mobile header

ସିଦ୍ଦରମେୟା: ଆଇନଜୀବୀରୁ ସଫଳ ରାଜନେତା

ନୂଆଦିଲ୍ଲୀ: ସିଦ୍ଦରମେୟା କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। କୃଷକ ପରିବାରରେ ଜନ୍ମ ହୋଇଥିବା ସିଦ୍ଦରମେୟା ଭଲ ସ୍କୁଲ୍‌ରେ ପାଠ ପଢ଼ିବାର ସୁଯୋଗ ପାଇନଥିଲେ। ତେବେ ନିଜ ଉଦ୍ୟମ ବଳରେ ସେ ମହୀଶୁର ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଡିଗ୍ରି ହାସଲ କରିଛନ୍ତି। ଜଣେ ଆଇନ ଛାତ୍ର ଭାବେ ସିଦ୍ଦରମେୟା ଜିଲ୍ଲା କୋର୍ଟ ଯାଉଥିଲେ। ଏହି ସମୟରେ ବରିଷ୍ଠ ଆଇନଜୀବୀ ନାନ୍‌ଜୁଣ୍ଡ ସ୍ବାମୀଙ୍କ ସହ ତାଙ୍କର ସାକ୍ଷାତ ହେଲା। ସ୍ବାମୀ ସିଦ୍ଦରମେୟାଙ୍କୁ ରାଜନୀତି କ୍ଷେତ୍ରରେ ପ୍ର‌ବେଶ କରାଇଲେ। ସିଦ୍ଦରମେୟା ମହୀଶୁର ତାଲୁକାରେ ପ୍ରଥମ ନିର୍ବାଚନ ଜିତିଥିଲେ। ୧୯୮୩ରେ ସିଦ୍ଦରମେୟା ଭାରତୀୟ ଲୋକ ଦଳ ଟିକେଟରେ ଚାମୁଣ୍ଡେଶ୍ବରୀ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତିବାପରେ କର୍ଣ୍ଣାଟକ ବିଧାନସଭାରେ ପ୍ରବେଶ କରିଥିଲେ। ସିଦ୍ଦରମେୟାଙ୍କର ଏହି ବିଜୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସିଦ୍ଦରମେୟା ଜନତା ଦଳରେ ଯୋଗ ଦେଲେ।

ଜନତା ଦଳ ଭାଙ୍ଗିଯିବା ପରେ ଏଚ୍‌ଡି ଦେବଗୌଡ଼ା ଜନତା ଦଳ (ସେକୁଲାର) ଦଳ ଗଢ଼ିଲେ। ସିଦ୍ଦରମେୟା ଏହାପରେ ୧୯୯୯ରେ ଜେଡିଏସ୍‌ରେ ଯୋଗଦେଲେ। ଏପରିକି ସେ ଦଳର କର୍ଣ୍ଣାଟକ ପ୍ରଦେଶ ସଭାପତି ହେଲେ। ୧୯୮୯ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ହାରିଥିଲେ। ତତ୍କାଳୀନ ବରିଷ୍ଠ କଂଗ୍ରେସ ନେତା ଏମ୍‌ ରାଜସେକର ମୂର୍ତ୍ତିଙ୍କଠାରୁ ସେ ନିର୍ବ‌ାଚନ ହାରିଥିଲେ। ୨୦୦୫ରେ ସିଦ୍ଦରମେୟା କଂଗ୍ରେସରେ ଯୋଗ ଦେଇଥିଲେ। ୭୫ ବର୍ଷୀୟ ସିଦ୍ଦରମେୟା ୨୦୧୩ରେ ପ୍ରଥମ କରି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଡି ଦେବରାଜ ୟୁଆରଏସ୍‌ (୧୯୭୨-୧୯୮୦)ଙ୍କ ପରେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି। ତେବେ ୨୦୧୮ରେ ସେ ଦଳକୁ କ୍ଷମତାକୁ ଫେରାଇ ପାରିଲେନି। ଚଳିତ ନିର୍ବାଚନରେ ଜିତିବାପରେ ସିଦ୍ଦରମେୟା ଦ୍ବିତୀୟ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଯଦି ଦ୍ବିତୀୟ ଥର ପାଇଁ ସିଦ୍ଦରମେୟା ସମ୍ପୂର୍ଣ୍ଣ କାର୍ଯ୍ୟକାଳ‌ ଶେଷ କରିବେ ତେବେ ସେ ଏକ ଇତିହାସ ସୃଷ୍ଟି କରିବେ।

Leave A Reply

Your email address will not be published.