ନ୍ୟାୟିକ ବ୍ୟବସ୍ଥାର ଭିତ୍ତିଭୂମି ବିକାଶରେ ଓଡିଶା ଆଗୁଆ : ସିଜେଆଇ

କଟକ/ଭୁବନେଶ୍ୱର ୬।୫ (ସ୍ମୃତିରଞ୍ଜନ ପରିଡା): ଅଦାଲତି କାର୍ଯ୍ୟ ସମ୍ପୂର୍ଣ୍ଣ ପେପରଲେସ୍ ହେବ । ଯଦିଓ ମାନୁଆଲ ପଦ୍ଧତିରେ ପ୍ରାୟ ସମସ୍ତ ନିମ୍ନ ଅଦାଲତଗୁଡିକ ପରିଚାଳିତ ହେଉଛି । କିନ୍ତୁ ସମୟକ୍ରମେ ଏଥିରେ ମଧ୍ୟ ପରିବର୍ତ୍ତନ ଅଣାଯିବ । ସେହି ଉଦ୍ଦେଶ୍ୟରେ ଆଜିଠାରୁ କଟକରେ ଆରମ୍ଭ ହେଉଛି ଜାତୀୟସ୍ତରର କନଫରେନ୍ସ । ପ୍ରଧାନ ବିଚାରପତି ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ।

ନ୍ୟାୟିକ ବ୍ୟବସ୍ଥାର ଭିତ୍ତିଭୂମି ବିକାଶରେ ଓଡିଶା ଆଗୁଆ ବୋଲି ପ୍ରଧାନ ବିଚାରପତି ମତ ଦେଇଛନ୍ତି । ଇ-କୋର୍ଟ, ପେପରଲେସ୍ କୋର୍ଟ ବ୍ୟବସ୍ଥା ଲାଗୁ କରିବାରେ ଓଡିଶାର କାର୍ଯ୍ୟ ପ୍ରଶଂସନୀୟ । ସେ ଆହୁରି କହିଛନ୍ତି କୋର୍ଟ ଷ୍ଟ୍ରିମିଙ୍ଗର ସୋସିଆଲ ମିଡିଆରେ ଅପବ୍ୟବହାର ନହେଉ । ସାରା ଦେଶରେ ଅଦାଲତି କାର୍ଯ୍ୟ ପେପରଲେସ୍ ଉପରେ ଗୁରୁତ୍ୱ ଦେଲେ ପ୍ରଧାନ ବିଚାରପତି ।

ପ୍ରଧାନ ବିଚାରପତିଙ୍କ ସହ ସୁପ୍ରିମକୋର୍ଟର ୨ ଜଣ ବିଚାରପତି ଏବଂ ବିଭିନ୍ନ ହାଇକୋର୍ଟର ପ୍ରାୟ ୩୦ ଜଣ ବିଚାରପତି ଏହି ସମ୍ମିଳନୀରେ ଯୋଗଦେଇଛନ୍ତି । ଏହା ସହିତ ଓଡିଶା ହାଇକୋର୍ଟର ସମସ୍ତ ବିଚାରପତି ଏବଂ ସମସ୍ତ ଜିଲ୍ଲା ଜଜ୍‌ମାନେ ମଧ୍ୟ ଏଥିରେ ଯୋଗଦେଇଛନ୍ତି ।

କଟକ ସ୍ଥିତ ଜୁଡିସିଆଲ ଏକାଡେମୀ ପରିସରରେ ଏହି ୨ ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି । ଯାହାର ପ୍ରମୁଖ ହେଲା (ଡିଜିଟାଇଜେସନ, ପେପରଲେସ କୋର୍ଟସ ଆଣ୍ତ ଇ ଇନିସିଏଟିଭ୍‌ସ) ।

Leave A Reply

Your email address will not be published.