ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ: କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ, ସୁଦାମ ଓ ଶାରଦା
ଭୁବନେଶ୍ବର: ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିନିଜଣ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ ।
ଗତ ୧୨ ତାରିଖରେ ବାଚସ୍ପତି ପଦରୁ ଅଚାନକ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ବି ଇସ୍ତଫା ଦେଇଥିଲେ। ନୂଆ ମନ୍ତ୍ରୀ କିଏ ହେବ ତାକୁ ନେଇ ରାଜନୈତିକ ବିଶେଷଜ୍ଞ ଅଙ୍କ କଷା ଆରମ୍ଭ କରି ଦେଇଥିଲେ। ଇତି ମଧ୍ୟରେ ସମୀରଙ୍କ ହାତରେ ଥିବା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦାୟିତ୍ୱ ପ୍ରମିଳା ମଲ୍ଲିକଙ୍କ ହାତକୁ ଚାଲି ଯାଇଥିଲା। ପୂର୍ବରୁ ନବ ଦାସଙ୍କ ମୃତ୍ୟୁ ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲି ପଡ଼ିଥିଲ।
ନୂଆ ମନ୍ତ୍ରିମଣ୍ଡଳକୁ ନେଇ ଗତ କିଛି ଦିନ ଧରି କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛୁଟିରେ ଥିବାରୁ ଏଥିରେ ବିଳମ୍ବିତ ହୋଇଥିଲା। ଗତ ରାତିରେ ରାଜ୍ୟପାଳ ଓଡ଼ିଶା ଫେରିଥିବା ବେଳେ ଆଜି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି।
ଯଦି ଆସନ୍ତା ବର୍ଷର ନିର୍ଦ୍ଧାରିତ ସମୟରେ ସାଧାରଣ ନିର୍ବାଚନ ହୁଏ, ତେବେ ନୂଆ ମନ୍ତ୍ରୀମାନଙ୍କ କାର୍ଯ୍ୟକାଳ ଏକ ବର୍ଷରୁ କମ୍ ସମୟ ରହିବ । ତିନି ପ୍ରମୁଖ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ ଓ ସୁନ୍ଦରଗଡ଼ରେ ଦଳର ସଙ୍ଗଠନକୁ ଅଧିକ ମଜବୁତ କରିବାକୁ ଦଳ ପକ୍ଷରୁ ଏପରି ରଣନୀତି ପ୍ରସ୍ତୁତ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ। ଗତ ବର୍ଷ ଜୁନ୍ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ତାଙ୍କୁ ବାଚସ୍ପତି କରାଯାଇଥିଲା। ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଶ୍ରୀ ଆରୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ ପୁନର୍ବାର ଶ୍ରୀ ଆରୁଖଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଛି। ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ହେଉଛନ୍ତି ବିକ୍ରମ ଆରୁଖ। ଲଗାତାର ୬ ଥର ଭଞ୍ଜନଗରରୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଗଡ଼ରେ ୧୯୯୫ ମସିହାରେ ବିଧାୟକ ଭାବେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ଏପରି ୬ ଥର ବିଧାୟକ ହୋଇଛନ୍ତି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ମଧ୍ୟ ଥିଲେ ଆରୁଖ।
ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍ଦବା ଜୋର୍ ରହିଛି। ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି ସୁଦାମ ମାରାଣ୍ଡି । ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଜେଏମ୍ଏମ୍ରୁ କ୍ୟାରିୟର ଆରମ୍ଭ କରି ଜେଏମ୍ଏମ୍ ପ୍ରାର୍ଥୀ ଭାବେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୧୯ରେ କ୍ୟାବିନେଟ୍ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିବାକୁ ଯାଉଛନ୍ତି। ମୟୂରଭଞ୍ଜରେ ବିଜେଡି ସଂଗଠନ ସେତେଟା ମଜବୁତ୍ ନଥିଲା ବେଳେ ସୁଦାମ ନିଜେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏହାକୁ ନେଇ ବିଜେଡି ଅକଳରେ ପଡ଼ିଯାଇଥିଲା। ସୁଦାମଙ୍କୁ ପୁନର୍ବାର ମନ୍ତ୍ରୀ କରି ବିଜେଡି ପ୍ରଭାବୀ ଢଙ୍ଗରେ ଜିଲ୍ଲାରେ ବିଜେପିକୁ ମୁକାବିଲା କରିବାକୁ ଯୋଜନା ହୋଇଛି। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ୍ ମନ୍ତ୍ରୀ ହୋଇଛନ୍ତି। ମୟୂରଭଞ୍ଜର ମୋଟ୍ ୯ଟି ବିଧାନସଭା ଆସନରୁ ବିଜେପି ଦଖଲରେ ୬ଟି ଓ ବିଜେଡି ଦଖଲରେ ୩ଟି ରହିଛି। ।
ସେହିପରି ସାରଦା ପ୍ରସାଦ ନାୟକ ହେଉଛନ୍ତି ପଶ୍ଚିମ ଓଡ଼ିଶାରେ ଏକ ଜଣାଶୁଣା ଚେହେରା। ଏବେ ସେ ରାଉରକେଲାରୁ ବିଧାୟକ ଅଛନ୍ତି। ୬୪ ବର୍ଷୀୟ ସାରଦା ୨୦୦୪ ମସିହାରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୯ ମସିହାରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସାରଦା ନାୟକ। ସେ ପୂର୍ବରୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ବରିଷ୍ଠ ବିଧାୟକ ଶ୍ରୀ ନାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି। ସୁନ୍ଦରଗଡ଼ର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ୩ଟି, ବିଜେଡିର ୨ଟି ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ଦଖଲରେ ଗୋଟିଏ ଲେଖାଏ ଆସନ ରହିଛି।