲ ୧୧ରେ ମାଲକାନଗିରି ସଦରରେ ଏସ.ସି/ଏସ.ଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ହେବାକୁ ଥିବା ମହା ଗଣ ସମାବେଶକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ମାଲକାନଗିରି ସ୍ଥିତ ଆମ୍ବେଦକର ଲାଇବ୍ରେରୀ ଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଟା ପ୍ରଭାକର ହନ୍ତାଳଙ୍କ ତତ୍ୱବୋଧନ ଓ ସଭାପତି ଜରା ଶବର ମାଡ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାର ପ୍ରାୟ କୋଡ଼ିଏଟି ସଂଗଠନର କର୍ମକର୍ତ୍ତା ଯୋଗଦାନ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପଦୋନ୍ନତିର ତ୍ରୁଟି ସଂଶୋଧନ, ଚିତ୍ରକୋଣ୍ଡା ବିସ୍ଥାପିତ ପରିବାରଙ୍କୁ ଘର ଡିହ ପଟ୍ଟା ପ୍ରଦାନ ସହ ଜିଲ୍ଳାର ସମସ୍ତ ପାରମ୍ପାରିକ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଜିଲ୍ଲା ଭିତ୍ତିକ, ଏମ.ଏସ.ପି ଗ୍ୟାରେଣ୍ଟି ଆଇନ ପ୍ରଣୟନ ଓ ପୋଲାଭରମ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ପ୍ରଥମେ ଉଚିତ କ୍ଷତିପୂରଣ ଓ ଥଇଥାନର ବ୍ୟବସ୍ଥା କଲା ପରେ ହିଁ ବିସ୍ଥାପିତ କରିବା ପ୍ରମୁଖ ଦାବି ଉପରେ ଆଲୋଚନା ହେଇଥିଲା। ଏପ୍ରିଲ ୧୧ରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଥାଉକି, ଏସ.ସି/ଏସ.ଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଚଳିତ ବର୍ଷ ୨୨ ଫେବୃଆରୀରେ ସମ୍ବିଧାନକୁ ରକ୍ଷା କରିବା, ସଂରକ୍ଷଣ ବ୍ୟବସ୍ଥାକୁ କଢାକଢ଼ି ଭାବେ ପାଳନ ସହ ସାମାଜିକ ନ୍ୟାୟ ଓ ଅଧିକାର ପ୍ରାପ୍ତ ପାଇଁ ଗଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ବିଭାଗ ଚାକିରି ପଦୋନ୍ନତିରେ ଥିବା ତୃଟି ସଂଶୋଧନ କରିନଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ଏବେ ରାଜ ରାସ୍ତାକୁ ଓହ୍ଲାଉଥିବା ଜଣାପଡିଛି। ଆଜିର ବୈଠକରେ ପ୍ରାୟ ଶହେ ଜଣ କର୍ମକର୍ତ୍ତା ଯୋଗଦାନ କରିଥିବା ବେଳେ ସଭା ପରିଚାଳନା କରିଥିଲେ ଉପଦେଷ୍ଟା ପ୍ରଭାକର ହନ୍ତାଳ ଓ ଶେଷରେ କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ ଧନ୍ୟବାଦ ଅର୍ପଣ କଲା ପରେ ସଭାସାଙ୍ଗ କରାଗଲା।