କୂଟନୀତି ହେଉଛି ଆନ୍ତର୍ଜାତିକ ସମ୍ପର୍କର ଆଧାର: ରାଷ୍ଟ୍ରଦୂତ

ଭୁବନେଶ୍ୱର, ୬/୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ କୂଟନୀତିର ଜଟିଳତା ଏବଂ ଜଣେ ରାଷ୍ଟ୍ରଦୂତର ଜୀବନ ସମ୍ପର୍କରେ ବୁଧବାର ଆୟୋଜିତ ଏକ ଆଲୋଚନା ମାଧ୍ୟମରେ ଅବଗତ ହୋଇଛନ୍ତି ।

ଏହି ଆଲୋଚନାରେ ଯୋଗ ଦେଇ ଆନ୍ତର୍ଜାତିକ ସମ୍ପର୍କ ଏବଂ କୂଟନୀତି ଦେଶର ସ୍ୱାର୍ଥ ସହିତ ଜଡ଼ିତ ବୋଲି କେନ୍ଦ୍ର ବର୍ହିବ୍ୟାପାର ବିଭାଗର ଯୁଗ୍ମ ସଚିବ (କେନ୍ଦ୍ରୀୟ ୟୁରୋପ) ଶ୍ରୀ ଅରୁଣ କୁମାର ସାହୁ କହିଛନ୍ତି ।

ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ ଠାରେ ସୋଆ ସାପ୍ତାହିକ ଶୈକ୍ଷିକ ବକ୍ତୃତା ପ୍ରଦାନ କରିବା ଅବସରରେ ଟ୍ରିନିଦାଦ ଓ ଟୋବାଗୋ ଠାରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିବା ଶ୍ରୀ ସାହୁ ଏହା କହିଛନ୍ତି ।

ଆନ୍ତର୍ଜାତିକ ସମ୍ପର୍କ ନିମନ୍ତେ କୂଟନୀତି ଏକ ପ୍ରମୁଖ ଅସ୍ତ୍ର ବୋଲି କହିବା ସହ ସେ ଋଷିଆ-ୟୁକ୍ରେନ୍ ସମସ୍ୟା କିଭଳି ଭବିଷ୍ୟତରେ ବିଶ୍ୱ ପରିସ୍ଥିତି ଉପରେ ପ୍ରଭାବ ପକାଇବ ସେ ବିଷୟରେ କହିଥିଲେ ।

ଜଣେ କୂଟନୀତିଜ୍ଞ କିଛି କହିବା ସମୟରେ କ’ଣ କହିବ ଓ କ’ଣ ନ କହିବ ତାହା ଅନୁଶୀଳନ କରିବା ଆବଶ୍ୟକ । ନିଜ ବାକ୍ୟରେ ଶବ୍ଦର ପ୍ରୟୋଗ ଏଭଳି ସତର୍କତାର ସହ କରିବା ଉଚିତ୍ ଯେପରିକି କିଛି ବର୍ଷ ପରେ ଏହା ଫେରିଆସି ସମସ୍ୟା ସୃଷ୍ଟି ନ କରେ ବୋଲି ସେ କହିଥିଲେ ।

ନିଜର ବ୍ୟକ୍ତିଗତ ଓ ବୃତିଗତ ଅଭିଜ୍ଞତାକୁ ବଖାଣି ଶ୍ରୀ ସାହୁ ଚୀନ୍‌ରେ ପ୍ରଥମେ ଅବସ୍ଥାପିତ ହେବା ସମୟରେ କିଭଳି ମାଣ୍ଡାରିନ୍‌ର ଜ୍ଞାନ ନ ଥାଇ ମଧ୍ୟ କାର୍ଯ୍ୟ କରିଥିଲେ ସେ ବିଷୟରେ କହିଥିଲେ ।

ସେହିପରି ଇରାନରେ ନିଜର ଅନୁଭୂତି ବଖାଣି କିଭଳି ଅଜଣା ବ୍ୟକ୍ତିମାନେ ତାଙ୍କର ଶିଶୁପୁତ୍ରକୁ ଅସ୍ଥିଶଲ୍ୟ ସର୍ଜନଙ୍କ ନିକଟକୁ ନେବାରେ ସାହାଯ୍ୟ କରିଥିଲେ ସେ ସମ୍ପର୍କରେ କହିଥିଲେ ।

ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ସାହୁ କହିଥିଲେ ଯେ ଯେଉଁଠାରେ କୂଟନୀତି ସରିଯାଏ ସେଠାରେ ଯୁଦ୍ଧ ଆରମ୍ଭ ହୁଏ ବୋଲି ଯେଉଁ ପୁରୁଣା କଥା ଥିଲା ତାହା ବର୍ତମାନ ଆନ୍ତର୍ଜାତିକ ସମ୍ପର୍କ କ୍ଷେତ୍ରରେ ବଦଳିଗଲାଣି ।

ଏହି କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ. କେ. ଆଜାଦ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ପ୍ରଫେସର ପ୍ରଦୀପ କୁମାର ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ । ବିଶ୍ୱବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ନିଲ୍‌ର ଆସିଷ୍ଟାଂଟ ପ୍ରଫେସର ଶ୍ରୀ ଅମ୍ବରିଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.