ନବୀନ କ୍ୟାବିନେଟ୍‌ରେ ନୂଆ ମନ୍ତ୍ରୀ ହେବେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ

ଭୁ‌ବନେଶ୍ବର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୯ଟା ୫୦ରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିବ। ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସନ୍ନ ନାୟକଙ୍କୁ ଆଜି ସନ୍ଧ୍ୟାରେ ଫୋନ୍‌ କଲ ଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ତିନି ବିଧାୟକ ନିଜ ନିଜ ଅଞ୍ଚଳରେ ଦକ୍ଷ ଏବଂ ସଂଗଠନର ବିକାଶ ପାଇଁ ତୃଣମୂଳ ସ୍ତରରେ କାମ କରିଛନ୍ତି। ସେହିପରି ୩ ଜଣ ବିଧାୟକ ମଧ୍ୟ ପୂର୍ବରୁ ମନ୍ତ୍ରୀ ପଦରେ ରହି ଦାୟିତ୍ବ ତୁଳାଇଛନ୍ତି। ତେବେ କେଉଁ ବିଧାୟକଙ୍କୁ କେଉଁ ମନ୍ତ୍ରୀ ପଦ ମିଳିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ଶପଥ ନେବେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଦିନକ ପୂର୍ବରୁ ଅର୍ଥାତ୍ ରବିବାର ରାତି ୮ଟାରେ ହରିଆନାରୁ ଫେରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା‌ ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତେଣୁ ୩ଜଣ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହୋଇପାରିବେ। ପରବର୍ତ୍ତୀ ସମୟରେ ନୂଆ ବାଚସ୍ପତି ଚୟନ ହେବେ। କାହା ଉପରେ ମୁଖ୍ୟମନ୍ତ୍ରୀ ସୁନା କଳସ ଢାଳିବେ, ତାହାକୁ ନେଇ ଜୋର୍‌ଦାର ଅଙ୍କକଷା ଚାଲିଛି। ମନ୍ତ୍ରୀ ପଦ ଏକ ବର୍ଷରୁ କମ୍ ସମୟ ପାଇଁ ମିଳୁଥିଲେ ବି ସମସ୍ତଙ୍କ ନଜର ତାହା ଉପରେ ରହିଛି।

ବିକ୍ରମ ଆରୁଖ

ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ହେଉଛନ୍ତି ବିକ୍ରମ ଆରୁଖ। ଲଗାତାର ୬ ଥର ଭଞ୍ଜନଗରରୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଗଡ଼ରେ ୧୯୯୫ ମସିହାରେ ବିଧାୟକ ଭାବେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ଏପରି ୬ ଥର ବିଧାୟକ ହୋଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସମେତ ବିଜେଡି ସରକାରରେ ଏକାଧିକ ଦାୟିତ୍ୱ ତାଙ୍କ ପାଖରେ ଥିଲା। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ମଧ୍ୟ ଥିଲେ ଆରୁଖ। ଚର୍ଚ୍ଚା ହେଉଛି ତାଙ୍କୁ ପୁଣି ଥରେ ମନ୍ତ୍ରୀ ମଣ୍ଡଳକୁ ଅଣାଯାଇପାରେ। ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗଞ୍ଜାମ ଜିଲ୍ଲାରେ ବିଜେଡିର ସଂଗଠନ ଦୁର୍ବଳ ହୋଇଥିବା ଚର୍ଚ୍ଚା ହେଉଛିା ଏହାକୁ ସମ୍ଭାଳିବାକୁ ଗୁରୁ ଦାୟିତ୍ୱ ତାଙ୍କୁ ମିଳିପାରେ।

ସାରଦା ପ୍ରସାଦ ନାୟକ

ସେହିପରି ସାରଦା ପ୍ରସାଦ ନାୟକ ହେଉଛନ୍ତି ପଶ୍ଚିମ ଓଡ଼ିଶାରେ ଏକ ଜଣାଶୁଣା ଚେହେରା। ଏବେ ସେ ରାଉରକେଲାରୁ ବିଧାୟକ ଅଛନ୍ତି। ୬୪ ବର୍ଷୀୟ ସାରଦା ୨୦୦୪ ମସିହାରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୯ ମସିହାରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସାରଦା ନାୟକ। ସେ ପୂର୍ବରୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଆଜି ପୁଣିଥରେ ତାଙ୍କ ପାଖକୁ ଫୋନ୍ କଲ ଯାଇଛି। ସେ ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ସୁଦାମ ମାରାଣ୍ଡି

ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି ସୁଦାମ ମାରାଣ୍ଡି। ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ପୂର୍ବରୁ ରାଜସ୍ୱ ଓ ପ୍ରଶମନ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳି ଥିଲେ ସୁଦାମ ମାରାଣ୍ଡି। ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ଟିକେଟରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ବିଜେଡି ଟିକେଟରୁ ଲଢି ବିଧାନସଭାକୁ ଯାଇଛନ୍ତି। ଆନ୍ତାକାଲି ମନ୍ତ୍ରିମଣ୍ଡଳ ପୁନର୍ଗଠନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ତାଙ୍କ ପାଖକୁ କଲ ଯାଇଛି।

Leave A Reply

Your email address will not be published.