mobile header

ରାଜ୍ୟର କୋଟିଏ ପରିବାର ପାଖରେ ପହଞ୍ଚିବ ବିଜେପି, ମହାଜନସଂପର୍କ ଅଭିଯାନରେ ଲୋକଙ୍କ ପାଖକୁ ଯିବେ ନେତା

ଭୁବନେଶ୍ବରରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: ଓଡ଼ିଶା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଜେପି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ‘ରାଜ୍ୟ କାର୍ଯ୍ୟକାରିଣୀ ବୈଠକ’ରେ ଶନିବାର ଏନେଇ ସୂଚନା ଦେଇଛି। ରଣନୀତି ଅନୁସାରେ ରାଜ୍ୟର ୧କୋଟି ପରିବାର ପାଖରେ କେମିତି ପହଞ୍ଚିବ, ସେଥିପାଇଁ ରୂପରେଖ ପ୍ରସ୍ତୁତ କରୁଛି। ଆସନ୍ତା ଏକ ମାସ ଭିତରେ ଓଡ଼ିଶାରେ ଏହାର ମୂଳଦୁଆ ପକାଇବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ପ୍ରତି ବୁଥରେ ୨୦୦ରୁ ୨୫୦ ଲୋକଙ୍କ ପାଖକୁ ଯାଇ ମହାଜନସମ୍ପର୍କ ଅଭିଯାନ କରିବ।

ସେହିପରି ମଣ୍ଡଳସ୍ତରରେ ୪ ଜଣିଆ ଟିମ୍ ରହିବେ। ପ୍ରଦେଶ କାର୍ଯ୍ୟକାରିଣୀ, ଜିଲ୍ଲା ଓ ମଣ୍ଡଳ ବୈଠକ କରାଯିବାର କାର୍ଯ୍ୟକ୍ରମ ରହିଛି । ମେ ୨୫ ପୂର୍ବରୁ ସବୁ ଜିଲ୍ଲା ଓ ମଣ୍ଡଳ କାର୍ଯ୍ୟ ଓ ସମିତି ବୈଠକ ଶେଷ ହେବ। ସବୁ କାର୍ଯ୍ୟ ସମିତି ବୈଠକରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଯୋଡ଼ାଯିବ । ମେ ୨୯ରେ ବର୍ଷ ପୂର୍ତିର ଲୋକଙ୍କୁ ବାର୍ତା ଦିଆଯିବ । ତୃଣମୂଳସ୍ତରରେ କାମ ଆରମ୍ଭ କରାଯିବା ନେଇ ରଣନୀତି ପ୍ରସ୍ତୁତ ହେଉଛି ।

ଏହି କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଓ ସମାଜିକ ବିଷୟକୁ ନେଇ ଚର୍ଚ୍ଚା ହୋଇଥିଲା। ରାଜ୍ୟ ବିଜେପି ପକ୍ଷରୁ ଏଠାରେ ଏକ ପ୍ରେସବର୍ତ୍ତା ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶା ବିଜେପିର ସାଧାରଣ ସମ୍ପାଦିକା ତଥା ମହିଳା ନେତ୍ରୀ ଲେଖାଶ୍ରୀ ସମନ୍ତସିଂହାର ରାଜ୍ୟ ସରକାରଙ୍କୁ ବିଭିନ୍ନ ବିଷୟକୁ ନେଇ ସମାଲୋଚନା କରିଥିଲେ।

“କେନ୍ଦ୍ର ସରକାର ପକ୍କାଘର, ପିଇବା ପାଣି ଓ ରୋଜଗାର ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ସେଗୁଡ଼ିକ ଓଡ଼ିଶାର ସାଧରଣ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ରାଜ୍ୟ ସରକାର ସମ୍ଭାଳି ପାରୁନାହାନ୍ତି। ନବ ଦାସଙ୍କ ହତ୍ୟା ଘଟଣାରୁ ଏହା ସ୍ପଷ୍ଟ। ଅନ୍ୟପଟେ ଓଡ଼ିଶାରେ ଏବେ ମହିଳା ନିର୍ଯ୍ୟାତନା ବଢ଼ିଚାଲିଛି। ବିଜେଡି ନେତାମାନଙ୍କ ଘରୋଇ କଳହ ଏହାକୁ ପଦାରେ ପକାଇଛି”, କହିଛନ୍ତି ଲେଖାଶ୍ରୀ ସମନ୍ତସିଂହାର।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟ ସରକାର ମହାନଦୀ ଜଳ ବିବାଦ ମାମଲାରେ ପଛୁଆ ରହିଥିବା ଦେଖାଦେଇଛି। ମହାନଦୀକୁ ନେଇ ଛତିଶଗଡ଼ର ଦାଦାଗିରି ଆଗରେ ଓଡ଼ିଶା କିଛି କରିପାରୁନାହିଁ। ସେହିଭଳି ଶ୍ରୀମନ୍ଦିର ଫାଇଲ ଚୋରି ହେବା, ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା ଆଦି କ୍ଷେତ୍ରରେ ରାଜ୍ୟ ସରକାର ଫେଲ ମାରିଛନ୍ତି। ୫-ଟି ନାଁରେ ସରକାର ଲୋକଙ୍କୁ ଭଣ୍ଡାଉଛନ୍ତି।”

ସେ ଆହୁରି କହିଛନ୍ତି, “ଆମେ ଓଡ଼ିଶାର ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବୁ। କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ସେମାନଙ୍କୁ ଜଣାଇବୁ। ଓଡ଼ିଶାକୁ ବିଜେଡି କବଳରୁ ମୁକ୍ତ କରିବୁ। ଏହା ଆମର ବିଶ୍ଵାସ ରହିଛି। ଏଥିରେ ଆମେ ସଫଳ ହେବୁ।”

ଅନ୍ୟପଟେ ବିଜେଡି ପକ୍ଷରୁ ବିଜେପିର ଏହି ସମଲୋଚନାକୁ ଖଣ୍ଡନ କରାଯାଇଛି। ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେପିର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ।

“କେନ୍ଦ୍ର ସରକାରଙ୍କ ଯୋଗୁଁ ଆଜି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବହୁତ ବଢ଼ିଯାଇଛି। ଏଥିପାଇଁ ଆଜି ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକରୀ ଯୋଜନା ପାଇଁ ଓଡ଼ିଶାବାସୀଙ୍କ ବହୁତ ଲାଭ ହେଉଛି। ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆସୁଛି”, କହିଛନ୍ତି ପ୍ରମିଳା ମଲ୍ଲିକ।

Leave A Reply

Your email address will not be published.