ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡବଳଭଦ୍ରପୁର ଗ୍ରାମରୁ ଠାବ ହୋଇଛି ଏକ ଅତି ପ୍ରାଚୀନ ହାତୀ ମୂର୍ତ୍ତି। ଐତିହ୍ୟ ଗବେଷଣା ସଂସ୍ଥା ଇଣ୍ଡିଆନ ନେସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନ୍ଟାକ)ର ପ୍ରତ୍ନତାତ୍ତ୍ୱିକ-ଐତିହ୍ୟ ସନ୍ଧାନକାରୀ ଦଳ ଏହି ବହୁ ପୁରାତନ ହାତୀ ମୂର୍ତ୍ତିଟିକୁ ଖୋଜି ବାହାର କରିଛନ୍ତି। ଇନ୍ଟାକ ଓଡିଶା ଶାଖାର ଆବାହକ ଶ୍ରୀ ଅମୀୟ ଭୂଷଣ ତ୍ରିପାଠୀ ନେତୃତ୍ୱରେ ଏହି ଅନୁସନ୍ଧାନକାରୀ ଦଳରେ ଶ୍ରୀ ଅନୀଲ ଧିର, ଶ୍ରୀ ସଂଜୀବ ହୋତା, ଶ୍ରୀ ଦୀପକ କୁମାର ନାୟକ ଓ ଡ଼. ବିଶ୍ୱଜିତ ମହାନ୍ତି ପ୍ରମୁଖ ସାମିଲ ଥିଲେ।
ଏ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ଯାଇ ଐତିହାସିକ ଶ୍ରୀ ଅନିଲ ଧିର ପ୍ରକାଶ କରିଛନ୍ତି ଯେ ଗୋଟିଏ ମାତ୍ର ପଥର ଖଣ୍ଡକୁ କଟାଯାଇ ଗଢ଼ା ଯାଇଥିବା ଏପରି ହାତୀର ମୂର୍ତ୍ତି ଅତି ବିରଳ ଓ ଏହା ବୋୖଦ୍ଧ ଧର୍ମ ସହ ସମ୍ପୃକ୍ତ ବୋଲି ଅନୁମାନ କରାଯାଉଛି। ଓଡ଼ିଶାରେ ଯାଜପୁରର କାଇମା, କେଉଁଝରର ସିତାବିଞ୍ଜି ତଥା ଭୁବନେଶ୍ବରର ଧଉଳି ଆଦି ସ୍ଥାନରେ ଏପରି ହାତୀ ମୂର୍ତ୍ତି ସବୁ ଦେଖିବାକୁ ମିଳେ। ସ୍ଥାନଟିରେ ହାତୀ ମୂର୍ତ୍ତି ବ୍ୟତିରେକ ପ୍ରାଚୀନ ପ୍ରସ୍ତର ଖମ୍ବ, ଅନେକ ପୁରାତନ ପ୍ରସ୍ତର ଖଣ୍ଡ ସବୁ ପଡି ରହିଛି। ଏହା ସୂଚନା ଦେଉଛି ଯେ ଏହି ସ୍ଥାନରେ ମାଟି ତଳେ ଅନେକ କୀର୍ତ୍ତିରାଜି ପୋତି ହୋଇ ରହିଛି। ପ୍ରାଥମିକ ଭାବେ ଏହି ହାତୀ ମୂର୍ତ୍ତିର ଗଠନ ସମୟ ପ୍ରାୟ ୨୨୦୦/୨୩୦୦ ବର୍ଷ ତଳର ଅର୍ଥାତ ମୋର୍ଯ୍ୟ ଶାସନ କାଳର ହୋଇପାରେ ବୋଲି ଶ୍ରୀ ଧିର ପ୍ରକାଶ କରିଛନ୍ତି।
ଇନ୍ଟାକର ସଦସ୍ୟ ଦୀପକ କୁମାର ନାୟକଙ୍କ ମତରେ ହାତୀ ହେଉଛି ବୋୖଦ୍ଧଧର୍ମ ବା ବୁଦ୍ଧଙ୍କ ପ୍ରମୁଖ ସଙ୍କେତ। ବୌଦ୍ଧପୁରାଣ ଓ ବୌଦ୍ଧଜାତକ କଥା ଅନୁସାରେ ବୁଦ୍ଧଙ୍କ ପୂର୍ବବର୍ତ୍ତୀ ଜନ୍ମ ସବୁରେ ବୋଦ୍ଧିସତ୍ୱ ଏକାଧିକ ଥର ହାତୀ ରୂପେ ଜନ୍ମଗ୍ରହଣ କରିଛନ୍ତି। ତେଣୁ ବୋୖଦ୍ଧଧର୍ମରେ ହାତୀକୁ ପବିତ୍ର ରୂପେ ଗ୍ରହଣ କରାଯାଏ। ଦୟା ନଦୀର ଅବବାହିକାରେ ପୂର୍ବରୁ ଅନେକ ବୌଦ୍ଧ କୀର୍ତ୍ତିରାଜି ସବୁର ସନ୍ଧାନ ମିଳିସାରିଛି। ଏପରିକି ଗଡ଼ବଳଭଦ୍ରପୁର ଗ୍ରାମର ଆଖପାଖ ଅଞ୍ଚଳରେ ମଧ୍ୟ ଅନେକ ବୌଦ୍ଧ ମୂର୍ତ୍ତି, ମାନସିକ ସ୍ତୁପ ସବୁ ବିକ୍ଷିପ୍ତ ଭାବେ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ଏବେ ଅଧିକାଂଶ ହିନ୍ଦୁ ଦେବଦେବୀ ରୂପେ ପୂଜା ପାଉଛନ୍ତି। ଗଡ଼ବଳଭଦ୍ରପୁର ଗଡଟି ଖୋର୍ଦ୍ଧାର ଭୋଇବଂଶୀୟ ରାଜାମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିଲେ ମଧ୍ୟ ଏଠାରେ ଏହି ହାତୀ ମୂର୍ତ୍ତି ଓ ବୌଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷ ସବୁ ବହୁ ପୂର୍ବ କାଳରୁ ଉପସ୍ଥିତ ରହିଆସିଛି ବୋଲି ଅନୁମାନ। ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଖନନ କରାଗଲେ ଅନେକ ଲୁକ୍କାୟିତ କୀର୍ତ୍ତିରାଜି ଲୋକଲୋଚନକୁ ଆସିପାରନ୍ତା ବୋଲି ଶ୍ରୀ ନାୟକ କହିଛନ୍ତି।
ଇନ୍ଟାକର ଆବାହକ ଶ୍ରୀ ଅମୀୟ ଭୂଷଣ ତ୍ରିପାଠୀ କୁହନ୍ତି ଯେ, ଏହି ସ୍ଥାନରେ ସନ୍ଧାନ ହୋଇଥିବା ପୁରାତନ ହାତୀ ମୂର୍ତ୍ତି ସମ୍ପର୍କରେ ତଥ୍ୟ ଏପର୍ଯ୍ୟନ୍ତ କୋୖଣସି ଐତିହାସିକ ଦସ୍ତାବେଜରୁ ମିଳିନାହିଁ। ତେଣୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାକୁ ଗୁରୁତ୍ୱର ସହ ନେବାର ଆବଶ୍ୟକତା ରହିଛି। ଏହାର ପ୍ରକୃତ ଇତିହାସ ଓ ସଠିକ ଗଠନ ସମୟ ନିର୍ଦ୍ଧାରଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ନିଜର ବିଶେଷଜ୍ଞ ଦଳକୁ ଏଠାକୁ ପଠାଇବା ଆବଶ୍ୟକ। ଏହା ବ୍ୟତୀତ ଏଠାରେ ଏକ ସଂଗ୍ରହାଳୟ ନିର୍ମାଣ କରି ହାତୀ ମୂର୍ତ୍ତି, ଏହି ପୁରାତନ ଖମ୍ବ ତଥା ଆଖପାଖ ଅଞ୍ଚଳରୁ ମିଳୁଥିବା ଅନ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ସବୁକୁ ଏକତ୍ର ରଖିବା ଉଚିତ। ଏ ସମ୍ପର୍କରେ ଖୁବ ଶୀଘ୍ର ଇନ୍ଟାକ ତରଫରୁ ସରକାରଙ୍କୁ ଅବଗତ କରାଯିବ। ରାଜ୍ୟର ବିଭିନ୍ନ ନଦୀ ଉପତ୍ୟକାରେ ଐତିହାସିକ କୀର୍ତ୍ତିରାଜି ସବୁର ଦସ୍ତାବେଜିକରଣ ପାଇଁ ଇନ୍ଟାକ ଅବିରତ ପ୍ରୟାସ ଜାରି ରଖିଛି। ପ୍ରାଚୀ ନଦୀ ଓ ମହାନଦୀ ଅବବାହିକା ସମ୍ବନ୍ଧୀୟ ସବିଶେଷ ରିପୋର୍ଟ ଇନ୍ଟାକ ସଂସ୍ଥା ତରଫରୁ ପ୍ରକାଶ ପାଇସାରିଛି। ସଂସ୍ଥାର ସଦସ୍ୟମାନେ ରତ୍ନଚିରା, ଦୟା, ଭାର୍ଗବୀ, ବ୍ରାହ୍ମଣୀ ଓ ବୈତରଣୀ ଆଦି ନଦୀ ଅବବାହିକା ସବୁରେ ସାଂସ୍କୃତିକ ଓ ଐତିହାସିକ ସ୍ଥାନମାନଙ୍କର ଚିନ୍ହଟ ଓ ପୁନରୁଦ୍ଧାର ପାଇଁ ସେମାନଙ୍କ ଚେଷ୍ଟା ଜାରି ରଖିଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।