ଆଜି ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ନୂଆ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ ବିକ୍ରମ, ସାରଦା ଓ ସୁଦାମ

ବାଚସ୍ପତିଙ୍କୁ ନେଇ ସସ୍‌ପେନ୍ସ ଜାରି, କିଛି ମନ୍ତ୍ରୀଙ୍କ ବିଭାଗ ବଦଳିପାରେ

ଭୁବନେଶ୍ବର: ସୋମବାର ଦିନ ସକାଳେ ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ଏଥିପାଇଁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆବଶ୍ୟକ ପ୍ରସ୍ତୁତି ‌‌ଶେଷ ହୋଇଛି। ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ଆପାତତଃ ଚୂଡ଼ାନ୍ତ ହୋଇଛି। ଏ ସମ୍ପର୍କରେ ଦଳ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନଥିଲେ ବି ଏହି ତିନି ଜଣଙ୍କୁ ମୁଖ୍ୟମନ୍ତ୍ରୀ କଲ୍‌ କରିଥିବା ଜଣାପଡ଼ିଛି। ତେବେ ପରବର୍ତ୍ତୀ ବାଚସ୍ପତି କିଏ ହେ‌େବ, ତାହା ସ୍ପଷ୍ଟ ହୋଇନି। ଶପଥ ଗ୍ରହଣ ପରେ କିଛି ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କଲ୍ ଆସିବା ପରେ ବିକ୍ରମ ଆରୁଖ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ  କୃତଜ୍ଞ। ତେବେ ଯେଉଁ ବିଭାଗ ମିଳିବ ଆନ୍ତରିକତାର ସହ ଦାୟିତ୍ୱ ତୁଲାଇବି। ସେହିପରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଓଡ଼ିଶାବାସୀଙ୍କ ସେବାରସୁଯୋଗ ପାଇବା ସୌଭାଗ୍ୟର ବିଷୟ।

ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲିପଡ଼ିଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛୁଟିରେ ଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ବିଳମ୍ବିତ ହୋଇଥିଲା। ଆଜି ରାତିରେ ରାଜ୍ୟପାଳ ଓଡ଼ିଶା ଫେରିଛନ୍ତି। ୨୨ ତାରିଖରେ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ଚୂଡ଼ାନ୍ତ ହେଲା ପରେ ଗତକାଲିଠାରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ନବୀନ ନିବାସରୁ କାହା ପାଖକୁ କଲ୍‌ ଯାଉଛି, ସେ ନେଇ ଉତ୍କଣ୍ଠା ବଢ଼ିଥିଲା। ସାମାଜିକ ଗଣମାଧ୍ୟମରେ ବହୁ ବିଧାୟକଙ୍କ ନାମ ଚର୍ଚ୍ଚା ହେଉଥିଲେ ବି ଠୋସ୍‌ ସୂଚନା କିଛି ମିଳି ନଥିଲା। ଶେଷରେ ରାତି ୮ଟା ପରେ ମନ୍ତ୍ରୀ ହେବାକୁ ଥିବା ତିନି ବରିଷ୍ଠ ବିଧାୟକଙ୍କ ନାମ ସ୍ପଷ୍ଟ ହୋଇଥିଲା।

ଯଦି ନିର୍ଦ୍ଧାରିତ ସମୟରେ ସାଧାରଣ ନିର୍ବାଚନ ହୁଏ, ତେବେ ନୂଆ ମନ୍ତ୍ରୀମାନଙ୍କ କାର୍ଯ୍ୟକାଳ ଏକ ବର୍ଷରୁ କମ୍ ସମୟ ରହିବ। କିନ୍ତୁ ଦଳର ସୁପ୍ରିମୋ ଯେପରି ନୂଆ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛନ୍ତି, ସେଥିରୁ ବିଜେଡିର ସାଂଗଠନିକ ରଣନୀତିର ସ୍ପଷ୍ଟ ଆଭାସ ମିଳୁଛି। ତିନି ପ୍ରମୁଖ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ ଓ ସୁନ୍ଦରଗଡ଼ରେ ଦଳର ସଂଗଠନକୁ ଅଧିକ ମଜବୁତ୍‌ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ରଣନୀତିର ଏହା ଏକ ଅଂଶ ବୋଲି ରାଜନୈତିକ ମହଲରେ ଆକଳନ କରାଯା‌ଉଛି।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ। ଗତ ବର୍ଷ ଜୁନ୍‌ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ତାଙ୍କୁ ବାଚସ୍ପତି କରାଯାଇଥିଲା। ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଶ୍ରୀ ଆରୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ ପୁନର୍ବାର ଶ୍ରୀ ଆରୁଖଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଛି। ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ହେଉଛନ୍ତି ବିକ୍ରମ ଆରୁଖ। ଲଗାତାର ୬ ଥର ଭଞ୍ଜନଗରରୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ଗଡ଼ରେ ୧୯୯୫ ମସିହାରେ ବିଧାୟକ ଭାବେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯ ଏପରି ୬ ଥର ବିଧାୟକ ହୋଇଛନ୍ତି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ମଧ୍ୟ ଥିଲେ ଆରୁଖ।

ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍‌ଦବା ଜୋର୍‌ ରହିଛି। ମୟୂରଭଂଜ ଜିଲ୍ଲାର ବିଜେଡି ସଭାପତି ଅଛନ୍ତି ସୁଦାମ ମାରାଣ୍ଡି । ସେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଜେଏମ୍‌ଏମ୍‌ରୁ କ୍ୟାରିୟର ଆରମ୍ଭ କରି ଜେଏମ୍‌ଏମ୍‌ ପ୍ରାର୍ଥୀ ଭାବେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିବାକୁ ଯାଉଛନ୍ତି। ମୟୂରଭଞ୍ଜରେ ବିଜେଡି ସଂଗଠନ ସେତେଟା ମଜବୁତ୍ ନଥିଲା ବେଳେ ସୁଦାମ ନିଜେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାକୁ ନେଇ ବିଜେଡି ଅକଳରେ ପଡ଼ିଯାଇଥିଲା। ସୁଦାମଙ୍କୁ ପୁନର୍ବାର ମନ୍ତ୍ରୀ କରି ବିଜେଡି ପ୍ରଭାବୀ ଢଙ୍ଗରେ ଜିଲ୍ଲାରେ ବିଜେପିକୁ ମୁକାବିଲା କରିବାକୁ ଯୋଜନା ହୋଇଛି। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ୍‌ ମନ୍ତ୍ରୀ ହୋଇଛନ୍ତି। ମୟୂରଭଞ୍ଜର ମୋଟ୍‌ ୯ଟି ବିଧାନସଭା ଆସନରୁ ବିଜେପି ଦଖଲରେ ୬ଟି ଓ ବିଜେଡି ଦଖଲରେ ୩ଟି ରହିଛି। ।

ସେହିପରି ସାରଦା ପ୍ରସାଦ ନାୟକ ହେଉଛନ୍ତି ପଶ୍ଚିମ ଓଡ଼ିଶାରେ ଏକ ଜଣାଶୁଣା ଚେହେରା। ଏବେ ସେ ରାଉରକେଲାରୁ ବିଧାୟକ ଅଛନ୍ତି। ୬୪ ବର୍ଷୀୟ ସାରଦା ୨୦୦୪ ମସିହାରେ ବିଜେଡି ଟିକେଟରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୯ ମସିହାରେ ରାଉରକେଲାରୁ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସାରଦା ନାୟକ। ସେ ପୂର୍ବରୁ ନଗର ଉନ୍ନୟନ ଓ ଯୋଗାଣ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି।  ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ବରିଷ୍ଠ ବିଧାୟକ ଶ୍ରୀ ନାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି। ସୁନ୍ଦରଗଡ଼ର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ୩ଟି, ବିଜେଡିର ୨ଟି ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ଦଖଲରେ ଗୋଟିଏ ଲେଖାଏ ଆସନ ରହିଛି।

ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ପ୍ରସ୍ତୁତି କରାଯାଇଛି। ଗତ ବର୍ଷ ମଧ୍ୟ ମନ୍ତ୍ରିମଣ୍ଡଳର ଅବଦଳବଦଳ ବେଳେ ଏହିଠାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା। ଶପଥ ଗ୍ରହଣ କରିବାକୁ ଥିବା ମନ୍ତ୍ରୀମାନେ ୯ଟା ୩୦ ସୁଦ୍ଧା ପହଞ୍ଚିବେ। ୯ଟା ୪୦ରେ ମୁଖ୍ୟମନ୍ତ୍ରୀ ଓ ୫ ମିନିଟ୍‌ ପରେ ରାଜ୍ୟପାଳ ଉତ୍ସବ ସ୍ଥଳକୁ ଆସିବେ। ୯ଟା ୫୦ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ବିକ୍ରମ କେଶରୀ ଆରୁଖ

ଭଂଜନଗରରୁ କ୍ରମାଗତ ୬ ଥର ବିଧାୟକ
୧୯୯୫ରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ
୨୦୦୦. ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ
ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ, ଜଙ୍ଗଲ ଓ ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ
ଜୁନ ୨୦୨୨ରେ ବାଚସ୍ପତି ନିର୍ବାଚିତ ହୋଇଥିଲେ ବିକ୍ରମ ଆରୁଖ
ମେ’ ୧୨, ୨୦୨୩ରେ ବାଚସ୍ପତି ପଦରୁ ସେ ଇସ୍ତଫା ଦେଇଥିଲେ

ସୁଦାମ ମାର୍ଣ୍ଡି

ଏବେ ବାଙ୍ଗରିପୋଷି ବିଧାୟକ ଅଛନ୍ତି
୩ ଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି
୧୯୯୦ : ସ୍ୱାଧୀନ ପ୍ରାର୍ଥୀ ଭାବେ ବାଙ୍ଗରିପୋଷିରୁ ବିଧାୟକ ଭାବେ ନିର୍ବାଚିତ
୨୦୦୪ : ଜେଏମ୍ଏମ୍ ପ୍ରାର୍ଥୀ ଭାବେ ମୟୂରଭଂଜ ଆସନରୁ ଲୋକସଭାକୁ ନିର୍ବାଚିତ
୨୦୧୪ : ବିଜେଡି ଟିକେଟରେ ବାଙ୍ଗରିପୋଷି ଆସନରୁ ବିଧାୟକ ଭାବେ ନିର୍ବାଚିତ
୨୦୧୯ : ବିଜେଡି ଟିକେଟରେ ବାଙ୍ଗରିପୋଷିରୁ ବିଧାୟକ ଭାବେ ନିର୍ବାଚିତ
କ୍ରୀଡ଼ା ଓ ଯୁବ ବ୍ୟାପାର, ଆଦିବାସୀ କଲ୍ୟାଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି

ଶାରଦା ନାୟକ

ରାଉରକେଲା ବିଧାୟକ ଅଛନ୍ତି
ବିଜେଡି ଟିକେଟରେ ୩ ଥର ବିଧାୟକ ହୋଇଛନ୍ତି
୨୦୦୪, ୨୦୦୯, ୨୦୧୯ରେ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ
୨୦୦୯ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି

Leave A Reply

Your email address will not be published.