୫୮ ବର୍ଷ ବୟସରେ ୮ମ ଥର ବାପା ହେବେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ୍‌: ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପୁଣି ବାପା ହେବେ ବୋଲି ଶୁକ୍ରବାର ଦିନ ତାଙ୍କ ସ୍ତ୍ରୀ କ୍ୟାରି କହିଛନ୍ତି। ଏହା ହେବ ବୋରିସ୍‌ ଓ କ୍ୟାରିଙ୍କର ତୃତୀୟ ତଥା ବୋରିସ୍‌ଙ୍କର ଅଷ୍ଟମ ସନ୍ତାନ।

‘ଇନ୍‌ଷ୍ଟାଗ୍ରାମ୍‌’ରେ ଏଇ ଆନନ୍ଦପ୍ରଦ ଖବର ସେୟାର୍‌ କରି ୩୫ ବର୍ଷୀୟ କ୍ୟାରି ଲେଖିଛନ୍ତି, ମାତ୍ର ଅଳ୍ପ କେଇ ସପ୍ତାହ ଭିତରେ ନୂଆ ଟିମ୍‌ ମେମ୍ବର୍‌ ପହଞ୍ଚିବେ। ଏଥିସହିତ ସେ ୩ ବର୍ଷିୟ ପୁଅ ୱିଲ୍‌ଫ୍‌ ଓ ବର୍ଷକର ଝିଅ ରୋମିଙ୍କର ହାତ ଧରି ଚାଲୁଥିବାର ସୁନ୍ଦରିଆ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଗତ ୮ ମାସ ହେଲାଣି ମତେ ଭାରି କ୍ଲାନ୍ତ ଲାଗୁଛି କିନ୍ତୁ, କୁନୁକୁ ଦେଖିବା ପାଇଁ ଆଉ ଅପେକ୍ଷା କରିବାକୁ ତର ସହୁନାହିଁ। ପୁଣି ଜଣଙ୍କର ବଡ଼ଭାଇ ହେଉଥିବାରୁ ୱିଲ୍‌ଫ୍‌ ବି ଭାରି ଉଚ୍ଛନ୍ନ ହୋଇ ସବୁବେଳେ ଏକଥା କହିବୁଲୁଛି। କିନ୍ତୁ, ରୋମି ଏ ବିଷୟରେ କିଛି ଟେର୍‌ ପାଇଥିବା ପରି ମନେହେଉନାହିଁ। ଖୁବ୍‌ ଶୀଘ୍ର ସେ ବି ଜାଣିପାରିବ।

୨୦୨୧ ମେ ମାସରେ ବୋରିସ୍‌ ଓ କ୍ୟାରି ବିବାହ କରିଥିଲେ। ଏହା ଥିଲା ବୋରିସ୍‌ଙ୍କର ତୃତୀୟ ବିବାହ।

ପୂର୍ବ ପତ୍ନୀ ମାରିନା ହ୍ବିଲର୍‌ଙ୍କ ଗର୍ଭରୁ ବୋରିସ୍‌ଙ୍କର ୪ଜଣ ସନ୍ତାନ ଅଛନ୍ତି। ଏହାଛଡ଼ା, ‘ଆର୍ଟ କନ୍‌ସଲ୍‌ଟାଣ୍ଟ୍‌’ ହେଲେନ୍‌ ମେକିନ୍‌ଟାୟାର୍‌ଙ୍କ ସହିତ ସମ୍ପର୍କରୁ ମଧ୍ୟ ବୋରିସ୍‌ଙ୍କର ଗୋଟିଏ ସନ୍ତାନ ଜାତ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। କିନ୍ତୁ, ପ୍ରକୃତରେ କେତୋଟି ପିଲାଙ୍କ ବାପା ତାହା ବୋରିସ୍‌ ନିଜେ ଔପଚାରିକ ଭାବେ ଘୋଷଣା କରି ନାହାନ୍ତି। ପ୍ରଥମ ସ୍ତ୍ରୀ ଏଲେଗ୍ରା ମୋଷ୍ଟିନ୍‌-ଓୱେନ୍‌ଙ୍କ ଗର୍ଭରୁ ତାଙ୍କର କ‌ୌଣସି ସନ୍ତାନ ଜାତ ହୋଇ ନ ଥିଲେ।

Leave A Reply

Your email address will not be published.