mobile header

ସିଦ୍ଦରମେୟା ବନାମ ଡିକେ ଶିବକୁମାର: କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜୟ ପାଇଁ କଂଗ୍ରେସ ଉତ୍ସବ ମନାଉଥିବା ବେଳେ ଦୁଇ ପ୍ରମୁଖ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଓ କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାରଙ୍କ ମଧ୍ୟରେ ଦ୍ବନ୍ଦ୍ବ ଲାଗିଛି- କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ। ଉଭୟ ନେତାଙ୍କର ମୁଖ୍ୟମନ୍ତ୍ରୀ ହେବାର ଉଚ୍ଚାଭିଳାଷ ରହିଛି।
୬୧ ବର୍ଷୀୟ ଶିବକୁମାର କହିଛନ୍ତି ଯେ ସେ ଗାନ୍ଧି ପରିବାରକୁ ଦଳକୁ ବିଜୟୀ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ଦେଲା ପରେ ସେ ତିନିବର୍ଷ ଶୋଇ ନ ଥିବା ପ୍ରକାଶ କରିଛନ୍ତି।

ସୋନିଆ ଗାନ୍ଧି ତାଙ୍କୁ ଜେଲରେ ଭେଟିବା କଥା ସେ ଭୁଲିପାରିବେ ନାହିଁ ବୋଲି କହି ଶିବକୁମାର ଭାବପ୍ରବଣ ହୋଇଯାଇଥିଲେ। ତେବେ କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି ପଚରାଯିବାରୁ ଶିବକୁମାର କହିଥିଲେ ଯେ, କଂଗ୍ରେସ ଅଫିସ ହେଉଛି ତାଙ୍କ ପାଇଁ ମନ୍ଦିର। ଆମେ କଂଗ୍ରେସ କାର୍ଯ୍ୟାଳୟରେ ବସି ପରବର୍ତ୍ତୀ ପଦକ୍ଷେପ ବିଷୟରେ ନିଷ୍ପତ୍ତି ନେବୁ ବୋଲି ସେ କହିଥିଲେ।

ଅନେକ ବର୍ଷ ଧରି ଶିବକୁମାର କଂଗ୍ରେସର ସଂକଟମୋଚକ ରହିଆସିଛନ୍ତି। କର୍ଣ୍ଣାଟକର ଅନ୍ୟତମ ସବୁଠୁ ଧନୀ ନେତା ଶିବକୁମାର ୨୦୧୯ରେ ଦଳକୁ ରାଜ୍ୟରେ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ସେ ଆରମ୍ଭରୁ କଂଗ୍ରେସରେ ଅଛନ୍ତି ଓ କେବେ ବି ଅନ୍ୟ ଦଳକୁ ଯାଇନାହାନ୍ତି। ୧୯୮୯ରୁ ଆଜିଯାଏ ଯେତେ ନିର୍ବାଚନ ଲଢ଼ିଛନ୍ତି, ‌ସବୁଥିରେ ତାଙ୍କର ବିଜୟ ହୋଇଛି। ତେବେ ତାଙ୍କ ନାମରେ ଅନେକ ଦୁର୍ନୀତି ଅଭିଯୋଗ ରହିଛି। ଏପରି କି ଦିଲ୍ଳୀର ତିହାର ଜେଲରେ ଜାମିନ ପାଇବା ପର୍ଯ୍ୟନ୍ତ ତାଙ୍କୁ ଅନେକ ଦିନ କଟାଇବାକୁ ହୋଇଥିଲା।

ଅନ୍ୟପକ୍ଷରେ ୭୫ ବର୍ଷୀୟ ସିଦ୍ଦରମେୟା ବାରମ୍ବାର କହି ଆସୁଛନ୍ତି ଯେ, ଏହା ହେଉଛି ତାଙ୍କ ଜୀବନର ଶେଷ ନିର୍ବାଚନ। କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ସେ ଆଶା ରଖିଛନ୍ତି। ତେବେ କଂଗ୍ରେସର ଅନେକ ନେତା ତାଙ୍କୁ ‘ବାହାର ଲୋକ’ ବୋଲି ମତ ଦେଇ ଆସୁଛନ୍ତି, ଯିଏ ଅନ୍ୟ ଦଳରୁ କଂଗ୍ରେସକୁ ଆସିଛନ୍ତି। କର୍ଣ୍ଣାଟକର ଜନସାଧାରଣ ପରିବର୍ତ୍ତନ ଚାହାନ୍ତି, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଜନାଦେଶ ଦେଇଛନ୍ତି ବୋଲି ସିଦ୍ଦରମେୟା କହିଛନ୍ତି। ରାଜ୍ୟ ହିତରେ ତାଙ୍କ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ସିଦ୍ଧରମେୟାଙ୍କ ପୁଅ ୟତୀନ୍ଦ୍ର ସିଦ୍ଦରମେୟା କହିଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେଲେ ବିଜେପିର କୁଶାସନ ଓ ଦୁର୍ନୀତି ଦୂର କରିପାରିବେ ବୋଲି ୟତୀନ୍ଦ୍ର କହିଛନ୍ତି। ୧୯୮୩ ମସିହାରେ ସିଦ୍ଦରମେୟା ପ୍ରଥମକରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୪ରେ ସେ ତତ୍କାଳୀନ ଜନତାଦଳ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କୁ ଏଚ୍‌ଡି ଦେବେଗୌଡ଼ା ଦଳରୁ ବହିଷ୍କାର କରିବାର ଦୁଇବର୍ଷ ପରେ ୨୦୦୮ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୧୩ରେ କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ଉଭୟ ଶିବକୁମାର ଓ ସିଦ୍ଦ‌ରମେୟା ଦଳର ପ୍ରମୁଖ ଓ ପ୍ରଭାବଶାଳୀ ନେତା ତଥା ଉଭୟେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ବେଳେ ଦଳର କେନ୍ଦ୍ରୀୟ ନେତୃତ୍ବ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.