କଟକ, (ନୃସିଂହ ଚରଣ ଦାସ): ଦେହରେ ଲୁହାକଣ୍ଟା ଫୋଡିଲେ । ଧାରୁଆ ଖଣ୍ଡାରେ ଠିଆ ହେଲେ । ଖାଲି ଠିଆ ହଲେନି । କାଲେସି ବି ଲାଗିଲେ । ବାଉଁଶର ସିଡିରେ ଲୋକେ ବୋହି ନେଲେ ପୋଖରୀରୁ ମନ୍ଦିର ଯାଏ । ବାଜୁଥିଲା ବାଜା । ଫୁଟୁଥିଲା ବାଣ । ଏକ ନିଆରା ପରିବେଶରେ ୧ କିଲୋମିଟରରୁ ଅଧିକ ବାଟ ଲାଗିଥିଲା ପାଟୁଆ ଯାତ୍ରାର ରୋଷଣୀ । ରାତି ପାହିଥିଲେ ବି ଲୋକଙ୍କର ତୁଟି ନଥିଲା ଧର୍ଯ୍ୟ । ଭକ୍ତି, ବିଶ୍ୱାସ ଓ ଆତ୍ମବିଶ୍ବାସର ଦେଖିବାକୁ ମିଳିଥିଲା ନିଦର୍ଶନ। ସାଧାରଣ ମଣିଷକୁ କିଛି ସମୟ ଲାଗି ପ୍ରତୀୟମାନ ହୋଇଥିଲା ଈଶ୍ୱରୀୟ ସତ୍ତା । ଶ୍ରଦ୍ଧାଳୁ ଭୁଲି ଯାଇଥିଲେ ଜାତି, ଗୋତ୍ର । ସର୍ବେଭବନ୍ତୁ ସୁଖୀନ ନ୍ୟାୟରେ ଏକାକାର ହୋଇଥିଲେ ସମବେତ ଜନତା । ଯାହାକୁ ଆଖିରେ ନଦେଖିଲେ କେବେବି ବିଶ୍ୱାସ ହେବନି । ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତର ଗଙ୍ଗେଶ୍ୱରଙ୍କ ପୀଠର ପାଟୁଆ ଯାତ୍ରାରେ । ଦୁଇଦିନ ଧରି ଚାଲିଥିବା ଏହି ଯାତ୍ରାର ପଡିଛି ଯବନିକା । ଅପେକ୍ଷା ଆସନ୍ତା ବର୍ଷକୁ । କରୋନା ଲାଗି ଦୁଇବର୍ଷ ପାଟୁଆ ଯାତ୍ରା ଫିକା ପଡିଥିଲା । ମାତ୍ର ଚଳିତ ବର୍ଷ ଯାତ୍ରାର ମାହୋଲ ଥିଲା ବେଶ ସରଗରମ । ଗୁରୁବାର କଣ୍ଟା ପାଟୁଆଙ୍କ ବିଧି ଗଙ୍ଗେଶ୍ୱରଙ୍କ ପୀଠରେ ପାଳିତ ହୋଇଥିଲା । ଆଉ ଶୁକ୍ରବାର ଅର୍ଥାତ ସଂକ୍ରାନ୍ତି ଦିନ ରାତିରେ ନିକଟସ୍ଥ ଧର୍ମାଗତପୁର ମାକ୍ଷେତ୍ରପାଳଙ୍କ ପୀଠରେ ହୋଇଥିଲା ଖଣ୍ଡା ପାଟୁଆଙ୍କର ଯାତ୍ରା । ଚଳିତ ବର୍ଷ ୧୭ ଜଣ ବଙ୍ଗାଳି ତନ୍ତୀ ଖଣ୍ଡା ପାଟୁଆ ହୋଇଥିଲେ । ସେମାନଙ୍କ ଲାଗି ପ୍ରସ୍ତୁତ ଥିଲା ବାଉଁଶର ସିଡ଼ି, ସାଣଦିଆ ଖଣ୍ଡା । ଜଳୁଥିଲା ମଶାଲ । ବିଧି ପାଳନ କରିବା ଲାଗି ପ୍ରସ୍ତୁତ ହୋଇ ଥିଲେ ବ୍ରାହ୍ମଣ ନିଯୋଗ । ମଧ୍ୟାରାତ୍ରରେ ଆରମ୍ଭ ହୋଇଥିଲା ରୀତିନୀତି । ଏଭଳି କାର୍ଯ୍ୟକ୍ରମ ଲାଗି ପଞ୍ଚାୟତ ପକ୍ଷରୁ କରାଯାଇଥିଲା ସମସ୍ତ ବ୍ୟବସ୍ଥା । ମାନସିକଧାରୀ ଦେହରେ ଲୁହା କଣ୍ଟା ଫୋଡିଥିଲେ ବି ତାର ଆଘାତକୁ ଅନୁଭବ କରିନଥିଲେ ସେମାନେ। ରୋଷଣୀରେ ପାଟୁଆଙ୍କୁ ଦିଆଯାଇଥିଲା ପଣା । ଯାହାକୁ ପ୍ରସାଦ ଭାବି ବାଣ୍ଟି ନେଉଥିଲେ ଶ୍ରଦ୍ଧାଳୁ । ଚଳିତ ବର୍ଷ ଯଦିଓ କାର୍ଯ୍ୟକ୍ରମର ରୀତିନୀତିରେ ବିଳମ୍ବ ହୋଇଥିଲା । କିନ୍ତୁ ଶାନ୍ତି ଶୃଙ୍ଖଳାର ସହ ସରିଛି ପାଟୁଆ ଯାତ୍ରା । ଶାନ୍ତି ଶୃଙ୍ଖଳା ଲାଗି ସାଲେପୁର ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସେହିପରି ପଞ୍ଚାୟତ ପ୍ରଶାସନ, ମନ୍ଦିର କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗ ସ୍ୱାଗତଯୋଗ୍ୟ ଥିଲା ।
Sign in
Sign in
Recover your password.
A password will be e-mailed to you.