ଗଙ୍ଗେଶ୍ୱର ଶୈବ ପୀଠରେ ପାଟୁଆ ଯାତ୍ରା

କଟକ, (ନୃସିଂହ ଚରଣ ଦାସ): ଆଜି ମାସନ୍ତ । ଆସନ୍ତାକାଲି ବୈଶାଖର ପ୍ରଥମ ଦିନ । ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନୂଆବର୍ଷର ଅୟାରମ୍ଭ । ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତର ପ୍ରସିଦ୍ଧ ଗଙ୍ଗେଶ୍ୱର ଶୈବ ପୀଠ । କାହିଁ କେଉଁ କାଳରୁ ଏଠାରେ ପାଳିତ ହେଉଛି ପାଟୁଆ ଯାତ୍ରା । ଯାହାର ରହିଛି ବିଶେଷ ସ୍ଵତନ୍ତ୍ରତା । ଏହି ଦୁଇ ଦିନ ଠାକୁରଙ୍କ ନୀତିକାନ୍ତି ଓ ପାଟୁଆ ଯାତ୍ରା ହେବା ବିଧି ନିର୍ଘଣ୍ଟ । ଯାହାର ପୁରା ଦାୟିତ୍ୱ ନେଇଥାଏ ପଞ୍ଚାୟତ ପ୍ରଶାସନ । ଯିଏ ବି ପଞ୍ଚାୟତର ଦାୟିତ୍ୱ ନେଉ କିନ୍ତୁ ମନ୍ଦିର ଓ ଯାତ୍ରା କମିଟି ସହଯୋଗରେ ପାଳିତ ହୁଏ ଏହି ପର୍ବ । ପର୍ବ ଲାଗି ମେଳା ଚାଲେ ୧୫ରୁ ୨୦ ଦିନ । ବେଶ ହୁଏ କିଣା ବିକା । ଗହଳି ଚହଳି ସୃଷ୍ଟି କରେ ଭାଇଚାରା । ଏଠାରେ ନାହିଁ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ବିଭେଦ । ଗଙ୍ଗେଶ୍ୱରଙ୍କ ବିଜେସ୍ଥଳରୁ ମାତ୍ର ୨୦୦ ଫୁଟ ଦୂରରେ ରହିଛି ମସଜିଦ । ମନ୍ଦିରର ପଶ୍ଚିମ ଦିଗରେ ରହିଛି ବ୍ରାହ୍ମଣ ବସ୍ତି । ସେପଟେ ପୁର୍ବରୁ-ଦକ୍ଷିଣ ଲମ୍ବିଛି ସଂଖ୍ୟାଲଘୁଙ୍କ ବାସସ୍ଥାନ । ହେଲେ ପ୍ରତିବର୍ଷ ଏହି ଦୁଇଦିନର କଥା ନିଆର । ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କିଶୋରନଗର, ଟାଙ୍ଗୀ-ଚୌଦ୍ୱାର ସମେତ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଲୋକଙ୍କର ଜମୁଛି ଭିଡ । ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ପାଟୁଆ ଯାତ୍ରା ହେଉଥିବା ବେଳେ ଏଠାରେ ଶୈବ ପୀଠରେ ଦେଖିବାକୁ ମିଳୁଛି ନିଆରା ପାଟୁଆ ଯାତ୍ରା । ବିଭିନ୍ନ ସମ୍ପ୍ରଦାୟର ଛୋଟ ପିଲା ଓ ବୟସ୍କ ମାନସିକ କରି ସାଜିଥାନ୍ତି ପାଟୁଆ । ବିଶେଷ କରି ଖଣ୍ଡା ପାଟୁଆ, କଣ୍ଟା ପାଟୁଆ ଓ ଚରକି ପାଟୁଆ ଲାଗି ଅନେକ ମାନସିକ କରି ବେତ ଓ ଉପବିତ ଧାରଣ କରିଥାନ୍ତି । ପୂର୍ବରୁ ଏହି ୩ ଶ୍ରେଣୀର ପାଟୁଆ ହେଉଥିବା ବେଳେ ଏବେ ଖାଲି ଖଣ୍ଡା ଓ କଣ୍ଟା ପାଟୁଆ ହେଉଛନ୍ତି । ମନ୍ଦିର ଠାରୁ ୧ କିମି ଦୂରରେ ରହିଛି ପାଟୁଆ ପୋଖରୀ । ଯେଉଁଠି ପାଟୁଆ ମାନେ ଗାଧୋଇ ପାଧୋଇ ବାଜା ରୋଷଣୀରେ ଆସିଥାନ୍ତି ମନ୍ଦିରକୁ । ବଙ୍ଗାଳି ପାଟୁଆ ଖଣ୍ଡାରେ ଯାଆନ୍ତି । ସେହିପରି ବେହେରା, ରଜକ, ମଲିକ ଓ ସାମଲ ଜାତିର ମାନସିକ ଧାରୀ କଣ୍ଟାରେ ପଡ଼ିଥାନ୍ତି । ବିଶ୍ୱାସ ଓ ନିଷ୍ଠାର ସହ ଏଭଳି କଠିନ ପରୀକ୍ଷାକୁ ହସି ହସି ସହିଥାନ୍ତି ମାନସିକଧାରୀ । ଠାକୁରଙ୍କର ଆଶ୍ରିବାଦକୁ ଆଶ୍ରା କରି ଶେଷ କରିଥାନ୍ତି ନିଜ ବ୍ରତ । ଆଉ ମଙ୍ଗଳକାମାନା କରିଥାନ୍ତି ନିଜର ଓ ପରିବାରର ।

Leave A Reply

Your email address will not be published.